ନୂଆଦିଲ୍ଲୀ: ବିଶ୍ବରେ ଜେନ-ଜି ବା ଜେନେରେସନ୍‌-ଜେଡ୍‌ଙ୍କ ପ୍ରତିବାଦ ବଢ଼ିବାରେ ଲାଗିଛି । ବିଭିନ୍ନ ଦେଶ ଜେନ-ଜିଙ୍କ ଆନ୍ଦୋଳନରେ ଅଶାନ୍ତ ହୋଇପଡ଼ିଛି । ନେପାଳ, ମାଡାଗାସ୍କର ଏବଂ ପେରୁରେ ଜେନ-ଜିଙ୍କ ଉଗ୍ର ରୂପ ଦେଖିବାକୁ ମିଳିଛି । ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଦୁର୍ନୀତି ବିରୋଧରେ ଜେନ-ଜି ପ୍ରତିବାଦ କରୁଛନ୍ତି। ଜେନ-ଜି ଏବଂ ପୁଲିସ ସଂଘର୍ଷରେ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ପୁଲିସ ଅଧିକାରୀ, ୧୦ ସାମ୍ବାଦିକ ଓ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଏହା ପରେ  GenZଙ୍କ ନେତୃତ୍ୱରେ ହଜାର ହଜାର ଯୁବକ ନୂତନ ରାଷ୍ଟ୍ରପତି ଜୋସ୍ ଜେରିଙ୍କ ଇସ୍ତଫା ଦାବି କରି ପ୍ରତିବାଦ କରିଛନ୍ତି ।  ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ରାଷ୍ଟ୍ରପତି ଜେରି କିନ୍ତୁ ଇସ୍ତଫା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି । ସଂସଦ ପୂର୍ବତନ ରାଷ୍ଟ୍ରପତି ଦିନା ବୋଲୁଆର୍ଟଙ୍କୁ ବହିଷ୍କାର କରିବା ପରେ ଜେରି ଅକ୍ଟୋବର ୧୦ ତାରିଖରେ କ୍ଷମତାକୁ ଆସିଥିଲେ।

ଗତ ପାଞ୍ଚ ବର୍ଷ ମଧ୍ୟରେ ଜେରି ହେଉଛନ୍ତି ଷଷ୍ଠ ରାଷ୍ଟ୍ରପତି। ପ୍ରତିବାଦ ସମ୍ପର୍କରେ ଜେରି କହିଛନ୍ତି, ‘ଦେଶରେ ସ୍ଥିରତା ବଜାୟ ରଖିବା, ମୋର ଦାୟିତ୍ୱ ଏବଂ ପ୍ରତିବଦ୍ଧତା।’ ସେ ଅପରାଧ ନିୟନ୍ତ୍ରଣ ପାଇଁ ସଂସଦକୁ ସ୍ୱତନ୍ତ୍ର କ୍ଷମତା ମାଗିଛନ୍ତି। ଜେନି-ଜିଙ୍କ ଆନ୍ଦୋଳନ ଯୋଗୁ  ତିନୋଟି ଦେଶ (ପେରୁ, ନେପାଳ ଏବଂ ମାଡାଗାସ୍କର)ରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ଏପରିକି ଦେଶର ସରକାର ପରିବର୍ତ୍ତନ ହୋଇଛି । ଏବେ ପେରୁରେ ନୂଆ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରିବାକୁ ଦାବି ଜୋର ଧରିଛି ।

ପ୍ରଦର୍ଶନ ସମୟରେ ୩୨ ବର୍ଷୀୟ ରାପର୍ ଏବଂ ପ୍ରତିବାଦକାରୀ ଏଡୁଆର୍ଡୋ ରୁଇଜଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଫୁଟେଜରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ଭିଡ଼ରୁ ଗୁଳି ଚଳାଇଛନ୍ତି । ଏହା ପରେ ତଳେ ପଡ଼ିଯାଇଛନ୍ତି ରୁଇଜ୍। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଆକ୍ରମଣକାରୀ ଜଣେ ପୁଲିସ ଅଧିକାରୀ ଥିଲେ।

