ନୂଆଦିଲ୍ଲୀ,୨୩।୯: ହମାସ ସହ ଇସ୍ରାଏଲର ଲଢେଇରେ କ୍ଷତିଗ୍ରସ୍ତ ହୋଇଛି ଗାଜା। ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ଯୋଗୁଁ  ଅନାହାର ଏବଂ ଧ୍ୱଂସର ଚିତ୍ର ସାରା ଦୁନିଆକୁ ବ୍ୟଥିତ କରିଛି। ଇସ୍ରାଏଲର ନିରନ୍ତର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ବହୁ ଦେଶର ମତ ପରିବର୍ତ୍ତନ ହୋଇଛି। ଏହି କାରଣଗୁଡ଼ିକ ପାଇଁ, ଅନେକ ନାଟୋ ସହଯୋଗୀ ଦେଶ ପାଲେଷ୍ଟାଇନକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ ଏବଂ ପର୍ତ୍ତୁଗାଲ ପରେ, ଫ୍ରାନ୍ସ ଏବେ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଘୋଷଣା କରିଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କହିଛନ୍ତି, ଏବେ ଶାନ୍ତିର ସମୟ ଆସିଛି। ଏହି ପଦକ୍ଷେପ  ହମାସର ପରାଜୟ। ଏହାଦ୍ଵାରା ଇସ୍ରାଏଲୀ ଏବଂ ପାଲେଷ୍ଟାଇନୀୟ  ଶାନ୍ତି ଏବଂ ସୁରକ୍ଷାରେ ଏକାଠି ରହିପାରିବେ। ପାଲେଷ୍ଟାଇନୀୟ ଲୋକଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦ୍ୱାରା ଇସ୍ରାଏଲୀ ଲୋକଙ୍କ ଅଧିକାର ହ୍ରାସ ପାଇବ ନାହିଁ, ଯାହାକୁ ଫ୍ରାନ୍ସ ପ୍ରଥମ ଦିନରୁ ସମର୍ଥନ କରିଆସୁଛି।‘ ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ମୋଟ ୧୯୩ଟି ଦେଶ ମଧ୍ୟରୁ ୧୫୬ ଟି ପାଲେଷ୍ଟାଇନକୁ ମାନ୍ୟତା ପ୍ରଦାନ କରିସାରିଛନ୍ତି। ସେପଟେ ଇସ୍ରାଏଲ ପ୍ରଧନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ  ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଦେଶଗୁଡ଼ିକୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିବାଅର୍ଥ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ଆକ୍ରମଣ କରୁଥିବା ଶକ୍ତିକୁ ପୁରସ୍କୃତ କରିବା ସହିତ ସମାନ।

ସୋମବାର ସନ୍ଧ୍ୟାରେ ଜାତିସଂଘ ସାଧାରଣ ପରିଷଦ ହଲରେ ଫ୍ରାନ୍ସ ଓ  ସାଉଦି ଆରବ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଉଦଘାଟନୀ ଭାଷଣରେ ମାକ୍ରୋନ୍ କହିଥିଲେ, ‘ଗାଜାରେ ଯୁଦ୍ଧ, ଗଣହତ୍ୟା ଏବଂ ମୃତ୍ୟୁ ବନ୍ଦ କରିବାର ସମୟ ଆସିଛି। ପାଲେଷ୍ଟାଇନୀୟ ଲୋକଙ୍କୁ ନ୍ୟାୟ ଦେବାର ସମୟ ଆସିଛି ।’  ଏହାକୁ ଅନେକ ଦେଶରୁ ସମର୍ଥନ ମିଳିବା ଆଶା କରାଯାଉଛି, କିନ୍ତୁ ଇସ୍ରାଏଲ କିମ୍ବା ଆମେରିକାରୁ ସମର୍ଥନ ମିଳିବାର ସମ୍ଭାବନା କମ୍। ଆମେରିକା ଏହି ସମ୍ମିଳନୀରେ ଯୋଗ ଦେଇ ନଥିଲା । ସେଭଳି ଇସ୍ରାଏଲୀ ଅଧିକାରୀମାନେ ଏହି ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟ G7 ଦେଶ ଜର୍ମାନୀ ଏବଂ ଇଟାଲୀ ମଧ୍ୟ ଶିଖର ସମ୍ମିଳନୀରୁ ଦୂରେଇ ରହିଥିଲେ। ଫ୍ରାନ୍ସ ସହିତ, ଆଣ୍ଡୋରା, ମାଲ୍ଟା, ଲକ୍ସେମବର୍ଗ ଏବଂ ମୋନାକୋ ମଧ୍ୟ ପାଲେଷ୍ଟାଇନକୁ ସ୍ୱୀକୃତି ଘୋଷଣା କରିଥିଲେ। ବେଲଜିୟମ ମଧ୍ୟ ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ରର ସ୍ୱୀକୃତି ଦେଇଛି। ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛି। ହମାସକୁ ହଟାଇବା ଏବଂ ବନ୍ଧକମାନଙ୍କୁ ଫେରାଇବା ପରେ ସମର୍ଥନ  ଆଇନଗତ ଭାବରେ ପ୍ରଭାବଶାଳୀ ହେବ।  

ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମୁଦ ଆବାସ କହିଛନ୍ତି, ଭବିଷ୍ୟତରେ ଗାଜା ଉପରେ ଶାସନ କରିବା ନେଇ ହମାସର କୌଣସି ଭୂମିକା ରହିବନି। ହମାସକୁ ହତିଆର ଛାଡିବାକୁ ସେ ଅପିଲ କରିଛନ୍ତି। ଅବ୍ବାସ ଗାଜାରେ ଯୁଦ୍ଦ ବନ୍ଦ ହେବାପରେ ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ କରିବାର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଆମେ ତିନି ମାସ ଭିତରେ ଏକ ଅନ୍ତରୀଣ ସମ୍ବିଧାନ ତିଆରି କରିବୁ। ସେପଟେ ୮ଟି ଆରବ ଏବଂ ମୁସଲିମ ଦେଶର ନେତାମାନେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ହେବାକୁ ଥିବା ଏହି ବୈଠକରେ ସାଉଦି ଆରବ, ତୁର୍କୀ, ପାକିସ୍ତାନ, ୟୁଏଇ, ଇଜିପ୍ଟ, ଇଣ୍ଡୋନେସିଆ, କତାର ଏବଂ ଜୋର୍ଡାନ ସାମିଲ ହେବେ। ଟ୍ରମ୍ପ ଗାଜାରେ ଯୁଦ୍ଧ ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି ସମାପ୍ତ କରିବା ପାଇଁ ଏକ ଯୋଜନା ଉପସ୍ଥାପନ କରିପାରନ୍ତି।