ନୂଆଦିଲ୍ଲୀ, ୧୧।୪: ଜଣେ ୧୦ ବର୍ଷୀୟା ଝିଅଙ୍କର ହୃଦୟସ୍ପର୍ଶୀ ଚିଠି ନକ୍ଷତ୍ରବିଜ୍ଞାନରେ ଦୀର୍ଘ ସମୟ ଧରି ଚାଲିଥିବା ବିତର୍କକୁ ପୁଣି ଥରେ ତେଜିଛି । ଚିଠିଟି ନାସା ମୁଖ୍ୟଙ୍କ ଧ୍ୟାନ ଆକର୍ଷଣ କରିଛି । ସେ ଖୁବ୍ ସରଳ କିନ୍ତୁ ଉତ୍ସାହଜନକ ବାର୍ତ୍ତା ମାଧ୍ୟମରେ ଏହାର ଉତ୍ତର ଦେଇଛନ୍ତି ‘କେଲା- ଆମେ ଏହାର ଯାଞ୍ଚ କରୁଛୁ ।’ ‘ପ୍ରିୟ ନାସା’କୁ ଲେଖିଥିବା ଚିଠିରେ କେଲା ନାମ୍ନୀ ଏହି ଝିଅ ପ୍ଲୁଟୋ ଗ୍ରହକୁ ପୁଣି ଥରେ ଏକ ପୂର୍ଣ୍ଣ ଗ୍ରହର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି । ଚିଠି ଜଣେ ପିଲାର ସଚ୍ଚୋଟ ଦଲିଲ ଓ ମୌଳିକ ବୈଜ୍ଞାନିକ ତଥ୍ୟ ସହିତ ଭାବନାତ୍ମକ ଅନୁରୋଧର ମିଶ୍ରଣକୁ ଉପସ୍ଥାପନ କରିଛି । କେଲା ନାସାକୁ ଚିଠିରେ ଲେଖିଛନ୍ତି, ଦୟାକରି ପ୍ଲୁଟୋକୁ ପୁଣି ଥରେ ଏକ ପୂର୍ଣ୍ଣ ଗ୍ରହ କରନ୍ତୁ । ବାସ୍ତବରେ ମୁଁ ଏହା ଚାହେଁ । ପ୍ଲୁଟୋକୁ ପୁଣି ଥରେ ଏକ ଗ୍ରହ କରିବାର କିଛି କାରଣ ରହିଛି । ତାହା ହେଉଛି- ଏହା ଆମ ସୌରମଣ୍ଡଳର ଏକ ଅଂଶ ଏବଂ ଏହା ଏକ ଗ୍ରହ ଥିଲା । ଏହା ଏକ କ୍ଷୁଦ୍ର ଗ୍ରହ ଏବଂ ବାସ୍ତବିକ ରୂପେ ଏକ ଗ୍ରହ ହେବା ପାଇଁ ଯୋଗ୍ୟ । ଏହା ଅନେକ ଲୋକଙ୍କୁ ଖୁସି କରିପାରେ ।
ଏହା ବି ପଢ଼ନ୍ତୁ... ବିଶ୍ୱ ଯୁଦ୍ଧ ଚିନ୍ତା ମଧ୍ୟରେ ଭାରତର 'ମିଶନ ଏନର୍ଜି': ୟୁଏଇରେ ଜୟଶଙ୍କର, ଆମେରିକା ପରେ ଏବେ ୟୁରୋପ ଗସ୍ତରେ ବିଦେଶ ସଚିବ
କେଲା ଆହୁରି ଲେଖିଛନ୍ତି, ଏହା ଆପଣଙ୍କର ପସନ୍ଦ ହୋଇନପାରେ । କିନ୍ତୁ ଯଦି ପସନ୍ଦ, ତେବେ ଦୟାକରି ଏହାକୁ ଗ୍ରହ ଘୋଷଣା କରନ୍ତୁ । ଏହା ମୋତେ ବହୁତ ବହୁତ ଖୁସି କରିବ । ଯଦି ମୋର ହସ୍ତଲିଖନ କିମ୍ବା ବନାନ ପଢ଼ିବାରେ ସମସ୍ୟା ହେଉଥାଏ, ତେବେ ମୁଁ ଦୁଃଖିତ । ପ୍ଲୁଟୋ ଗ୍ରହର ମାନ୍ୟତା ପାଇଲେ ମୁଁ ଓ ମୋ ସାଙ୍ଗମାନେ ଖୁବ୍ ଖୁସି ହେବୁ । ଏହା ପରେ କେଲା ପ୍ଲୁଟୋ ବିଷୟରେ ଜାଣିଥିବା