ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଦେଖା ଦେଇ ଥିବା ଉତ୍ତେଜନା ଏବେ କେବଳ ଖବରକାଗଜର ଶିରୋନାମା ହୋଇ ରହି ନାହିଁ, ବରଂ ଏହା ସିଧାସଳଖ ଆପଣଙ୍କ ରୋଷେଇ ଘର ଏବଂ ପକେଟ୍ ଉପରେ ଆକ୍ରମଣ କରୁଛି। ବିଶ୍ୱର ସେହି ଭାଗରେ ଯେତେବେଳେ ବି କିଛି ହଲଚଲ ହୁଏ, ଭାରତ ଭଳି ଦେଶରେ ତାର ପ୍ରତିଧ୍ୱନି ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ପରିବା ମଣ୍ଡି ପର୍ଯ୍ୟନ୍ତ ଶୁଣା ଯାଏ। ବର୍ତ୍ତମାନର ସଙ୍କଟ ଯୋଗୁଁ Supply Chain ଏପରି ବାଧାପ୍ରାପ୍ତ ହୋଇଛି ଯେ, ସାଧାରଣ ମଣିଷ ପାଇଁ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ଏକ ବଡ଼ ଆହ୍ୱାନ ପାଲଟିଛି। ହୋର୍ମୁଜ୍ ଷ୍ଟ୍ରେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ବନ୍ଦ ହେବା ଯୋଗୁଁ ଆମଦାନୀ-ରପ୍ତାନିର ଗଣିତ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି।

ସବୁଠାରୁ ବଡ଼ ଝଟକା ରୋଷେଇ ଗ୍ୟାସ ମାଧ୍ୟମରେ ଲାଗିଛି। ଭାରତ ନିଜ ଆବଶ୍ୟକତାର ୬୦% LPG ବିଦେଶରୁ ମଗାଇଥାଏ, ଯାହାର ଏକ ବଡ଼ ଅଂଶ ସେହି ସାମୁଦ୍ରିକ ପଥ ଦେଇ ଆସେ , ଯାହା ଏବେ ଉତ୍ତେଜନା ଯୋଗୁଁ ବନ୍ଦ ରହିଛି। ଫଳରେ ଘରୋଇ ସିଲିଣ୍ଡର ଦାମ ୬୦ ଟଙ୍କା ବଢ଼ି ଥିବା ବେଳେ, କମର୍ସିଆଲ୍ ସିଲିଣ୍ଡର ଦରରେ ୯୯୩ ଟଙ୍କାର ବଡ଼ ବୃଦ୍ଧି ଘଟିଛି। ଏବେ ଦିଲ୍ଲୀରେ ଏହାର ଦାମ ୩,୦୭୧ ଟଙ୍କା ଏବଂ କୋଲକାତାରେ ୩,୩୫୫ ଟଙ୍କାରେ ପହଞ୍ଚିଛି।

ଡାଲି ଏବଂ ଖାଦ୍ୟ ତେଲର ଦର ମାର୍ଚ୍ଚ ମାସରୁ ଉପରମୁହାଁ ରହିଛି। ହରଡ଼ ଏବଂ ମୁଗ ଡାଲି ସହ ପାମ୍ ଅଏଲ ମଧ୍ୟ ୫% ମହଙ୍ଗା ହୋଇଛି। କିଛି କମ୍ପାନୀ ଦାମ ନବଢ଼ାଇ ପ୍ୟାକେଟର ଓଜନ କମାଇ ଦେଇଛନ୍ତି; ଯେପରିକି ପାର୍ଲେ-ଜିର ୫ ଟଙ୍କିଆ ପ୍ୟାକେଟ ଏବେ ୫୦ ଗ୍ରାମ ବଦଳରେ ୪୫ ଗ୍ରାମ ହୋଇଯାଇଛି। ସେହିପରି ଅଶୋଧିତ ତୈଳ ଦର ବଢ଼ିବା ଯୋଗୁଁ ଚିନି ଦାମ ମଧ୍ୟ ବଢ଼ିଛି, କାରଣ ଏବେ ଆଖୁରୁ ଇଥାନଲ ତିଆରି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ପେଟ୍ରୋଲ ଏବଂ ଡିଜେଲ ଦରରେ ୨୫ ରୁ ୨୮ ଟଙ୍କା ବୃଦ୍ଧି ହେବାର ଆଶଙ୍କା ଦେଖା ଦେଇଛି। ଡିଜେଲ ମହଙ୍ଗା ହେବା କାରଣରୁ ଟ୍ରକ ଭଡ଼ା ବଢ଼ୁଛି, ଯାହା ଫଳରେ ଫଳ ଏବଂ ପରିବା ଦର ଆକାଶ ଛୁଆଁ ହେଉଛି। ବିଶେଷଜ୍ଞଙ୍କ ଅନୁସାରେ, ଆଗାମୀ ସମୟରେ ହାରାହାରି ମୁଦ୍ରାସ୍ଫୀତି ହାର ୪.୮% ପର୍ଯ୍ୟନ୍ତ ଯାଇ ପାରେ।

