ନୂଆଦିଲ୍ଲୀ,୦୪/୦୨; ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସହର ଅନ୍ତର୍ଗତ ରୋଭିଲ୍ଲେ ଠାରେ ଅଷ୍ଟ୍ରେଲୀୟ-ଭାରତୀୟ କମ୍ୟୁନିଟି ସେଣ୍ଟର ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ମହାତ୍ମା ଗାନ୍ଧୀଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ କେହି ଚୋରି କରିନେଇଯାଇଛି । ନୂଆଦିଲ୍ଳୀରେ ଥିବା ଇଣ୍ଡିଆନ କାଉନସିଲ ଫର କଲ୍ଚରାଲ ରିଲେସନ (ଆଇସିସିଆର) ପକ୍ଷରୁ ଏହି ପ୍ରତିମୂର୍ତ୍ତିଟି ଉପହାର ଭାବେ ଦିଆଯାଇଥିଲା । ଅଷ୍ଟ୍ରେଲିଆରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ସଂସ୍କୃତି, ପରମ୍ପରା ଓ ଇତିହାସର ପ୍ରତୀକ ଥିଲା ଏହି ପ୍ରତିମୂର୍ତ୍ତି ।
ଏହି ପ୍ରତିମୂର୍ତ୍ତିଟିକୁ ସୋମବାର ବିଳମ୍ବିତ ରାତି ୧୨ଟା ୫୦ରେ କେହି ଚୋରି କରିନେଇଛି । ଏହା ସମ୍ପୂର୍ଣ୍ଣ ବ୍ରୋଞ୍ଜରେ ନିର୍ମିତ ହୋଇଥିଲା ବେଳେ ଓଜନ ଥିଲା ୪୨୬ କିଲୋଗ୍ରାମ । ଅଷ୍ଟ୍ରେଲିଆର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହାର ଭିଡିଓ ସାମ୍ନାକୁ ଆସିଛି । ସେଥିରେ ଦେଖିବାକୁ ମିଳିଛି କି ପ୍ରତିମୂର୍ତ୍ତିଟିର ପାଦ ଉପରୁ କେହି କାଟି ନେଇଛି । କେବଳ ପାଦର ଅଳ୍ପ କିଛି ଅଂଶ ବାକି ରହିଛି । ବିଦ୍ୟୁତ ଚାଳିତ କରତ ସହାୟତାରେ ତାକୁ କଟାଯାଇଥିବା ଅନୁମାନ କରାଯାଉଛି । ଭିକ୍ଟୋରିଆ ପୁଲିସର ନକ୍ସ କ୍ରାଇମ ଇନଭେଷ୍ଟିଗେସନ ୟୁନିଟ ଘଟଣାର ତଦନ୍ତ କରୁଛି । ୨୦୨୧ ନଭେମ୍ବର ୧୨ରେ ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହାର ଉଦ୍ଘାଟନ କରିଥିଲେ । ଉଦ୍ଘାଟନର ୨୪ ଘଣ୍ଟାରେ ଏହା ଭଙ୍ଗାରୁଜା କରାଯାଇଥିଲା ।
ଏହା ବି ପଢନ୍ତୁ...ଯୁବ ବ୍ୟବସାୟୀଙ୍କୁ ପିଟି ପିଟି ମାରି ଦେଲେ ଡେଲିଭରୀ ବୟେଜ୍ ; ଦୁଇ ଗିରଫ , ଜଣେ ଫେରାର
ଭାରତର କାର୍ଯ୍ୟାନୁଷ୍ଠାନ ଦାବି- ଏହି ଘଟଣାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି । ଏ ନେଇ ଅଷ୍ଟ୍ରେଲୀୟ ପ୍ରଶାସନକୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହା ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସେହି ସ୍ଥାନରେ ସ୍ଥାପନ କରିବାକୁ ଦାବି କରିଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈୟୱାଲ ଗଣମାମଧ୍ୟମ ସହ ଆଲୋଚନା କରି କହିଛନ୍ତି ଭାରତ ଏହି ଘଟଣାକୁ ନିନ୍ଦା କରୁଛି । ସେ କହିଛନ୍ତି, ମେଲବୋର୍ଣ୍ଣର ରୋଭିଲରେ ଥିବା ଅଷ୍ଟ୍ରେଲୀୟ ଭାରତୀୟ ସମ୍ପ୍ରଦାୟ କେନ୍ଦ୍ରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଅଜଣା ବ୍ୟକ୍ତିମାନେ ଭଙ୍ଗାରୁଜା କରିବା ଘଟଣାକୁ ଆମେ ନିନ୍ଦା କରୁଛୁ । ସେଠାରେ ତୁରନ୍ତ ଗାନ୍ଧୀଙ୍କ ପ୍ରତିମା ପୁନଃରୁଦ୍ଧାର କରାଯାଇ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।''