ନୂଆଦିଲ୍ଲୀ, ୦୭/୦୬: ୨ ସପ୍ତାହର ରୋମାଞ୍ଚରେ ପଡ଼ିଛି ପୂର୍ଣ୍ଣଛେଦ । ସବୁ ବଡ଼ ତାରକା ବିଦା ହେବା ପରେ ଜଣେ ନୂଆ ଚାମ୍ପିଅନଙ୍କ ଆବିର୍ଭାବ ଘଟିଛି । ରୁଷିଆର ୧୯ବର୍ଷିୟ ମୀରା ଆନ୍ଦ୍ରିଭା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଚଳିତ ବର୍ଷ ଫ୍ରେଞ୍ଚ ଓପନ ମହିଳା ସିଙ୍ଗଲ୍ସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ଫାଇନାଲ୍‌ରେ ସେ ପୋଲାଣ୍ଡର ମାଜା ଚ୍ୱାଲିନସ୍କାଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ଆନ୍ଦ୍ରିଭାଙ୍କୁ ୧ଘଣ୍ଟା ୨୨ ମିନିଟ ଲାଗିଥିଲା ।

ଶେଷ ଥର ପାଇଁ ୨୬ ବର୍ଷ ତଳେ ଘରୋଇ ଖେଳାଳି ଭାବେ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍‌ ହୋଇଥିବା ମେରୀ ପିୟର୍ସ ନୂଆ ଚାମ୍ପିଅନ ଆନ୍ଦ୍ରିଭାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ନିକଟରେ ଥିଲେ କୋଞ୍ଚିତା ମାର୍ଟିନେଜ । ବର୍ତ୍ତମାନ ଆନ୍ଦ୍ରିଭାଙ୍କ କୋଚ୍‌ ଥିବା କୋଞ୍ଚିତା ୨୬ବର୍ଷ ତଳର ଫାଇନାଲ୍‌ରେ ପିୟର୍ସଙ୍କ ଠାରୁ ପରାଜିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ । ଶନିବାର ତାଙ୍କ ଶିଷ୍ୟା ଗୋଟିଏ ପାଦ ଆଗେଇ ସୁଜେନ ଲେଙ୍ଗଲେନ ଟ୍ରଫି ହାସଲ କରିଥିଲେ । ୧୯ବର୍ଷ ବୟସରେ ଆନ୍ଦ୍ରିଭା ଫ୍ରେଞ୍ଚ ଓପନ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି ।

ଅଧିକ ପଢନ୍ତୁ-Norway Chess 2026: ପ୍ରଜ୍ଞାନନ୍ଦାଙ୍କୁ ନରୱେ ଚେସ୍‌ ଟାଇଟଲ; ପ୍ରଥମ ଭାରତୀୟ ଭାବେ ମିଳିଲା ସଫଳତା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶେଷ ଥର ପାଇଁ ୧୯୯୨ରେ କନିଷ୍ଠ ମହିଳା ଖେଳାଳି ଭାବେ ମୋନିକା ସେଲେସ ଫ୍ରେଞ୍ଚ ଓପନ ଚାମ୍ପିଅନ୍‌ ହୋଇଥିଲେ । ଫ୍ରେଞ୍ଚ ଓପନ ଇତିହାସରେ ଆନ୍ଦ୍ରିଭା ଚତୁର୍ଥ କନିଷ୍ଠ ମହିଳା ଖେଳାଳି ଭାବେ ଚାମ୍ପିଅନ୍‌ ହୋଇଛନ୍ତି । ତାଙ୍କ ପୂର୍ବରୁ ମୋନିକା ସେଲେସ ୧୬ ବର୍ଷ ୧୭୭ ଦିନ ବୟରେ ୧୯୯୦ରେ ଟାଇଟଲ୍‌ ଜିତିଥିଲେ । ସେହିପରି ଆରାଞ୍ଜା ସାଞ୍ଚେଜ ଭିକାରିଓ ୧୭ବର୍ଷ ୧୬୩ ଦିନ ବୟସରେ ୧୯୮୯ ଓ ଷ୍ଟେଫି ଗ୍ରାଫ୍‌ ୧୭ ବର୍ଷ ୩୪୫ ଦିନ ବୟସରେ ୧୯୮୭ରେ ଚାମ୍ପିଅନ୍‌ ହୋଇଥିଲେ । ଏହି ବିଜୟ ସହ ଆନ୍ଦ୍ରିଭା ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ନିଶ୍ଚିତ କରିଛନ୍ତି । ୨୦୨୬ରେ ସେ ସର୍ବାଧିକ ୩୬ଟି ମ୍ୟାଚ ଜିତି ସାରିଛନ୍ତି ।