ଜେଟ୍ ଫ୍ୟୁଏଲ୍ ( ATF )ର ଦର ବ୍ୟାରେଲ ପିଛା ୮୦ ଡଲାରରୁ ବଢ଼ି ୧୯୦ ଡଲାର ହୋଇ ଯାଇଛି। ଏୟାର ଇଣ୍ଡିଆ ଭଳି କମ୍ପାନୀଗୁଡ଼ିକ ନିଜର ଉଡ଼ାଣ ସଂଖ୍ୟା କମାଇ ଦେଇଛନ୍ତି। ବିଶେଷ କରି ଉପସାଗରୀୟ ଦେଶଗୁଡ଼ିକରେ କାମ କରୁ ଥିବା ଶ୍ରମିକଙ୍କ ପାଇଁ ଘରକୁ ଆସିବା ଏବେ ଏକ ସ୍ୱପ୍ନ ପାଲଟିଛି।

ଜୀବନ ରକ୍ଷାକାରୀ ଔଷଧ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ (API) ର ଦାମ ୨୦୦% ରୁ ୩୦୦% ପର୍ଯ୍ୟନ୍ତ ବଢ଼ି ଯାଇଛି। ପାରାସିଟାମୋଲ୍ର କଞ୍ଚାମାଲ ଯାହା ୨୫୦ ଟଙ୍କା ଥିଲା, ତାହା ଏବେ ୪୫୦ ଟଙ୍କା ହୋଇଛି। ଏହା ବ୍ୟତୀତ ସାବୁନ୍, ସ୍ୟାମ୍ପୁ ଏବଂ ଡିଟରଜେଣ୍ଟ ଭଳି ସାମଗ୍ରୀର ଦାମ ମଧ୍ୟ ୮% ରୁ ୧୫% ବଢ଼ିବାକୁ ଯାଉଛି। ପ୍ଲାଷ୍ଟିକ୍ ଜିନିଷର ଦର ମଧ୍ୟ ନାଫ୍ଥା ଏବଂ ପଲିମରର ଦର ବୃଦ୍ଧି ଯୋଗୁଁ ବଢ଼ିବାରେ ଲାଗିଛି।

ବିଶ୍ୱ ବଜାରରେ ୟୁରିଆ ସାରର ମୂଲ୍ୟ ଟନ୍ ପିଛା ୫୦୦ ଡଲାରରୁ ବଢ଼ି ୭୦୦ ଡଲାର (ପାଖାପାଖି ୪୨ ହଜାରରୁ ୫୮,୮୦୦ଟଙ୍କାରେ ପହଞ୍ଚିଛି। ଯଦିଓ ସରକାର ସବସିଡି ଦେଉଛନ୍ତି, କିନ୍ତୁ ସାରର ଅଭାବ ହେଲେ ଖାଦ୍ୟଶସ୍ୟ ଦର ବଢ଼ିପାରେ। ସେହିପରି ଷ୍ଟିଲ୍ ଏବଂ ରଡ୍ ମହଙ୍ଗା ହେବା ଯୋଗୁଁ ଘର ତିଆରି କରିବା ମଧ୍ୟ ଏବେ ବହୁତ ବ୍ୟୟବହୁଳ ହୋଇପଡ଼ିଛି।