କଥାସବୁ ଚିଠିରେ ଲେଖିଛନ୍ତି । ଯଥା- ଏହା ଏକ କ୍ଷୁଦ୍ର ଗ୍ରହ । ଏହା କୁଇପର ବେଲ୍ଟରେ ଅବସ୍ଥିତ । ୧୯୩୦ରେ କ୍ଲାଇଡ୍ ଟମ୍ବଗ୍ଙ୍କ ଦ୍ୱାରା ଏହା ଆବିଷ୍କୃତ ହୋଇଥିଲା । ପୃଥିବୀର ଚନ୍ଦ୍ରଠୁ ପ୍ଲୁଟୋ ଛୋଟ । ଏହାର ୫ ଚନ୍ଦ୍ର ରହିଛି । ଚିଠି ଶେଷରେ କେଲା ନାସାକୁ ଧନ୍ୟବାଦ ଦେଇଛନ୍ତି ।
୨୦୦୬ରେ ପ୍ଳୁଟୋକୁ ଏକ କ୍ଷୁଦ୍ର ଗ୍ରହ ରୂପେ ବର୍ଗୀକୃତ କରାଯାଇଥିଲା, କାରଣ ଅନ୍ତର୍ଜାତୀୟ ନକ୍ଷତ୍ରବିଜ୍ଞାନ ସଂଘ ଦ୍ୱାରା ନିର୍ଦ୍ଧାରିତ ପ୍ରମୁଖ ମାନଦଣ୍ଡ ପୂରଣ କରିବାରେ ଏହା ବିଫଳ ହୋଇଥିଲା । ଏକ ଗ୍ରହ ରୂପେ ଯୋଗ୍ୟ ବିବେଚିତ ହେବା ପାଇଁ କୌଣସି ଖଗୋଳୀୟ ବସ୍ତୁ ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଗୋଲାକୃତିରେ ପରିକ୍ରମା କରିବା ଉଚିତ୍ ଏବଂ ନିଜର କକ୍ଷୀୟ ପାଶ୍ୱର୍କୁ ସ୍ୱଚ୍ଛ ରଖିବା ଉଚିତ୍ । ପ୍ଲୁଟୋ ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଗୋଲାକୃତିରେ ପରିକ୍ରମା କରୁଛି । କିନ୍ତୁ ନିଜ କକ୍ଷୀୟ ପାଶ୍ୱର୍କୁ ସ୍ୱଚ୍ଛ ରଖୁନାହିଁ । ଏହାର କକ୍ଷପଥରେ କୁଇପର ବେଲ୍ଟର ଅନେକ ବସ୍ତୁ ପରିକ୍ରମା କରୁଛନ୍ତି । ତେଣୁ ଏହାକୁ କ୍ଷୁଦ୍ର ଗ୍ରହ ଭାବେ ବର୍ଗୀକୃତ କରାଗଲା । ସେବେଠୁ ଏହି ନିଷ୍ପତ୍ତି ବୈଜ୍ଞାନିକଙ୍କ ମଧ୍ୟରେ ବିବାଦୀୟ ହୋଇ ରହିଛି । ଏ ପ୍ରକାର ବ୍ରହ୍ମାଣ୍ଡୀୟ ପିଣ୍ଡଗୁଡ଼ିକର ଅନ୍ୱେଷଣ ଓ ଅଧ୍ୟୟନରେ ନାସା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେବେ ଏହା ପ୍ଲୁଟୋର ଗ୍ରହୀୟ ସ୍ଥିତି ବିଷୟରେ ଚୁପ୍ ଅଛି । ନାସା ମୁଖ୍ୟ ଜାରେଡ୍ ଆଇଜାକ୍ମ୍ୟାନ ଏହି କୁନି ମହାକାଶବିଜ୍ଞାନ ପ୍ରେମୀଙ୍କୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ଅନେକ ତାଙ୍କୁ ପ୍ରଶଂସା କରୁଛନ୍ତି । ତେବେ ପ୍ଲୁଟୋର ବର୍ଗୀକରଣରେ ଖୁବ୍ଶୀଘ୍ର ପରିବର୍ତ୍ତନ ହେବାର କୌଣସି ସଙ୍କେତ ନାହିଁ ।