ପାଲକ୍କଡ,୨।୧୧: ଟ୍ରେନ୍ ଧକ୍କାରେ ରେଲୱେ ଟ୍ରାକ ସଫା କରୁଥିବା ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ। ଏଭଳି ଏକ ବଡ଼ ଘଟଣା କେରଳର ପାଲକ୍କଡ ଜିଲ୍ଲାର ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଶନିବାର ଅପରାହ୍ନ ୩ଟା ୦୫ ମିନିଟ୍ରେ ଘଟିଛି। ରେଲଓ୍ବେ ପୋଲିସର କହିବା ଅନୁସାରେ, ସଫେଇ କର୍ମଚାରୀ ରେଲଓ୍ବେ ଷ୍ଟେସନ୍ଠାରୁ କିଛି କିଲୋମିଟର ଦୂରରେ ଥିବା ଟ୍ରାକ୍କୁ ସଫା କରୁଥିବା ବେଳେ ତାଙ୍କ ଉପରେ ଚଢିଯାଇଥିଲା କେରଳ ଏକ୍ସପ୍ରେସ୍।
ଖବର ଅନୁସାରେ, ରେଲୱେ ଟ୍ରାକ୍ ସଫେଇ କର୍ମଚାରୀଙ୍କ ଏକ ଚାରି ଜଣିଆ ଦଳ ଭରତପୁଝା ନଦୀ ବ୍ରିଜ ଉପରେ ଟ୍ରାକ ସଫା କରୁଥିଲେ। ଏତିକିବେଳେ କେରଳ ଏକ୍ସପ୍ରେସ ଟ୍ରେନ ଆସିଥିଲା। ଟ୍ରେନ ଦେଖି ସେମାନେ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଠିକ୍ ସମୟରେ ବ୍ରିଜର ଅନ୍ୟ ପ୍ରାନ୍ତରେ ପହଞ୍ଚିପାରିନଥିଲେ। ଟ୍ରାକ୍ ମଧ୍ୟରେ ଅଟକି ଯିବାରୁ ସେମାନଙ୍କୁ ଧକ୍କା ଦେଇଥିଲା ଟ୍ରେନ୍।
ଏହି ଦୁର୍ଘଟଣାରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କ ସମେତ ୪ ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ୪ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟଜଣଙ୍କର ମୃତଦେହର ଖୋଜା ଚାଲିଛି। ହୁଏତ ଭରତପୁଝା ନଦୀରେ ଖସି ଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।