ଭୁବନେଶ୍ୱର,୦୩/୧୧: ପୁରୁଣା ଜୋତା ଫିଙ୍ଗନ୍ତୁନି କି ଘର କୋଣରେ ପକାଇ ରଖନ୍ତୁନି । କାରଣ ଆପଣଙ୍କ ପୁରୁଣା ଜୋତା ଆଉ କାହା ଫୁଙ୍ଗୁଳା ପାଦକୁ ସୁରକ୍ଷା ଦେଇପାରିବ । ଗରିବ, ଅସହାୟଙ୍କ ଲାଗି ଜୋତା ଯୋଗାଡ କରୁଛନ୍ତି ସାମାଜିକ କର୍ମୀ ଗଗନ ବିହାରୀ ପାଇଟାଳ । ଏଥିଲାଗି ସେ ଲୋକଙ୍କୁ ପୁରୁଣା ଜୋତା ନ ଫିଙ୍ଗି, ସେଗୁଡିକୁ ଦାନ କରିଦେବାକୁ ଅନୁରୋଧ କରୁଛନ୍ତି ।
ସାଧାରଣତଃ ପିଲା ବଡ଼ ହୋଇଗଲେ ଘରେ ଅଲୋଡା ହୋଇପଡେ ପୁରୁଣା ଜୋତା । ସେହିପରି ଅନେକ ଲୋକଙ୍କର ଭଳି କି ଭଳି ଜୋତା ପିନ୍ଧିବାର ମଧ୍ୟ ସଉକ ଥାଏ । ତେଣୁ ପୁରୁଣା ଜୋତା ଘରେ ପଡିରହିଥାଏ । ଅନ୍ୟପଟେ ସମାଜରେ ଆଜି ବି ଏଭଳି ଗରିବ, ଅସହାୟ ଅଛନ୍ତି ଯେଉଁମାନେ ଜୋତା ପିନ୍ଧିବାକୁ ପାଉନାହାନ୍ତି । ତେଣୁ ସେମାନଙ୍କ ପାଦରେ ଜୋତା ପିନ୍ଧାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ଗଗନ । ନିଜ ପ୍ରଚେଷ୍ଟାରେ ଏବଂ ପରିବାରର ସହଯୋଗରେ ସେ ସଂଗ୍ରହ କରୁଛନ୍ତି ପୁରୁଣା ଜୋତା । ସେ ସେଗୁଡିକୁ ସଫା କରି, ନୂଆ ଭଳି କରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏଥିଲାଗି ସେ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ୍ କରୁଛନ୍ତି । ସେ ଏଥିରେ ନିଜ ଘରର ଠିକଣା ଏବଂ ଫୋନ ନମ୍ବର ମଧ୍ୟ ଦେଉଛନ୍ତି । ସୋସିଆଲ ମିଡିଆରେ ଗଗନଙ୍କ ଏଭଳି ଉଦ୍ୟମକୁ ଖୁବ୍ ପ୍ରଶଂସା ମିଳିଛି ।
ତେବେ କେବଳ ଜୋତା ନୁହେଁ, ବସ୍ତ୍ର, କନ୍ଥା, ଖେଳନା ତଥା ଅନ୍ୟାନ୍ୟ ଘରୋଇ ଉପକରଣ ମଧ୍ୟ ସଂଗ୍ରହ କରି ଅଭାବୀଙ୍କୁ ବାଣ୍ଟିଥାନ୍ତି ଗଗନ । ଦୀର୍ଘ ୧୦ ବର୍ଷ ହେଲା ସେ ଏହି କାର୍ଯ୍ୟରେ ମନ ଲଗାଇଛନ୍ତି । ସ୍ଥାନୀୟ ମଞ୍ଚେଶ୍ୱର ଚକେଇସିଆଣିସ୍ଥିତ ମଙ୍ଗଳା ମନ୍ଦିର ସାମ୍ନାରେ ନିଜ ବାସଭବନରେ ହିଁ ଗଗନ ଏକ ଷ୍ଟୋର୍ ଖୋଲିଛନ୍ତି । ସେ ସେଠାରେ ପୁରୁଣା ବସ୍ତ୍ର ଓ ସାମଗ୍ରୀ ସାଇତି ରଖିଛନ୍ତି । ଷ୍ଟୋର୍ର ନାମ ଦେଇଛନ୍ତି ‘ବଳକା ଥିଲେ ଦେଇ ଯାଆନ୍ତୁ, ଆବଶ୍ୟକ ଥିଲେ ନେଇ ଯାଆନ୍ତୁ’ । ଯେକୌଣସି ବ୍ୟକ୍ତି ଜୋତା, ବସ୍ତ୍ର, ଅନ୍ୟ ସାମଗ୍ରୀ ଏଠାକୁ ଆସି ଦାନ କରିପାରିବେ କିମ୍ବା ମାଗଣା ନେଇପାରିବେ । ଏବେ ସୁଦ୍ଧା ପ୍ରାୟ ୨୬ ଜିଲ୍ଲାରେ ସବୁ ବୟସ ଓ ବର୍ଗର ଅଭାବୀ ଲୋକଙ୍କ ନିକଟରେ ସେ ସାମଗ୍ରୀ ପହଞ୍ଚାଇପାରିଛନ୍ତି । ନିକଟରେ ସେ କେତେକ ଗରିବ ଲୋକଙ୍କୁ ଡୋର୍ ସ୍କ୍ରିନ୍ ବାଣ୍ଟିଛନ୍ତି ।
୬୫ ବର୍ଷୀୟ ଗଗନ ଡାକ ବିଭାଗରୁ ଅବସର ନେବା ପରେ ୧୯୮୫ରୁ ସମାଜସେବା ଆରମ୍ଭ କଲେଣି । ସେ ପୂର୍ବରୁ ଅଜଣା, ଅଚିହ୍ନା ଶବ ସତ୍କାର କରିବା ସହ ସେମାନଙ୍କ ଅଙ୍ଗଦାନ କରାଉଥିଲେ । ଗଗନଙ୍କ ମତରେ ଗରିବଙ୍କ ସେବା ହିଁ ପରମେଶ୍ୱରଙ୍କ ସେବା ।