ଏ ସପ୍ତାହରେ ଥିଏଟରରେ ରିଲିଜ ହେଉଛି ଏକାଧିକ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେମା । ଏସବୁ ଚଳଚ୍ଚିତ୍ର ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଦେବା ପାଇଁ ପ୍ରସ୍ତୁତ ହୋଇ ଆସୁଛନ୍ତି । ଏସବୁ ସିନେମା ମଧ୍ୟରେ ରହିଛି କ୍ରାଇମ୍‌ ଥ୍ରୀଲର୍‌ଠୁ ଆରମ୍ଭ କରି ସୋସିଆଲ ଡ୍ରାମା ଓ କମେଡି । ଏ ଦୃଷ୍ଟିରୁ ବିଚାର କଲେ ଫେବ୍ରୁଆରୀ ଶେଷ ସପ୍ତାହ ଦର୍ଶକଙ୍କ ପାଇଁ ଏଣ୍ଟରଟେନ୍‌ମେଣ୍ଟର ଫୁଲ୍‌ ପ୍ୟାକେଜ୍‌ କହିବା ଠିକ୍‌ ହେବ । ପଢ଼ନ୍ତୁ ଫେବ୍ରୁଆରୀ ୨୭ରେ ଶୁଭମୁକ୍ତି ଲାଭ କରୁଥିବା ସିନେମାଗୁଡ଼ିକ ସମ୍ପର୍କରେ । 

ଦ କେର୍‌ଲା ଷ୍ଟୋରୀ ୨ : ଗୋଜ୍‌ ବିୟଣ୍ଡ 
‘ଦ କେର୍‌ଲା ଷ୍ଟୋରୀ : ଗୋଜ୍‌ ବିୟଣ୍ଡ’, ୨୦୨୩ରେ ମୁକ୍ତିପ୍ରାପ୍ତ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର, ‘ଦ କେର୍‌ଲା ଷ୍ଟୋରୀ’ର ସ୍ପିରିଚୁଆଲ ସିକ୍ୱେଲ । ଏହା ଜଣେ ମହିଳା, ଜଣେ ବୁଦ୍ଧିଜୀବୀ, ଜଣେ କ୍ରୀଡ଼ାବିତ୍‌ ଓ ଜଣେ ନୃତ୍ୟଶିଳ୍ପୀଙ୍କ କାହାଣୀ । ଏ ସମସ୍ତେ ବିବାହ କରନ୍ତି, ଅଥଚ ସେମାନଙ୍କର ଦାମ୍ପତ୍ୟ ସଫଳ ହୁଏ ନାହିଁ । ସମସ୍ତେ ଧୋକା ଖାଆନ୍ତି ଓ ବିଶ୍ୱାସଘାତକତା, ପ୍ରତାରଣାର ଶିକାର ହୁଅନ୍ତି ଓ ବର୍ବାଦ ହୋଇଯାଆନ୍ତି । ଏ ସିନେମା ହଜେଇ ସାରିଥିବା ସାମର୍ଥ୍ୟ, ଜୋର୍‌ ଜବରଦସ୍ତ ଧର୍ମ ପରିବର୍ତ୍ତନ ଓ ପରିଚୟ ପୁଣି ଥରେ ଫେରି ପାଇବାକୁ ସଂଘର୍ଷ ଭଳି ବିଷୟବସ୍ତୁକୁ ନେଇ ଗତିଶୀଳ ହୋଇଛି । ଏ ଫିଲ୍ମରେ ଐଶ୍ୱର୍ଯ୍ୟା ଓଝା, ଅଲକା ଗୁପ୍ତା ଓ ଅଦିତି ଭାଟିୟା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ୨୭ ତାରିଖରେ ଏ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । 

