ନୂଆଦିଲ୍ଲୀ ୧୨/୦୨: ନାବାଳିକା ଯୌନ ଅପରାଧୀ ଏପ୍ଷ୍ଟିନ୍ର କଳା କାରନାମାର ନୂଆ ଫାଇଲ ନିକଟରେ ଜାରି ହୋଇଛି । ଏଥିରେ ଜଣେ ମହିଳାଙ୍କ ନାଁ ରହିଛି, ଯିଏ ତା’ର ଶେଷ ସମୟରେ ତା’ ସହ ଯୋଡ଼ିହୋଇ ରହିଥିଲେ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏପ୍ଷ୍ଟିନ ଏହି ମହିଳାଙ୍କୁ ଫୋନ୍ କରିଥିଲା । ତା’ର କଳା କାରନାମା ସାମ୍ନାକୁ ଆସିବା ପରେ ତା’ର ପ୍ରିୟ ଓ ସହଯୋଗୀମାନେ ତା’ଠୁ ଦୂରେଇ ଯାଇଥିଲେ । ଏକମାତ୍ର ସେହି ମହିଳା ହିଁ ତା’ ସମ୍ପର୍କରେ ଥିଲେ । ୨୦୧୯ରେ ଜେଲ୍ରେ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ବେଲାରୁଷ୍ ଦନ୍ତଚିକିତ୍ସକଙ୍କୁ ଏପ୍ଷ୍ଟିନ ଶେଷ ଫୋନ୍ କଲ୍ କରିଥିଲା । ତାଙ୍କ ନାଁ କରିନା ଶୁଲୟାକ୍ । ୨୦୧୦ରେ ବେଲାରୁଷ୍ର ମିନସ୍କରେ ଶୁଲୟାକ୍ଙ୍କ ସହ ଏପ୍ଷ୍ଟିନ୍ର ପ୍ରଥମ ସାକ୍ଷାତ ହୋଇଥିଲା । ସେତେବେଳେ ତାଙ୍କ ବୟସ ୨୦ ବର୍ଷ ଥିଲା । ଜଣେ ଋଷୀୟ ମହିଳା ଉଭୟଙ୍କର ସାକ୍ଷାତ କରାଇଥିଲେ । ଫାଇଲ୍ରୁ ଜଣାପଡ଼େ, ଏପ୍ଷ୍ଟିନ୍ ଖୁବ୍ଶୀଘ୍ର ଶୁଲୟାକ୍ଙ୍କୁ ନିଜର ଘନିଷ୍ଠ ଲୋକଙ୍କ ମଧ୍ୟରେ ସାମିଲ କରିନେଲା । ପରେ ଶୁଲୟାକ୍ଙ୍କୁ ଆମେରିକା ଆଣିବାରେ ସାହାଯ୍ୟ କଲା ।
ଶୁଲୟାକ୍ ୨୦୧୨ରେ କୋଲମ୍ବିୟା ବିଶ୍ୱବିଦ୍ୟାଳୟରେ ଡେଣ୍ଟାଲ କଲେଜରେ ନାମ ଲେଖାଇବାକୁ ଚାହୁଁଥିଲେ । ପ୍ରଥମେ ସେଠାରେ ତାଙ୍କର ନାମଲେଖା ହୋଇପାରି ନ ଥିଲା । ପରେ ଏପ୍ଷ୍ଟିନ ପ୍ରଭାବ ବଳରେ ସେ କଲେଜରେ ଭର୍ତ୍ତି ହେଲେ । ନ୍ୟାୟ ବିଭାଗର ଫାଇଲ ଅନୁସାରେ, ଏପ୍ଷ୍ଟିନ ଉକ୍ତ ଡେଣ୍ଟାଲ କଲେଜକୁ ୫୦ ଲକ୍ଷରୁ ୧୦୦ ଲକ୍ଷ ଡଲାର ଦାନ ଦେବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରତି କୃତଜ୍ଞ ହୋଇ ତତ୍କାଳୀନ ଡିନ୍ ଶୁଲୟାକ୍ଙ୍କୁ ବେଲାରୁଷ୍ ସ୍ଥିତ ତାଙ୍କର ପୁରୁଣା ମେଡିକାଲ ସ୍କୁଲ ସହ ବ୍ୟକ୍ତିଗତ ଭାବେ ସମ୍ପର୍କ କଲେ । ଶୁଲୟାକ୍ କୋଲମ୍ବିୟାରେ ଦନ୍ତଚିକିତ୍ସା ଅଧ୍ୟୟନ ଲାଗି ବିଳମ୍ବରେ ଭର୍ତ୍ତି ହୋଇଥିବାରୁ ବିଶ୍ୱବିଦ୍ୟାଳୟର ଡେଣ୍ଟାଲ କେୟାର ବିଭାଗର ଅଧ୍ୟକ୍ଷ ତାଙ୍କୁ ପ୍ରବେଶ ପରୀକ୍ଷାର ରୂପରେଖ ଓ ଷ୍ଟଡି ଗାଇଡ୍ ପଠାଇଥିଲେ । ଭର୍ତ୍ତି ହେବା ପରେ ଏକାଡେମିକ୍ ଉପ ଡିନ୍ ଏକ ବ୍ୟକ୍ତିଗତ ଷ୍ଟଡି ପ୍ଲାନ୍ ଶୁଲୟାକ୍ଙ୍କ ପାଇଁ ପ୍ରସ୍ତୁତ କରିଥିଲେ ।
ଆହୁରି ପଢ଼ନ୍ତୁ...ଏପ୍ଷ୍ଟିନ୍ର ପ୍ରାଇଭେଟ୍ ଜେଟ୍ ‘ଲୋଲିତା ଏକ୍ସପ୍ରେସ୍’, ଅଧିକ ଫାଇଲ ରିଲିଜ କରିବାକୁ ଦାବି
ବର୍ତ୍ତମାନ ୩୬ ବର୍ଷୀୟା ଶୁଲୟାକ୍ ଏବେ ନ୍ୟୁୟର୍କରେ ରହୁଛନ୍ତି । ମୃତ୍ୟୁ ପୂର୍ବରୁ ଜେଲ୍ରୁ ଏପ୍ଷ୍ଟିନ ଶେଷ ଫୋନ୍ କଲ୍ ତାଙ୍କୁ କରିଥିଲା । ସେ ନିଜ ଇଚ୍ଛାପତ୍ରରେ ୧୦୦ ନିୟୁତ ଡଲାର ଓ ନିଜର ୩୩ କ୍ୟାରେଟ୍ର ହୀରା ମୁଦି ଶୁଲୟାକ୍ଙ୍କ ନାଁରେ କରିଥିଲା । କୋଲମ୍ବିୟା ବିଶ୍ୱବିଦ୍ୟାଳୟରେ ତାଙ୍କର ଅଧ୍ୟୟନ ଓ ଅନ୍ୟ ଖର୍ଚ୍ଚ ମଧ୍ୟ ବହନ କରିଥିଲା । ଏପ୍ଷ୍ଟିନ ଟ୍ୟୁସନ୍ ଫି’ ରୂପେ ଶୁଲୟାକ୍ଙ୍କ ପାଇଁ ୬୩୧,୦୦୦ ଡଲାର ଖର୍ଚ୍ଚ କରିଥିଲା । ଏପ୍ଷ୍ଟିନ ଫାଇଲ ରିପୋର୍ଟ ଅନୁସାରେ, ତା’ ସମ୍ପତ୍ତିର ଜଣେ ପ୍ରମୁଖ ହିତାଧିକାରୀ ଥିଲେ ଶୁଲୟାକ୍ । ସେ ଏପ୍ଷ୍ଟିନର ପ୍ରେମିକା ଥିଲେ ଏବଂ ତା’ ଜୀବନରେ ତାଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଥିପାଇଁ ୨୦୧୨ରେ ଏପ୍ଷ୍ଟିନ ଡେଣ୍ଟାଲ ହସ୍ପିଟାଲର ଡିନ୍ ଡା. ଇରା ବି. ଲାମ୍ଷ୍ଟରଙ୍କ ଦ୍ୱାରା ସଂଚାଳିତ ଏକ ଜନସ୍ୱାସ୍ଥ୍ୟ ପ୍ରୋଜେକ୍ଟକୁ ୧୦୦,୦୦୦ ଡଲାର ଦାନ କରିଥିଲା । ୨୦୧୪ରେ ଡେଣ୍ଟାଲ କଲେଜର ବାର୍ଷିକ କୋଷକୁ ସେ ୫୦ ହଜାର ଡଲାର ଦାନ କରିଥିଲା ।