ଢେଙ୍କାନାଳ,୦୫/୧୦: ଦିନ ଯେତେ ପାଖେଇ ଆସୁଛି, ଲକ୍ଷ୍ମୀ ପୂଜାର ମାହୋଲ  ସେତେ ସରଗରମ୍‌ ହେବାରେ ଲାଗିଛି ।  ଦିନରାତି ଏକ କରି ପୂଜା କମିଟି କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ମୂର୍ତ୍ତି କାରିଗର, ତୋରଣ  କାରିଗର ଲାଗି ପଡ଼ିଛନ୍ତି । ଢେଙ୍କାନାଳ ଲକ୍ଷ୍ମୀପୂଜାର ଅନ୍ୟତମ ପୂଜା ପ୍ରତିଷ୍ଠାନ ଗଣେଶ ବଜାରର ସୌଭାଗ୍ୟଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମଧ୍ୟ ନିଜର ପ୍ରସ୍ତୁତିକୁ ଜୋରଦାର୍‌ କରିଛି । ଏଠାରେ ମା’ଙ୍କର ଚାନ୍ଦିମେଢ଼  କରାଯାଇଥାଏ । ଏଥର ବି ମା’ ୩ କୁଇଣ୍ଟାଲ ଚାନ୍ଦି ଓ ୧ କେଜି ଓଜନର ସୁନା ମୁକୁଟରେ ଝଟକିବେ । ଯାହା ଏହି ପୂଜା ପ୍ରତିଷ୍ଠାନର  ଅନ୍ୟତମ ଆକର୍ଷଣ । 

ଏହି ପ୍ରତିଷ୍ଠାନରେ ୧୯୩୯ ମସିହାରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ସେତେବେଳେ ଗଣେଶ ବଜାର ଛକରେ ଏକ ବର ଓ ଅଶ୍ୱତ୍ଥ ଗଛ ରହିଥିଲା । ତାହାରି ମୂଳରେ ଏକ ମା’ଙ୍କର ଏକ ପଥର ମୂର୍ତ୍ତି ପୂଜା କରାଯାଉଥିଲା । ୧୯୪୮ରୁ ମୃଣ୍ମୟୀ  ମୂର୍ତ୍ତି ପୂଜା କରାଯାଉଛି । ମାତ୍ର ଏବେବି ସେହି ପଥର ମୂର୍ତ୍ତି ପୂଜା ପାଉଛନ୍ତି । ପ୍ରତିଷ୍ଠାନ ଗତବର୍ଷ ତାର ପ୍ଲାଟିନମ୍‌ ଜୁବୁଲି ପାଳନ କରି  ଏଥର ୭୬ ବର୍ଷରେ ପହଞ୍ଚିଛି। ତୃତୀୟ  ଚାନ୍ଦିମେଢ଼ର ମାନ୍ୟତା ପାଇଥିବା ବେଳେ  ଗତବର୍ଷ ପ୍ଲାଟିନମ୍‌ ଜୁବୁଲିକୁ ସ୍ମରଣୀୟ  କରିବାକୁ କୋଟିଏ ଟଙ୍କା ବ୍ୟୟରେ ୧ କେଜି ଓଜନର ସୁନାରେ ତିଆରି ମୁକୁଟ ମା’ଙ୍କୁ  ଲାଗି କରାଯାଇଥିଲା । ଯାହା ଅନ୍ୟତମ  ଆକର୍ଷଣ ପାଲଟିଥିଲା । ମା’ ଏଠାରେ  ସୌଭାଗ୍ୟଲକ୍ଷ୍ମୀ ଭାବେ ଛିଡ଼ା ହେବା ମୁଦ୍ରାରେ  ପୂଜା ପାଇଥାନ୍ତି । ପରମ୍ପରା ଅନୁସାରେ ମା’ଙ୍କୁ  ପିନ୍ଧା ଯାଉଥିବା ଶାଢ଼ିକୁ ନେଇ ଘରେ ସାଇତି ରଖାଯାଇଥାଏ। ରାଧାଷ୍ଟମୀରୁ ମାଟି ଉଠାଯାଇ  ମୂର୍ତ୍ତିକାମ ଚାଲିଥିବା ବେଳେ ଆଜି ଶୁକ୍ରବାର  ଦୋମାଟିଆ କାମ କରାଯାଉଛି ।

ଚଳିତ ବର୍ଷ  ଅତୁଲ୍ୟ କୁମାର ନାୟକ ଓ ତାଙ୍କ ପତ୍ନୀ କର୍ତ୍ତା  ଦାୟିତ୍ୱ ତୁଲାଇବେ । ପ୍ରତିଦିନ ମା’ଙ୍କ ପାଖରେ  ପୁରୀ, ଖିରୀ ଭୋଗ ହୋଇଥାଏ । ଭୋଗକୁ  ଶ୍ରଦ୍ଧାଳୁ ଅତି ଶ୍ରଦ୍ଧାରେ କିଣି ନେଇଥାନ୍ତି ।  ପୂଜାକୁ ବିଶେଷ ଗୁରୁତ୍ୱ ଦେଇ ପାରମ୍ପରିକ  ରୀତିନୀତିରେ ପୂଜା କରାଯାଇଥାଏ । ପୂଜା ସହ ସାଜସଜ୍ଜାକୁ କମିଟି ବେଶ୍‌  ଗୁରୁତ୍ୱ ଦେଇଛି । ପ୍ରତିବର୍ଷ ଗଣେଶ ବଜାରରେ  ଭିନ୍ନଭିନ୍ନ ଗେଟ୍‌ ବା ତୋରଣ  ଅନ୍ୟତମ ଆକର୍ଷଣ ପାଲଟିଥିବା  ବେଳେ ଚଳିତ ବର୍ଷ ଆକର୍ଷଣ  ସାଜିବ ନ୍ୟୁ ଭିକ୍ଟୋରିଆ ପ୍ୟାଲେସ । ଏଥିସହ ୪ଟି ଲାଇଟ୍‌ ଗେଟ୍‌  କରାଯାଉଛି । 

ପୂଜା ମଧ୍ୟରେ କୌଣସି  ଏକ ଦିନ ପ୍ରାୟ ଅଢ଼େଇ ହଜାର  ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ । ଭସାଣିକୁ ବି ଆକର୍ଷଣୀୟ  କରିବାକୁ ବିଶାଖାପାଟନାରୁ ବ୍ୟାଣ୍ଡ୍‌ ଆସିବା  ସହ କଟକ ଲାଇଟ୍‌ର ବ୍ୟବସ୍ଥା କରାଯାଇଛି । କମିଟିର ଅଧ୍ୟକ୍ଷ ସେଖ୍‌ ହୁସେନ୍‌, ମୁଖ୍ୟ  ଉପଦେଷ୍ଠା ବସନ୍ତ କୁମାର ସାହୁ, ବିଶ୍ୱନାଥ  ବେହେରା, ଉପସଭାପତି ଶରତ କୁମାର ସାହୁ, ସହସମ୍ପାଦକ ମାନସ ସାହୁ ପ୍ରମୁଖ ସମସ୍ତ  କର୍ମକର୍ତ୍ତା ପ୍ରସ୍ତୁତିରେ ଲାଗିଛନ୍ତି ।