ପୁରୀ,୨/୧୧: ଆକ୍ସନ୍ ମୁଡରେ ପୁଲିସ । ପୁଣି ୪ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୁଲିସ । ସେମାନେ ହେଲେ ପେଣ୍ଠକଟା ମେରାଇନ ଥାନା ଅଧୀନ ବାଲିଘାଟର ପ୍ରଭାତ କୁମାର ଦାସ (୨୭), ବାସେଳିସାହି ଥାନା ଅଞ୍ଚଳର ଜ୍ଞାନରଞ୍ଜନ ପୁରୋହିତ (୨୯), ମିଶ୍ରସାହି ଜଗନ୍ନାଥବସ୍ତିର ସଂଗ୍ରାମ ମହାନ୍ତି (୩୦) ଓ ଲୋକନାଥରୋଡର ଅଂଶୁ ଜେନା (୧୯) । ଏମାନଙ୍କଠାରୁ ୮୧୦ ଟଙ୍କା ଜବତ କରାଯାଇଛି ।
ସିଟି ଡିଏସ୍ପି ପ୍ରଶାନ୍ତ କୁମାର ସାହୁଙ୍କ କହିବାନୁଯାୟୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଠାକୁରଙ୍କୁ ଶୀଘ୍ର ଦର୍ଶନ ଲାଗି ଏମାନେ ପରିକ୍ରମା ମାର୍ଗ ଓ ସିଂହଦ୍ୱାରରେ ନିଜକୁ ଗୁମାସ୍ତା ବୋଲି ପରିଚୟ ଦେଇ ଶ୍ରଦ୍ଧାଳୁଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ । ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ସିଂହଦ୍ୱାର ପୁଲିସର ଏକ ଟିମ୍ ଚଢ଼ଉ କରି ୪ଜଣ ନକଲି ଗୁମାସ୍ତାକୁ ଠାବ କରିଥିଲା । ସେମାନଙ୍କୁ ଯାଞ୍ଚ ପରେ ନକଲି ଗୁମାସ୍ତା ବୋଲି ଜଣାପଡ଼ିଥିଲା । ସେମାନଙ୍କ ନାମରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କରିଛି । ପୂର୍ବରୁ ଟାଉନ୍ ଥାନା ପୁଲିସ ୧୪ରୁ ଉଦ୍ଧ୍ୱର୍ ନକଲି ଗୁମାସ୍ତାକୁ ଗିରଫ କରିଥିଲା । ଏହା ସତ୍ତେ୍ୱ ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନାହିଁ । ଏବେ ନକଲି ଗୁମାସ୍ତା ଶ୍ରୀମନ୍ଦିର ଲାଗି ଅଡୁଆ ହୋଇଛନ୍ତି ବୋଲି ସିଂହଦ୍ୱାରରେ ଜୋର ଚର୍ଚ୍ଚା ଧରିଛି ।