ଭୁବନେଶ୍ୱର, ୨୧/୦୫ : ଖଣ୍ଡଗିରି ଛକ ଓଭରବ୍ରିଜ୍ ତଳେ ଜଣେ ବ୍ୟକ୍ତି ଡିଭାଇଡରରେ ବସିଥିଲେ । ଏକ ଲୟରେ ପୂର୍ବ ଦିଗକୁ ଅନେଇଥିଲେ । ଓଭରବ୍ରିଜ୍ ତଳେ ଭୁସ୍ଭାସ୍ ଗାଡିମୋଟର ଯା’ଆସ କରୁଥିଲା । ଟିକେ ବି ହଲ୍ଚଲ୍ ହେଉନଥିଲେ । ଓଳିଏ କି ଦିନେ ନୁହେଁ, ୩ ଦିନ ଧରି ଏମିତି ଚୁପ୍ଚାପ୍ ବସି ରହିଥିଲେ । ଘଟଣା କ’ଣ ବୁଝୁ ବୁଝୁ ଜଣାପଡ଼ିଲା ଯେ ବ୍ୟକ୍ତିଜଣକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ସନ୍ୟାସୀ ସାହୁ । ତାଙ୍କ ପୁଅ ଅମ୍ବିକା ପ୍ରସାଦ ସାହୁ ଓରଫ୍ ଶୁଭମ୍ ଦୀର୍ଘ ୮ ମାସ ଧରି ନିଖୋଜ ଅଛନ୍ତି । ତାଙ୍କ ପୁଅ ଯୁକ୍ତ ୨ ସାଇନ୍ସ ପାସ୍ କରିବା ପରେ ଇଞ୍ଜିନିୟରିଂ କରିବ ବୋଲି ଇଚ୍ଛା କଲା । ଗରିବ ଲୋକ ହୋଇଥିବାରୁ ସନ୍ୟାସୀ ପ୍ରଥମେ ପାଠ ପଢ଼ାଇବାକୁ ମନା କଲେ । ପୁଅ ଜିଦ୍ ଧରିବାରୁ ସନ୍ୟାସୀ ବାଧ୍ୟ ହୋଇ ଏକ ଲକ୍ଷ ଟଙ୍କା ପୁଅ ହାତରେ ଧରାଇ ଭୁବନେଶ୍ୱରକୁ ପଠାଇଥିଲେ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ଲକ୍ଷ ଟଙ୍କାରେ ବି-ଟେକ୍ ପଢ଼ିହେବନି ବୋଲି ଶୁଭମ୍ ଜାଣିପାରିଲା । ରାଜଧାନୀରେ ଟ୍ୟୁସନ ଓ ଚାକିରି କରି ଟଙ୍କା ଯୋଗାଡ଼ କରିବ ବୋଲି ବାପାଙ୍କୁ ଫୋନ୍ କରି କହିଲା । କିଛି ମାସ ପରେ ଶୁଭମ୍ ବେଙ୍ଗାଲୁରୁ ପଳାଇଲା । ସେଠାରେ ୨ ମାସ କାମ କରିବା ଭିତରେ ୫୦ ହଜାର ଟଙ୍କା ବାକି ହୋଇଥିବା ନେଇ ବାପାଙ୍କୁ କହିଥିଲା । ସେଠାରୁ କଷ୍ଟେମଷ୍ଟେ ଭୁବନେଶ୍ୱର ପଳାଇ ଆସିଥିଲା । ଗତବର୍ଷ ଅକ୍ଟୋବର ମାସରୁ ଶୁଭମ୍ ନିଖୋଜ ହୋଇଯାଇଛି । ସନ୍ୟାସୀ ସବୁଆଡ଼େ ଖୋଜିସାରିଲାଣି । ପରେ ସେ ଏ ନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶୁଣିଲାନି । ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କୁ ଗୁହାରି କଲେଣି । କିଛି ଫଳ ମିଳିଲାନି ।
ଶେଷରେ ସନ୍ୟାସୀ ଜଣେ ବାବାଙ୍କ ନିକଟକୁ ଯାଇଥିଲେ । ବାବା କହିଥିଲେ ଯେ ତମ ପୁଅ ଭୁବନେଶ୍ୱର ଅଛି । ସେଠାରେ ଖୋଜିଲେ ପୁଅ ମିଳିଯିବ । କିନ୍ତୁ ଯୁଆଡ଼େ ଯିବ, ପୂର୍ବଦିଗକୁ ଅନେଇ ବସିବ ବୋଲି ବାବା ଆଶ୍ୱାସନା ଦେଇଥିଲେ । ସେବେଠୁ ସନ୍ୟାସୀ ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି । ଦିନରେ ଯୁଆଡ଼େ ରହୁଛନ୍ତି, ପୂର୍ବ ଦିଗକୁ ମୁହଁ କରି ବସୁଛନ୍ତି । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ରାତି ବିତାଉଛନ୍ତି।
ଏହି ଖବରଟିକୁ ପଢନ୍ତୁ- Police Encounter : ଯୁବକ ଓ ବାନ୍ଧବୀଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ ଘଟଣାରେ ଆକ୍ସନ୍, ଫେରାର ମୁଫ୍ତେଶକୁ ଏନ୍କାଉଣ୍ଟର