ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ମାଡାଗାସ୍କରରେ ସେପ୍ଟେମ୍ବର ୨୫ରେ ଆରମ୍ଭ ହୋଇଥିବା ଜେନ-ଜିଙ୍କ ସରକାର ବିରୋଧୀ ପ୍ରତିବାଦ ହିଂସାତ୍ମକ ରୂପ ନେଇଥିଲା। ପରିସ୍ଥିତି ଏପରି ବିପର୍ଯ୍ୟସ୍ତ ହୋଇଗଲା ଯେ ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା ଦେଶ ଛାଡିବାକୁ ବାଧ୍ୟ ହେଲେ । ପ୍ରତିବାଦ ପରେ ରାଷ୍ଟ୍ରପତି ରାଜୋଏଲିନା ତାଙ୍କ ସରକାରଙ୍କୁ ବରଖାସ୍ତ କରିଥିଲେ । କିନ୍ତୁ ଏହି ରଣନୀତି ବିଫଳ ହୋଇଥିଲା।
ମାଡାଗାସ୍କରର ରାଷ୍ଟ୍ରପତି ଗୋଟିଏ ଦିନ ପୂର୍ବରୁ ଦାବି କରିଥିଲେ ଯେ, ସାମରିକ ବାହିନୀ ବିଦ୍ରୋହ କରିବାକୁ ଚାହୁଁଛି। ଏଠାରେ ଜେନ-ଜି ପାଣି ଏବଂ ବିଦ୍ୟୁତ୍ ଅଭାବକୁ ନେଇ ପ୍ରତିବାଦ କରିଥିଲେ। ହଜାର ହଜାର ଯୁବକ ରାସ୍ତାକୁ ଓହ୍ଲାଇଥିଲେ । ଜେନ-ଜି ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେଠାକର ଲୋକେ କହିଛନ୍ତି, ସେମାନେ ମୌଳିକ ସେବା ପାଇବା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି।
ରେଡିଓ ଫ୍ରାନ୍ସ ଇଣ୍ଟରନ୍ୟାସନାଲ୍ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଅନୁରୋଧରେ ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନାଙ୍କୁ ରବିବାର (୧୨ ଅକ୍ଟୋବର, ୨୦୨୫) ଏକ ଫରାସୀ ସାମରିକ ବିମାନ ଦ୍ୱାରା ମାଡାଗାସ୍କରରୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ରାଜୋଏଲିନା ପ୍ରଥମେ ୨୦୦୯ ମସିହାରେ ସାମରିକ ସମର୍ଥନରେ କ୍ଷମତାକୁ ଆସିଥିଲେ। ସେ ୨୦୧୪ ମସିହାରେ ପଦ ଛାଡିଥିଲେ। ତା'ପରେ ସେ ୨୦୧୮ ନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ପୁଣି ଥରେ ମାଡାଗାସ୍କରର ରାଷ୍ଟ୍ରପତି ହୋଇଥିଲେ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ମାଡାଗାସ୍କରର ବିରୋଧୀ ଦଳ ନେତା କହିଛନ୍ତି ଯେ, ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା ଦେଶ ଛାଡି ଚାଲିଯାଇଛନ୍ତି। ସେ କହିଛନ୍ତି ଯେ, ଜେନ-ଜିଙ୍କ ବିରୋଧ ପ୍ରଦର୍ଶନ ପରେ ସେ ଏକା ପଡ଼ିଯାଇଛନ୍ତି। ଏକ ସେନା ୟୁନିଟ୍, CAPSAT ମଧ୍ୟ ରାଲିରେ ପ୍ରତିବାଦକାରୀଙ୍କ ସହିତ ଯୋଗ ଦେଇଥିଲା। ଏହି ୟୁନିଟ୍ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶକୁ ପ୍ରତ୍ୟାଖାନ କରିଥିଲା।