ବ୍ରହ୍ମପୁର, ୨୧/୦୫: ବ୍ରହ୍ମପୁର ଗିରିରୋଡ୍ରେ ଉମେଶ ରଥ ଓ ତାଙ୍କ ବାନ୍ଧବୀଙ୍କ ଉପରେ ସୋମବାର ରାତି ୯ଟାରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ଫେରାର ଅଭିଯୁକ୍ତ ମୁଫତେଶ ସାହୁକୁ ଏନକାଉଣ୍ଟର କରିଛି । ବୁଧବାର ରାତି ୧୨ଟାରେ ତାମଣା ଘାଟିରେ ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ସହ ମୁହାଁମୁହିଁ ହେବା ପରେ ପ୍ରଥମେ ମୁଫତେଶ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପୁଲିସ ତାକୁ ସେହିଠାରେ ଏନ୍କାଉଣ୍ଟର କରିଥିଲା । ମୁଫତେଶର ହାତ ଓ ଦୁଇ ଆଣ୍ଠୁରେ ଗୁଳି ବାଜିବାରୁ ସେ ସେହିଠାରେ ଟଳିପଡ଼ିଥିଲା । ସେଠାରୁ ପୁଲିସ ଟିମ୍ ତାକୁ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଛି । ଟାଉନ ଥାନା ଏସଡିପିଓ, ଏଏସପି ଆଲୋକ କୁମାର ଜେନାଙ୍କ ସହ ବହୁ ପୁଲିସ ଅଧିକାରୀ ମେଡିକାଲରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ସେଠାରେ ମୁଫ୍ତେଶର ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ ଏହି ମାମଲାରେ ବୁଧବାର ମଧ୍ୟାହ୍ନରେ ପୁଲିସ ଶ୍ରୀରାମନଗରର ଲିଙ୍ଗରାଜ ସାମଲ ଓରଫ ରିଙ୍କୁ(୨୪) ଏବଂ ଗଜପତି ନଗରର ରାଜ୍ ମାଲହୋତ୍ରା(୨୧)ଙ୍କୁ ଗିରଫ କରିଥିଲା । ଏନେଇ ବ୍ରହ୍ମପୁର ଏସ୍ପି ଡ. ସରବଣା ବିବେକ ଏମ୍ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ଦୁଇଟି ସ୍କୁଟି, ଗୋଟିଏ ମୋବାଇଲ୍ ଫୋନ୍ ଓ ଗୋଟିଏ ବାଉଁଶ ଫାଳିଆ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ଅପରାଧୀକ ମାମଲା ରହିଛି । ଆଉ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇଦିଆଯାଇଛି । ଏହି ଘଟଣା ପରେ ପରେ ଆଉ ଜଣେ ଅଭିଯୁକ୍ତକୁ ପୁଲିସ ଏନ୍କାଉଣ୍ଟର କରିବା ଘଟଣା ସମଗ୍ର ବ୍ରହ୍ମପୁର ସହରରେ ଚର୍ଚ୍ଚାାର ବିଷୟ ପାଲଟିଛି । ତେବେ ଉମେଶଙ୍କୁ ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ବୋଲି ଏସ୍ପି ସ୍ପଷ୍ଟ କରିଛନ୍ତି । ରାଜ ମାଲହୋତ୍ରା ଘଟଣାସ୍ଥଳରେ ଉପସ୍ଥିତ ରହି ଆକ୍ରମଣକାରୀଙ୍କୁ ସହଯୋଗ କରୁଥିଲେ ଏବଂ ରିଙ୍କୁ ସାମଲ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଯୋଜନା କରିଥିଲେ ।
ଅଭିଯୁକ୍ତଙ୍କ ଗ୍ୟାଙ୍ଗ୍ର ମୁଖ୍ୟ ଫେରାର ଅଛି । ସେ ଜଣେ ନେତାଙ୍କ ଛତ୍ରଛାୟା ତଳେ ଥିବା ଅଭିଯୋଗ କରିଛନ୍ତି ଉମେଶଙ୍କ ମା । ବିରୋଧୀଦଳ ନେତା ସିଧାସଳଖ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଏବଂ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଜଣେ ନେତାଙ୍କ ସହ ଅଭିଯୁକ୍ତର ଫଟୋ ପୋଷ୍ଟ କରି ସମାଲୋଚନା କରିଛନ୍ତି । ଅପରାଧୀଙ୍କୁ ରାଜନୈତିକ ସୁରକ୍ଷା ନଦେବାକୁ ସିଧା ସରକାରଙ୍କୁ ଟାର୍ଗେଟ୍ କରି ଏକ୍ସ ହ୍ୟାଣ୍ଡେଲ୍ରେ ପୋଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ :- Severe Heat Wave Alert: ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ୨୪ ଯାଏ ପ୍ରଚଣ୍ଡ ଗ୍ରୀଷ୍ମଜ୍ବାଳା, ସପ୍ତାହକ ଭିତରେ ଖସିବନି ତାତି
ସେପଟେ ଏହି ଅମାନୁଷିକ ଆକ୍ରମଣ ଘଟଣାକୁ ନେଇ ରାଜ୍ୟବ୍ୟାପି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ମଧ୍ୟ ବ୍ରହ୍ମପୁରର ଏହି ଘଟଣାକୁ ଦେଖିବାକୁ ମିଳୁଛି । ଗୋପାଳପୁର ଗଣଦୁଷ୍କର୍ମ, ସୁଧୀର ପାତ୍ର ହତ୍ୟା ଘଟଣା ଏବଂ ଗିରି ରୋଡ୍ରେ ହୋଇଥିବା ବର୍ବରତା ସାରା ଦେଶରେ ଚର୍ଚ୍ଚା ହେଉଛି । ରାଜ୍ୟ ବାହାରକୁ ଅଭିଯୁକ୍ତ ଚାଲିଯାଇଥିବା ସୁରାକ୍ ପାଇବା ପରେ ପୁଲିସର ଦୁଇଟି ଟିମ୍ ଚଢ଼ଉ ଆରମ୍ଭ କରିଛି । ଭୁବନେଶ୍ୱରରେ ମଧ୍ୟ ଗୋଟିଏ ଟିମ୍ ଥିବା ସୂଚନା ମିଳିଛି ।