ମସ୍ତିଷ୍କା ମରଣମ୍‌ 
କୃଷ୍ଣନ୍ଦ ଦ୍ୱାରା ନିର୍ଦ୍ଦେଶିତ ‘ମସ୍ତିଷ୍କା ମରଣମ୍‌’ ଏକ ମଲାୟାଲମ ସାଇନ୍ସ-ଫିକ୍ସନ ଥ୍ରୀଲର । ୨୦୪୬ ମସିହାକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଛି । ଫିଲ୍ମର କାହାଣୀ ଜଣେ ଦୁଃଖୀ ବାପା (ନିରଜ ଭାଟିଆନାପିଲ୍ଲା ରାଜା)ଙ୍କ ଉପରେ ଦୃଶ୍ୟାୟିତ ହୋଇଛି । ଏହି ବ୍ୟକ୍ତି ନିଜର ହରେଇ ସାରିଥିବା ପିଲାଙ୍କୁ ପୁଣି ଥରେ ଭେଟିବାକୁ ଚାହାନ୍ତି । ଏଥିପାଇଁ ସେ ଏକ ବିପଜ୍ଜନକ ଭର୍ଚୁଆଲ ରିୟଲିଟି ମେମୋରି ଗେମ୍‌ରେ ପ୍ରବେଶ କରିଯାଆନ୍ତି । ଏହି ଫିଲ୍ମଟି ମଧ୍ୟ ୨୭ ତାରିଖ ଶୁକ୍ରବାର ପ୍ରେକ୍ଷାଳୟକୁ ଆସିବ । 

ଆଜି 
‘ଆଜି’ ଏକ ତାମିଲ ଆକ୍ସନ-ଡ୍ରାମା ଚଳଚ୍ଚିତ୍ର, ଯାହାକୁ ମାଧବ ରାମଦାସନ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଆର୍‌ ଶରଥ କୁମାର ଲିଡ ରୋଲ୍‌ରେ ଅଭିନୟ କରିଛନ୍ତି । ଏ ଫିଲ୍ମର କାହାଣୀ ସମୁଦ୍ର ତଟରେ, ବିଶେଷକରି ନାଗରକୋଏଲ ପୃଷ୍ଠଭୂମିରେ ନିର୍ମିତ ହୋଇଛି । ଏହି ଫିଲ୍ମର କଥାବସ୍ତୁ ଜଣେ ଉତ୍ସର୍ଗୀକୃତ ବାପାଙ୍କର, ଯିଏ ଜଣେ ବୋଟ୍‌ ମେକାନିକ । ଯେତେବେଳେ ସେ ଜାଣିପାରନ୍ତି ଯେ, ତାଙ୍କ ଝିଅ ଅରୁଲ ନାମକ ଜଣେ ଯୁବକକୁ ପ୍ରେମ କରୁଛି, ସେତେବେଳେ ଓ ତା’ର ପରବର୍ତ୍ତୀ ସମୟରେ ସେ ଯାହା ସବୁ କରନ୍ତି ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି । ‘ଆଜି’ ମଧ୍ୟ ଫେବ୍ରୁଆରୀ ୨୭ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି । 

ଥାଇ କିଜାବି 
‘ଥାଇ କିଜାବି’ ଏକ ତାମିଲ ସିନେମା । ଏହା ଏକ ତାମିଲ ଗାଁର ପୃଷ୍ଠଭୂମିରେ ନିର୍ମିତ, ଯେଉଁଥିରେ ଦର୍ଶକ ଦେଖିବେ କମେଡି-ଡ୍ରାମା । ଶିବକୁମାର ମୁରୁଗେସନ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ରାଧିକା ଶରଥ କୁମାର ପାବୁନୁଥାୟୀ ଚରିତ୍ର ନିର୍ବାହ କରିଛନ୍ତି, ଯିଏ ଗାଁର ଜଣେ ମଜବୁତ, ଶକ୍ତ ବୟସ୍କ ମହିଳା ମୁଖିଆ । ଏହି ଫିଲ୍ମଟି ପରିବାରର ଡାୟନୋମିକ୍ସକୁ ନିୟନ୍ତ୍ରଣ କରିବା, କରଜ ପରିଚାଳନା କରିବା ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଥିବା ଜଣେ ମହିଳାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି । ଏ ଫିଲ୍ମଟି ମଧ୍ୟ ୨୭ ତାରିଖରେ ରିଲିଜ ହେବାକୁ ଯାଉଛି ।

​​​​​​​