ପ୍ୟାରିସ୍, ୧୨/୦୨ : ୫ ଦଶନ୍ଧିର କଳା କାହାଣୀ... ୮୯ ନାବାଳିକାଙ୍କୁ ଦୁଷ୍କର୍ମ। ପୀଡ଼ିତାଙ୍କ ମଧ୍ୟରେ ଭାରତ ସମେତ ୯ ଦେଶର ନାବାଳିକା। ଶିକ୍ଷକ ନୁହେଁ ତ ଯୌନ ରାକ୍ଷସ। ଫ୍ରାନ୍ସରେ ଜଣେ ୭୯ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକଙ୍କ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜ୍ୟାକ୍ ଲେଭୁଗଲ୍। ସେ ୧୯୬୦ ଦଶକରୁ ୨୦୨୨ ପର୍ଯ୍ୟନ୍ତ ୮୯ ନାବାଳିକାଙ୍କୁ ବଳାତ୍କାର ଓ ଯୌନ ଶୋଷଣ କରିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳି ଯାଇଛି। ପିଲାମାନେ ଯଦି ସ୍କୁଲରେ ସୁରକ୍ଷିତ ନୁହଁନ୍ତି ତେବେ କେଉଁଠି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି।ଫ୍ରାନ୍ସର ଗ୍ରେନୋବଲ୍ ସହରରେ ଆଡଭୋକେଟ ଏଟିଏନ୍ ମାଣ୍ଟୋ ମଙ୍ଗଳବାର ଏହି ମାମଲା ସାବର୍ଜନିନ କରିବା ସହ ପୀଡ଼ିତାଙ୍କୁ ଆଗକୁ ଆସିବାକୁ ଅପିଲ କରିଛନ୍ତି।
ଅଭିଯୋଗ ଅନୁସାରେ, ଜ୍ୟାକ୍ ୧୯୬୭ରୁ ୨୦୨୨ ମଧ୍ୟରେ ଭାରତ ସମେତ ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ମରକ୍କୋ, ନାଇଜର, ଅଲଜେରିଆ, ଫିଲିପାଇନ୍ସ, କଲମ୍ବିଆ ଏବଂ ଫ୍ରାନ୍ସରେ ନାବାଳିକାଙ୍କ ସହ ଯୌନ ଅପରାଧ ଘଟାଇଛନ୍ତି। ସେ ଫରାସୀ ଭାଷା ଶିକ୍ଷକ ଏବଂ ଗୁମ୍ଫା ଅଧ୍ୟୟନ (ସ୍ପେଲିଓଲୋଜି) ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏଥିସହ ବିଭିନ୍ନ ଦେଶକୁ ଯାତ୍ରା କରି ଯୁବକଯୁବତୀଙ୍କ ସହ ମିଶୁଥିଲେ । ସେମାନଙ୍କୁ ଶିକ୍ଷା ଦେବା ବାହାନାରେ ଯୌନ ନିର୍ଯାତନା ଦେଉଥିଲେ । ସମସ୍ତ ପୀଡ଼ିତଙ୍କ ବୟସ ୧୩ରୁ ୧୭ ବର୍ଷ ମଧ୍ୟରେ ହେବ । ୨୦୨୪ରେ ଦୋଷ ଧାର୍ଯ୍ୟ ହେବା ପରେ ଜ୍ୟାକ୍ ଙ୍କୁ ଗିରଫ କରାଯାଇଥିଲା ।
ଖାଲି ସେତିକି ନୁହେଁ ଜ୍ୟାକ୍ ନିଜ ରୋଗିଣା ମା’ ଏବଂ ବୃଦ୍ଧା ମାଉସୀଙ୍କୁ ମଧ୍ୟ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଜ୍ୟାକଙ୍କ ପୁତୁରାଙ୍କ ସନ୍ଦେହ ହେବା ପରେ ସେ ଜ୍ୟାକ୍ ଙ୍କ ଘରେ ତଲାସି କରିଥିଲେ । ସେଠାରେ ଜ୍ୟାକ୍ ଙ୍କ ପୁତୁରାଙ୍କୁ ଏକ ୟୁଏସ୍ ବି ଡ୍ରାଇଭ ମିଳିଥିଲା । ସେଥିରେ ଜ୍ୟାକ୍ ନାବାଳିକାଙ୍କ ସହ ଦୁଷ୍କର୍ମ ଏବଂ ଯୌନ ଶୋଷଣର ଫଟୋ ଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭରେ ଅନେକ ପରିଚୟ ଏବଂ ତଥ୍ୟ ରହିଥିଲା । ସେଥିରୁ ତଦନ୍ତକାରୀ ଟିମ୍ ୮୯ ପୀଡ଼ିତଙ୍କୁ ଚିହ୍ନଟ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଏପଷ୍ଟିନ୍ ଇଚ୍ଛାପତ୍ରରେ ରହସ୍ୟମୟୀ ମହିଳା, ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ଶେଷ ଫୋନ୍ କଲ୍