ଓ୍ବାଶିଂଟନ/ନୂଆଦିଲ୍ଲୀ: ଆମେରିକାରୁ ଆଉ ଏକ ବଡ଼ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ମିସିସିପି ଡେଲ୍ଟା ଅଞ୍ଚଳର ଛୋଟ ସହର ଲେଲାଣ୍ଡରେ ଏକ ହାଇସ୍କୁଲରେ ଫୁଟବଲ୍ ଖେଳ ପରେ ହୋଇଥିବା ଗୁଳିକାଣ୍ଡରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଏନେଇ ମିସିସିପି ଷ୍ଟେଟ୍ ସିନେଟର ଡେରିକ ସିମନ୍ସ ସୂଚନା ଦେଇଛନ୍ତି । ଶନିବାର ଭୋର ସମୟରେ ଲେଲାଣ୍ଡର ଡାଉନଟାଉନ୍ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି । ମ୍ୟାଚ୍ ପରେ ଲୋକମାନେ ସେଠାରେ ଏକାଠି ହୋଇଥିଲେ।
ଲେଲାଣ୍ଡର ମେୟର ଜନ୍ ଲି କହିଛନ୍ତି, ଜାକସନ୍ରୁ ୧୨୦ କିମି ଉତ୍ତର-ପୂର୍ବରେ ଅବସ୍ଥିତି ଛୋଟ ସହର ଲେଲାଣ୍ଡରେ ଗୁଳିକାଣ୍ଡ ଘଟିଛି ।ଏହି ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାସ୍ଥଳରେ ଗୁରୁତର ହୋଇଥିବା ଅନ୍ୟ ଚାରି ଜଣଙ୍କୁ ଗ୍ରୀନଭିଲର ଏକ ହସ୍ପିଟାଲକୁ ନିଆଯାଇଥିଲା । ପରେ ରାଜ୍ୟ ରାଜଧାନୀ ଜ୍ୟାକସନର ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ୱାଶିଂଟନ କାଉଣ୍ଟି ସେରିଫ୍ ଅଫିସ୍ ଏବଂ ମାମଲାର ତଦନ୍ତ କରୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଏହି ସୂଚନା ମିଳିଛି ।