ପ୍ରଦର୍ଶନ ସମୟରେ ମହିଳାମାନେ ‘ଜେରି ଜଣେ ବଳାତ୍କାରୀ’ ଭଳି ସ୍ଲୋଗାନ ଦେଇଛନ୍ତି । ଉଗ୍ର ଜେନ-ଜି ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିଛନ୍ତି । ଆନ୍ଦୋଳନକୁ ରୋକିବା ଲାଗି ପୁଲିସ ଭିଡ଼ ଉପରେ ଲୁହବୁହା ଗ୍ୟାସ ଏବଂ ରବର ଗୁଳି ମାଡ଼ କରିଥିବା ଜଣାପଡ଼ିଛି । ତେବେ ଦୀର୍ଘଦିନ ହେଲା ଦୁର୍ନୀତିରେ ପେଶି ହୋଇଥିବା ପେରୁବାସୀ ଏବେ ସରକାର ବିରୋଦରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଶେ​‌ଷ କରି ଜେନ-ଜି ରାସ୍ତାକୁ ଓହ୍ଲାଇ ଉଗ୍ର ପ୍ରତିବାଦ କରିଛନ୍ତି । 

ବିଶେଷଜ୍ଞ ଓମାର କରୋନେଲ କୁହନ୍ତି, ‘ପେନସନ ଦାବିରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଏବେ ଦୁର୍ନୀତି ଏବଂ ଅସୁରକ୍ଷା ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି ।  ପ୍ରତିବାଦକାରୀମାନେ  ଦେଇଛନ୍ତି ଯେ, ‘ବିରୋଧ କରିବା ଏକ ଅଧିକାର, ହତ୍ୟା କରିବା ଅପରାଧ ।’ ରାଷ୍ଟ୍ରପତି ଜେରି ପୂର୍ବତନ ବିଚାରପତି ଏର୍ନେଷ୍ଟୋ ଆଲଭାରେଜଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। ଆଲଭାରେଜ ପେରୁର ଜେନ-ଜିଙ୍କୁ ଗଣତନ୍ତ୍ର ଉପରେ ଆକ୍ରମଣ କରୁଥିବା ଏକ ଗ୍ୟାଙ୍ଗ ବୋଲି କହିଥିଲେ। ରାଷ୍ଟ୍ରପତି ଜେରି ନିଜେ ବିବାଦରେ ଫସିଛନ୍ତି। ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ  ଅଭିଯୋଗ ଆଣିଥିଲେ । କିନ୍ତୁ ଏହି ମାମଲାକୁ ଅଗଷ୍ଟ ମାସରେ ବନ୍ଦ କରିଦିଆ ଯାଇଥିଲା ।

ପେରୁରେ ଗତ କିଛି ବର୍ଷରେ ୫ ଜଣ ରାଷ୍ଟ୍ରପତିଙ୍କୁ ବିଭିନ୍ନ ଅଭିଯୋଗରେ ଗାାଦିଚ୍ୟୁତ କରାଯାଇଛି । ବିଭିନ୍ନ ସମୟରେ ହୋଇଥିବା ଆନ୍ଦୋଳନରେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି ବିତାଡ଼ିତ ହୋଇଛନ୍ତି । ଏବେ ରାଷ୍ଟ୍ରପତି ଜେରି ପୁଣି ତରେ ତୀବ୍ର ଆନ୍ଦୋଳନର ସାମ୍ନା କରିଛନ୍ତି । କିନ୍ତୁ ସେ ପଦ ଛାଡ଼ିବେ ନାହିଁ ବୋଲି ଘୋଷଣା କରିଥିବା ବେଳେ ଜେନ-ଜି ନଛୋଡ଼ବନ୍ଧା । 

ପେରୁ ବ୍ୟତୀତ ଏସିଆର ବାଂଲାଦେଶ ଏବଂ ନେପାଳରେ ମଧ୍ୟ GenZ ପ୍ରତିବାଦ ହୋଇଛି। ଜେନ-ଜି ଆନ୍ଦୋଳନ ଏବେ ଆଫ୍ରିକା ମହାଦେଶରେ ବ୍ୟାପିବାରେ ଲାଗିଛି । ବେକାରୀ, ଦୁର୍ନୀତି ଏବଂ ଆର୍ଥିକ ଅସମାନତାରେ ଅତିଷ୍ଠ ହୋଇ,  ଯୁବପିଢ଼ି ତୀବ୍ର ପ୍ରତିବାଦ କରୁଥିବା ବେଳେ ସରକାର ପରିବର୍ତ୍ତନ କରି ଦେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ, କେନିଆ, ମାଡାଗାସ୍କର, ମରକ୍କୋ ଏବଂ ବୋତ୍ସୱାନା ଭଳି ଦେଶରେ ବ୍ୟାପକ ଜେନ-ଜି  ପ୍ରତିବାଦ ହୋଇଛି।