ନୂଆଦିଲ୍ଲୀ : ଆମେରିକାରୁ ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ ବିଷ୍ନୋଇ । ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଏବଂ ବାବା ସିଦ୍ଦିକି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ। ଆଜି ତାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି । ସେ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ NIA ଗିରଫ କରିଛି । କେବଳ ଅନମୋଲ ନୁହଁନ୍ତି ଅନ୍ୟ ନିର୍ବାସିତ ମାନଙ୍କୁ ମଧ୍ୟ ସେହି ବିମାନରେ ଭାରତ ଅଣାଯାଇଛି ।

ଆମେରିକାରେ ରହୁଥିବା ଅନମୋଲ ବିଷ୍ନୋଇ ୨୦୨୨ ମସିହାରୁ ପଳାତକ ଥିଲେ। ସେ ଜେଲରେ ଥିବା ତାଙ୍କ ଭାଇ ଲରେନ୍ସ ବିଷ୍ନୋଇଙ୍କ ଦ୍ୱାରା ପରିଚାଳିତ ଆତଙ୍କୀ ସିଣ୍ଡିକେଟ୍ର ୧୯ ତମ ଅଭିଯୁକ୍ତ। ମାର୍ଚ୍ଚ ୨୦୨୩ ରେ ତାଙ୍କ ବିରୁଦ୍ଧରେ NIA ଏକ ଚାର୍ଜସିଟ୍ ଦାଖଲ କରିଥିଲା। NIAର ତଦନ୍ତ ଅନୁଯାୟୀ, ଅନମୋଲ ୨୦୨୦ ରୁ ୨୦୨୩ ମଧ୍ୟରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛନ୍ତି, ଯେଉଁଥିରେ ଗୋଲଡି ବରାଡ ଏବଂ ଲରେନ୍ସ ବିଷ୍ନୋଇଙ୍କୁ ସିଧାସଳଖ ସହାୟତା କରିଥିଲେ। ସେ ଭାରତରେ ବିଭିନ୍ନ ଘଟଣାରେ ଯୋଜନା କରିବା ଏବଂ ମୁଖ୍ୟ ଭୂମିକା ଗ୍ରହଣ କରିବାରେ ସାମିଲ ଥିଲେ।

ଅନମୋଲ ଆମେରିକାରୁ ବିଷ୍ନୋଇ ଗ୍ୟାଙ୍ଗର ନେଟୱାର୍କ ପରିଚାଳନା କରୁଥିଲେ। ସେ ଗ୍ୟାଙ୍ଗର ସୁଟର ଏବଂ ଗ୍ରାଉଣ୍ଡ ଅପରେଟରଙ୍କୁ ଆଶ୍ରୟ ଏବଂ ନ୍ୟାୟିକ ସହାୟତା ଯୋଗାଇ ନିର୍ଦ୍ଦେଶ ଦେଉଥିଲେ। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅନମୋଲ ବିଦେଶରେ ଥାଇ ଭାରତରୁ ଟଙ୍କା ଆଦାୟ କରୁଥିଲେ। ସେ ଗ୍ୟାଙ୍ଗର କାର୍ଯ୍ୟକଳାପ ପରିଚାଳନା ପାଇଁ ଅନ୍ୟ ଗ୍ୟାଙ୍ଗଷ୍ଟରଙ୍କ ସାହାଯ୍ୟ ନେଇଥିଲେ।

ଅନମୋଲ ବିଷ୍ନୋଇ ଅନେକ ହାଇ-ପ୍ରୋଫାଇଲ୍ ମାମଲାରେ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ପରବର୍ତ୍ତୀ ସମୟରେ କେଉଁ ଏଜେନ୍ସିକୁ ତାଙ୍କ ହେପାଜତ ପ୍ରଦାନ କରାଯିବ ତାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ମହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଏପ୍ରିଲ ୨୦୨୪ ଗୁଳିକାଣ୍ଡ ମାମଲାରେ ଅନମୋଲ ମଧ୍ୟ ୱାଣ୍ଟେଡ୍। ମୁମ୍ବାଇ ପୋଲିସ ତାଙ୍କୁ ହେପାଜତକୁ ନେବା ପାଇଁ କୋର୍ଟରେ ଆବେଦନ କରିବ।

ମୁମ୍ବାଇ ପୋଲିସ ଅନମୋଲ ପାଇଁ ଦୁଇଟି ପ୍ରତ୍ୟର୍ପଣ ଅନୁରୋଧ ପଠାଇଥିଲା ଏବଂ ସାରା ଦେଶରେ ତାଙ୍କ ବିରୁଦ୍ଧରେ ଅନେକ ମାମଲା ପଞ୍ଜିକୃତ ହୋଇଛି। NIA ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା। ଅନମୋଲ ବିଷ୍ନୋଇଙ୍କ ନାମ ୨୦୨୨ ମସିହାରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ମଧ୍ୟ ସାମ୍ନାକୁ ଆସିଥିଲା। ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୨୦୨୪ ଅକ୍ଟୋବର ୧୨ ତାରିଖରେ ବାନ୍ଦ୍ରାରେ ତାଙ୍କ ପୁଅଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।