ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୦-୨ରେ ହାରିବା ପରେl ହେଡ୍ କୋଚ୍ ଗୌତମ ଗମ୍ଭୀର ଉପରେ ଚାପ ବଢିବାରେ ଲାଗିଛି। ଘରୋଇ ଟେଷ୍ଟରେ ଟିମ୍ ଇଣ୍ଡିଆ ଲଗାତାର ହାରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଗମ୍ଭୀର। ଦକ୍ଷିଣ ଆଫ୍ରିକାଠାରୁ ୪୦୮ ରନ୍ରେ ହାରିବା ନେଇ ଗମ୍ଭୀରଙ୍କୁ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା ଟେଷ୍ଟ କ୍ରିକେଟ ହେଡ୍ କୋଚ୍ ପଦବୀ ପାଇଁ ସେ ଉପଯୁକ୍ତ ବ୍ୟକ୍ତି କି? ଏହାର ଉତ୍ତରରେ ସେ କହିଥିଲେ ,‘ବିସିସିଆଇ ଏହାର ନିଷ୍ପତ୍ତି ନେବ, କିନ୍ତୁ ମନେରଖନ୍ତୁ, ମୁଁ ସେହି ବ୍ୟକ୍ତି ଯାହାଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଥିଲା, ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଏବଂ ଏସିଆ କପ୍ ଜିତିଥିଲା। ମୁଁ ଯେତେବେଳେ ପଦଭାର ଗ୍ରହଣ କରିଥିଲି ସେତେବେଳେ କହିଥିଲେ ଭାରତୀୟ କ୍ରିକେଟ ଗୁରୁତ୍ବପୂର୍ଣ୍ଣ, ମୁଁ ନୁହେଁ। ଆଜି ମଧ୍ୟ ସେହି କଥା ଉପରେ କାଏମ ରହିଛି।

ହେଡ୍ କୋଚ୍ର ପ୍ରଥମ ବର୍ଷରେ, ଭାରତ ନ୍ୟୁଜିଲ୍ୟାଣ୍ଡଠାରୁ ୦-୩ ଏବଂ ଏବେ ଦକ୍ଷିଣ ଆଫ୍ରିକାଠାରୁ ୦-୨ରେ ପରାଜିତ ହୋଇଛି। ବାରମ୍ବାର ଟ୍ରୋଲ୍ ହେବା ପରେ ନିଜର ନୀରବତା ଭାଙ୍ଗିଛନ୍ତି ଗମ୍ଭୀର। ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ‘ସମସ୍ତେ ଦୋଷୀ, ମୋ ଠାରୁ ଆରମ୍ଭ କରି ଅନ୍ୟମାନେ। ଆମକୁ ଭଲ ଖେଳିବାକୁ ପଡିବ। ପ୍ରଥମ ଇନିଂସରେ ଗୋଟିଏ ସମୟରେ, ଆମର ସ୍କୋର ଗୋଟିଏ ୱିକେଟରେ ୯୫ ରନ୍ ଥିଲା, ଯାହାକି ପରେ ୭ ୱିକେଟରେ ୧୨୨ ହୋଇଯାଇଥିଲା। ଏହା ଗ୍ରହଣୀୟ ନୁହେଁ। ଆପଣ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ନିର୍ଦ୍ଦିଷ୍ଟ ସଟ୍କୁ ଦୋଷୀ କରିପାରିବେ ନାହିଁ। ସମସ୍ତେ ଦାୟୀ। କୌଣସି ଗୋଟିଏ ଖେଳାଳି କିମ୍ବା କୌଣସି ଗୋଟିଏ ସଟ୍ ଉପରେ ଦୋଷ ଦେବା ଠିକ୍ ହେବ ନାହିଁ। ଏହି ପରାଜୟ ପାଇଁ ସମସ୍ତେ ଦାୟୀ ଏବଂ ଏହା ମୋ’ଠାରୁ ଆରମ୍ଭ ହୁଏ। ମୁଁ ପରାଜୟ ପରେ କେବେ କୌଣସି ଖେଳାଳିଙ୍କୁ ଦୋଷ ଦେଇନାହିଁ, ଏବଂ ଭବିଷ୍ୟତରେ ମଧ୍ୟ ଏପରି କରିବିନି।’

ଉଲ୍ଲେଖନୀୟ ଯେ, ଗମ୍ଭୀରଙ୍କ ନେତୃତ୍ୱରେ, ଭାରତ ୧୮ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୦ଟିରେ ହାରିଛି। ଯେଉଁଥିରେ ଗତବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟ ଏବଂ ଏବେ ଘରୋଇ ପଡିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ଅନ୍ତର୍ଭୁକ୍ତ। ଗୌହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପରାଜୟ ଟେଷ୍ଟ କ୍ରିକେଟରେ ରନ ଦୃଷ୍ଟିରୁ ସବୁଠାରୁ ବଡ଼ ପରାଜୟ। ଗମ୍ଭୀର କହିଛନ୍ତି, ଟେଷ୍ଟ କ୍ରିକେଟ ଖେଳିବା ପାଇଁ, ଆପଣଙ୍କୁ ଅତ୍ୟନ୍ତ ଦ୍ରୁତ ଏବଂ ପ୍ରତିଭାବାନ କ୍ରିକେଟରଙ୍କ ଆବଶ୍ୟକତା ନାହିଁ। ଆମକୁ ସୀମିତ ଦକ୍ଷତା ଏବଂ ଦୃଢ଼ ମାନସିକତା ଥିବା ଖେଳାଳିଙ୍କ ଆବଶ୍ୟକତା ଅଛି। ସେମାନେ ଭଲ ଟେଷ୍ଟ କ୍ରିକେଟର ହୋଇଥାନ୍ତି।’