ଆମ୍ୱେଦକର ନଗର (ୟୁପି) : ଉତ୍ତର ପ୍ରଦେଶର ଆମ୍ୱେଦକର ନଗରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚାରି ଜଣ ପିଲାଙ୍କର ହତ୍ୟା ଖବର ମିଳିବା କ୍ଷଣି ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଚାରି ମହଲା ଘର ଭିତରୁ ଚାରି ଜଣ ପିଲାଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଛି। ଘଟଣାର ସୂଚନା ପାଇ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଘଟଣାର ଯାଞ୍ଚ କରୁଛି। ଚାରି ଜଣ ପିଲାଙ୍କ ହତ୍ୟା କିଏ କରିଛି ? ପୁଲିସ ଏହି ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ମାଆ ଉପରେ ପିଲାଙ୍କ ହତ୍ୟାର ସନ୍ଦେହ କରାଯାଉଛି। ମାଆ ଘରୁ ଫେରାର ଥିବା ବେଳେ ପୁଲିସ ତଲାସରେ ଲାଗିଛି।
ଘଟଣା ଅପରାହ୍ନ ସମୟ ପାଖାପାଖି ୩ଟା ପରେ ଅକବରପୁରର ମୀରାନପୁର କମ୍ୟୁନିଟିରେ ହୋଇଛି। ପୁଲିସକୁ ଏକ ଚାରି ମହଲା କୋଠାରୁ ଚାରି ଜଣ ପିଲାଙ୍କ ମୃତଦେହ ମିଳିବାର ସୂଚନା ମିଳିଥିଲା। ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଦେଖିଥିଲା ଯେ, ଚାରି ମହଲା କୋଠାର ଏକ ରୁମ୍ରେ ପିଲାଙ୍କ ମୃତଦେହ ପଡ଼ି ରହି ଥିଲା। ମୃତକ ପିଲାମାନେ ହେଲେ- ସଫିକ୍ ( ୧୪ବର୍ଷ), ସଉଦ (୧୦ ବର୍ଷ) , ଉମର (୮ବର୍ଷ ) ଓ ବୟାନ ବାନୋ ( ୬ବର୍ଷ)।
କୁହାଯାଉଛି ଯେ, କୋଠା ମାଲିକ ମହମ୍ମଦ ନିୟାଜ ଗତ ବର୍ଷେ ହେବ ରୋଜଗାର କରିବାକୁ ସାଉଦୀ ଆରବରେ ରହୁଥିଲେ। ଘଟଣା ଦିନ ପିଲାଙ୍କ ମାଆ ଗାଜିଆ ଖାତୁନ ଘରେ ଉପସ୍ଥିତ ଥିଲେ , ଯିଏ ଘଟଣା ପର ଠାରୁ ଫେରାର ଥିବା କୁହାଯାଉଛି। ପ୍ରାଥମିକ ଭାବେ ପୁଲିସକୁ ହତ୍ୟାରେ ମାଆର ସଂପୃକ୍ତିର ସନ୍ଦେହ କରାଯାଉଛି। ଘଟଣାର ସୂଚନା ମିଳିବା କ୍ଷଣି ପୁଲିସ ଅଧିକ୍ଷକ ପ୍ରାଚୀ ସିଂହଙ୍କ ସମେତ ଅନ୍ୟ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳର ନିରୀକ୍ଷଣ କରି ଥିଲେ। ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବାର କାର୍ଯ୍ୟ ଆରମ୍ଭ କରି ଦେଇଛି।
ପାରିବାରିକ କଳହ ଏବଂ ମାନସିକ ଚାପ ଯୋଗୁଁ ହତ୍ୟାକାଣ୍ଡ ଘଟିଛି କି?
ପୁଲିସ ଅଧିକ୍ଷକ ପ୍ରାଚୀ ସିଂହ କହିଛନ୍ତି ଯେ, ପ୍ରଥମ ଦୃଷ୍ଟିରୁ ପିଲାମାନଙ୍କ ହତ୍ୟାରେ ମା'ର ସମ୍ପୃକ୍ତି ଅଛି। ହତ୍ୟା ପଛର କାରଣ କଣ, ତାହା ତଦନ୍ତ କରାଯାଉଛି। ପ୍ରାଥମିକ ସୂଚନା ପାରିବାରିକ ବିବାଦ ଏବଂ ମାନସିକ ଚାପକୁ ସୂଚାଉଛି। ଏହା ମଧ୍ୟ କୁହାଯାଉଛି ଯେ, ପିଲାମାନଙ୍କ ବାପାଙ୍କ ଦ୍ୱିତୀୟ ବିବାହ ଗୁଜବ ଯୋଗୁଁ ଗାଜିଆ ଖାତୁନ୍ ଚାପରେ ଥିଲେ। ଅନ୍ୟପଟେ ସମ୍ପତ୍ତି ବିବାଦର ଆଶଙ୍କା ମଧ୍ୟ କରାଯାଉଛି। ବର୍ତ୍ତମାନ ଫେରାର ମହିଳାଙ୍କ ତଲାସରେ ପୁଲିସ ଟିମ୍ ନିୟୋଜିତ ହୋଇଛି। ତଦନ୍ତ ପୂରା ହେବା ପରେ ହିଁ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଅଧିକାରୀମାନେ କହିଛନ୍ତି।
ଏକାଠି ତିନି ଜଣ ପିଲାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ପରେ ସମଗ୍ର ଅଞ୍ଚଳ ଥରହର ହୋଇ ଯାଇ ଥିଲା। ମାଆ ପିଲାମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପିଲାମାନଙ୍କ ମୁହଁ ଅତି କଦର୍ଯ୍ୟ ଭାବେ କ୍ଷତବିକ୍ଷତ କରାଯାଇ ଥିଲା। ପିଲାମାନଙ୍କୁ ହତ୍ୟା କରିବା ପରେ ମାଆ ଫେରାର୍ ହୋଇ ଯାଇଛି। ଅଭିଯୋଗ ହୋଇଛି ଯେ , ମହିଳା ଜଣକ ତାଙ୍କ ସ୍ୱାମୀଙ୍କ କ୍ରୋଧ ପିଲାମାନଙ୍କ ଉପରେ ସାରିଛନ୍ତି। ମହିଳାଙ୍କ ସ୍ୱାମୀ ଗତ କିଛି ବର୍ଷ ଧରି ସାଉଦୀ ଆରବରେ ରହୁଛନ୍ତି। ସେ ସେଠାରେ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଛନ୍ତି। ଯେତେବେଳେ ମହିଳା ଜଣକ ଏହା ଜାଣିବାକୁ ପାଇଲେ, ସେ କ୍ରୋଧରେ ଜଳି ଥିଲେ। ସେବେଠାରୁ ମହିଳା ଜଣକ ଚିନ୍ତାରେ ରହୁଥିଲେ। ସୁଯୋଗ ପାଇବା ମାତ୍ରେ ସେ ପିଲାମାନଙ୍କୁ ଇଟାରେ ମାରି ହତ୍ୟା କରି , ତା'ପରେ ବାଲକୋନୀରୁ ଡେଇଁ ପଳାଇ ଯାଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଡ୍ୟାନ୍ସ କରିବା ଚକ୍କରରେ ପିନ୍ଧି ନଥିଲେ ଲାଇଫ୍ ଜ୍ୟାକେଟ୍ ; ଜବଲପୁର କ୍ରୁଜ୍ ଦୁର୍ଘଟଣାର ପାଇଲଟଙ୍କ ପ୍ରତିକ୍ରିୟା