ଭୁବନେଶ୍ଵର, ୨୧/୦୨ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ୩ ଦିବସୀୟ ଭାରତ ଗସ୍ତ କେବଳ କୂଟନୀତି ଓ ବାଣିଜ୍ୟ ଚୁକ୍ତି ମଧ୍ୟରେ ସୀମିତ ରହିନାହିଁ । ସ୍ୱଦେଶ ଫେରିବା ପୂର୍ବରୁ ସେ ନିଜ ଗସ୍ତକୁ ମନୋରଞ୍ଜନଧର୍ମୀ କରିଛନ୍ତି । ଭାରତ ଗସ୍ତ ଶେଷରେ ମାକ୍ରନ୍‌ ସୋସିଆଲ ମିଡିଆରେ ଏକ ବିଦାୟକାଳୀନ ଭିଡିଓ ଶେୟାର କରିଛନ୍ତି, ଯାହା ଚାହୁଁ ଚାହୁଁ ଭାଇରାଲ ହୋଇଛି । ଖାସ୍‌ କଥା ଥିଲା ଭିଡିଓର ପ୍ରଚ୍ଛଦ ସଙ୍ଗୀତ। ତାହା ନିର୍ଦ୍ଦେଶକ ଆଦିତ୍ୟ ଧର୍‌ଙ୍କ ଫିଲ୍ମ ‘ଧୁରନ୍ଧର୍‌’ର ଦମ୍‌ଦାର ଟାଇଟଲ ଗୀତ। 

ଭିଡିଓ ସାମ୍ନାକୁ ଆସିବା ପରେ ଲୋକଙ୍କ ଧ୍ୟାନ ଗମ୍ଭୀର ଚର୍ଚ୍ଚାରୁ ହଟି ମାକ୍ରନ୍‌ଙ୍କ ଏହି ବଲିଉଡ୍‌ ସ୍ୱାଗ୍‌ ଯୁକ୍ତ ବିଦାୟ ଉପରକୁ ଚାଲିଗଲା । ଭିଡିଓ ସହିତ ମାକ୍ରନ୍‌ ଏକ ଛୋଟ କ୍ୟାପ୍‌ସନରେ ଲେଖିଛନ୍ତି ‘ଧନ୍ୟବାଦ ଭାରତ!’। ତେବେ ତାଙ୍କ ଫ୍ୟାନ୍‌ ଓ ସୋସିଆଲ ମିଡିଆ ୟୁଜର୍‌ଙ୍କ ନଜର ତାଙ୍କ ସଙ୍ଗୀତ ରୁଚି ଉପରେ ପଡ଼ିଛି । ଭିଡିଓକୁ ନେଇ ଅସଂଖ୍ୟ ପ୍ରତିକ୍ରିୟା ଆସୁଛି । ଜଣେ ୟୁଜର୍‌ ଲେଖିଛନ୍ତି, କେହି କ’ଣ ‘ଧୁରନ୍ଧର୍‌’ର ପ୍ରଚ୍ଛଦ ଗୀତ ବିଷୟରେ ଆଲୋଚନା କରିବେ ନାହିଁ?’ ଆଉ କିଛି କହିଛନ୍ତି, ୟାକୁ କହନ୍ତି ଧୁରନ୍ଧର୍‌-ସ୍ତରୀୟ ବୈଠକ । ଜଣେ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ନିଜ ବିଦାୟରେ ଏଭଳି ଦମ୍‌ଦାର ଭାରତୀୟ ଗୀତ ଚୟନ କରିବା ଅଧିକାଂଶ ୟୁଜର୍‌ଙ୍କୁ ଚକିତ କରିଛି । ଯେଉଁ ଗୀତ ମାକ୍ରନ୍‌ଙ୍କ ଭିଡିଓକୁ ଚର୍ଚ୍ଚିତ କରିଛି, ତାହା ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର୍‌’ର ‘ନା ଦେ ଦିଲ୍‌ ପରଦେଶୀ ନୁ’।

ଏହି ଖବରଟିକୁ ପଢନ୍ତୁ- ନା ବାହାଘର ନା ଛୁଆ, ବିବାହ ପ୍ରଶ୍ନ ଶୁଣି ଏମିତି କହିଲେ ୩୬ ବର୍ଷୀୟ ଅଭିନେତ୍ରୀ ଆଦା ଖାନ୍