କଟକ, ୨୧।୨: କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଓ ଶୋଷଣରୁ ସୁରକ୍ଷା ଦେବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରାୟ ଅଢ଼େଇ ବର୍ଷ ତଳେ ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ଦର୍ଶାଇ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା ।  ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କରେ ରାