ନୂଆଦିଲ୍ଲୀ,୦୩/୧୨: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରି ଆସିଥିବା ଟିମ ଇଣ୍ଡିଆ ମୁଖ୍ୟ କୋଚ ଗୌତମ ଗମ୍ଭୀର ପୁନର୍ବାର ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ମଙ୍ଗଳବାର ସେ ଦଳ ସହ ଯୋଗ ଦେବେ ।
୨୫ତାରିଖରେ ପ୍ରଥମ ଟେଷ୍ଟ ଶେଷ ହୋଇଥିଲା ଓ ୨୬ ତାରିଖରେ ଗମ୍ଭୀର ଭାରତ ଫେରିଥିଲେ । କୌଣସି ବ୍ୟକ୍ତିଗତ କାରଣରୁ ସେ ସ୍ୱଦେଶ ଫେରିଥିବା ସେତେବେଳେ ବିସିସିଆଇ ଘୋଷଣା କରିଥିଲା । କାନ୍ବେରାରେ ଏକ ପିଙ୍କ ବଲ୍ ଅଭ୍ୟାସ ମ୍ୟାଚ୍ ଖେଳି ଭାରତୀୟ ଦଳ ଇତି ମଧ୍ୟରେ ଆଡିଲେଡରେ ପହଞ୍ଚିଛି ।
୬ ତାରିଖରୁ ଆଡିଲେଡ୍ରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଦିବା ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି ଲକ୍ଷ୍ୟରେ ଭାରତୀୟ ଦଳ ଏକ ପିଙ୍କ ବଲ୍ ଅଭ୍ୟାସ ମ୍ୟାଚ୍ ଖେଳିଥିଲା । ଏହି ଦୁଇ ଦିନିଆ ମ୍ୟାଚ୍ର ପ୍ରଥମ ଦିନ ବର୍ଷା ଯୋଗୁଁ ଧୋଇଯିବା ପରେ ଦ୍ୱିତୀୟ ଦିବସରେ ମ୍ୟାଚ୍କୁ ସୀମିତ ଓଭର ବିଶିଷ୍ଟ କରାଯାଇଥିଲା । ଭାରତ ଉକ୍ତ ୪୬ ଓଭର ବିଶିଷ୍ଟ ମ୍ୟାଚ୍କୁ ୬ ୱିକେଟ୍ରେ ଜିତିଥିଲା । ହର୍ଷିତ ରାଣା ୪ଟି ୱିକେଟ୍ ନେଇଥିଲେ ଓ ଶୁଭମନ ଗିଲ୍ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଗମ୍ଭୀରଙ୍କ ଅନୁପସ୍ଥିତିରେ ସହକାରୀ କୋଚ ଅଭିଷେକ ନାୟାର କୋଚ, ବୋଲିଂ କୋଚ ମର୍ଣ୍ଣ ମୋର୍କେଲ ଓ ଫିଲ୍ଡିଂ କୋଚ ର୍ୟାନ ଟେନ ଡୋସେଟ୍ ଅଭ୍ୟାସ ମ୍ୟାଚ୍ର ଦାୟିତ୍ୱ ନେଇଥିଲେ ।