ତେହରାନ୍, ୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଇରାନର ସଭ୍ୟତାକୁ ଶେଷ କରିବାକୁ ଧମକ ଦେଇଥିଲେ । ଏହାପରେ ସେହି ପ୍ରସଙ୍ଗରେ ଚର୍ଚ୍ଚା ଜାରି ରହିଛି । ଇରାନର ୬୦୦୦ ବର୍ଷ ପୁରୁଣା ସଭ୍ୟତା ବିଶ୍ୱର ସର୍ବପ୍ରାଚୀନ ସଭ୍ୟତା ମଧ୍ୟରୁ ଅନ୍ୟତମ । ଆଲେକଜାଣ୍ଡରଙ୍କ ଠାରୁ ଆରମ୍ଭ କରି କ୍ରୁର ଚେଙ୍ଗିଜ୍ ଖାନ୍ ଏବଂ ଟ୍ରମ୍ପଙ୍କ ଭଳି ସବୁ ଆକ୍ରମଣକାରୀଙ୍କୁ ଏହା ମାତ୍ ଦେବାରେ ସଫଳ ହୋଇଛି । ଇରାନୀ ସାମ୍ରାଜ୍ୟ ଲାଗି ସବୁଠୁ ବଡ଼ ଝଟ୍କା ଖ୍ରୀଷ୍ଟ ପୂର୍ବ ୩୩୦ ବେଳକୁ ଆସିଥିଲା । ସେତେବେଳେ ଗ୍ରୀସରୁ ଆଲେକଜାଣ୍ଡରଙ୍କ ବିଜୟ ଅଭିଯାନ ଆରମ୍ଭ ହୋଇସାରିଥିଲା । ଆଲେକଜାଣ୍ଡର ଇରାନ ଉପରେ ଆକ୍ରମଣ କରିଥିଲେ ଏବଂ ଏକେମେନିଡ୍ ରାଜବଂଶକୁ ପରାସ୍ତ କରିଥିଲେ । ଏହାଦ୍ୱାରା ୨୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଏକେମେନିଡ୍ ସାମ୍ରାଜ୍ୟର ଅନ୍ତ ହୋଇଥିଲା । ଆଲେକଜାଣ୍ଡରଙ୍କ ଅଭିଯାନ କେବଳ ବିଜୟ ଯାଏ ସୀମିତ ନଥିଲା । ସେ ମଦ ନିଶାରେ ଉନ୍ମତ୍ତ ହୋଇ ପର୍ସପୋଲିସ ସହରକୁ ଜଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ଦେଶର ଅନ୍ୟ କିଛି ସାଂସ୍କୃତିକ ଏବଂ ଧାର୍ମିକ ସ୍ଥଳକୁ ବ୍ୟାପକ ଭାବେ ନଷ୍ଟ କରିଥିଲେ ।
ଏହା ବି ପଢ଼ନ୍ତୁ... ପାକିସ୍ତାନକୁ ବେଜିତ୍ କଲା ଆମେରିକା, ଶାହବାଜଙ୍କ ଦାବିର ପର୍ଦ୍ଦାଫାସ କଲେ ଟ୍ରମ୍ପ
ତେବେ ଏହାସତ୍ତ୍ୱେ ସେ ପର୍ସିଆନ୍ ପୋଷାକ ଏବଂ ଦରବାର ସଭ୍ୟତାକୁ ଗ୍ରହଣ କରିଥିଲେ । ଆଲେକଜାଣ୍ଡରଙ୍କ ପରେ ତାଙ୍କର ଉତ୍ତରାଧିକାରୀ ବି କିଛି ବର୍ଷ ଧରି ଦେଶକୁ ଶାସନ କରିଥିଲେ । କିନ୍ତୁ ଇରାନୀମାନେ ପୁଣି ଉଠି ଛିଡ଼ା ହୋଇଥିଲେ । ୧୨୧୯-୧୨୫୮ ମଧ୍ୟରେ ମଙ୍ଗୋଲଙ୍କ ଶାସନ ସମୟରେ ବି ଇରାନ ବ୍ୟାପକ ଧ୍ୱଂସଲୀଳାର ସାକ୍ଷୀ ରହିଥିଲା । ଚେଙ୍ଗିଜ ଖାନ୍ ଏବଂ ତାଙ୍କ ନାତି ହୁଲାଗୁଙ୍କ ନେତୃତ୍ୱରେ ମଙ୍ଗୋଲଙ୍କ ଆକ୍ରମଣ ଦେଶର ଇତିହାସରେ ରକ୍ତରଞ୍ଜିତ ଘଟଣା ମଧ୍ୟରୁ ଅନ୍ୟତମ ଥିଲା । ଏହି ସମୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଅନେକ ପ୍ରମୁଖ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ଜଳସେଚନ ପ୍ରଣାଳୀ ନଷ୍ଟ ହୋଇଥିଲା । ସେହି ସ୍ଥିତିରୁ ବାହାରିବାକୁ ଦେଶକୁ ୮୦୦ ବର୍ଷ ଲାଗିଥିଲା । ତେବେ ପ୍ରାରମ୍ଭିକ ଭାବେ ସଂହାରଲୀଳା ରଚିବା ପରେ ମଙ୍ଗୋଲମାନେ ଦେଶର ପ୍ରଶାସନିକ ପଦ୍ଧତିକୁ ଗ୍ରହଣ କରିବା ସହ ପର୍ସିଆନ ଶୈଳୀରେ ସ୍ଥାପତ୍ୟ ନିର୍ମାଣ କରାଇଥିଲେ । ଦେଶର ବିଦ୍ୱାନମାନଙ୍କ ପୃଷ୍ଠପୋଷକତା କରିଥିଲେ । ଆଧୁନିକ ସମୟରେ ଇରାନର ସ୍ୱତନ୍ତ୍ର ବାହିନୀ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି) ବାରମ୍ବାର ଦେଶର ୬୦୦୦ ବର୍ଷ ପୁରୁଣା ସଭ୍ୟତା ଏବଂ ଆଧୁନିକ ପାଶ୍ଚାତ୍ୟ ଶକ୍ତିର ସଭ୍ୟତା ମଧ୍ୟରେ ତୁଳନା କରିଆସୁଛି । ବଳିଷ୍ଠ ନେତୃତ୍ୱ ତଥା ଇଚ୍ଛାଶକ୍ତି ଯୋଗୁ ଏହା ଟ୍ରମ୍ପଙ୍କୁ ନଇଁବାକୁ ବାଧ୍ୟ କରିଥିବା ଦାବି କରିଛି ।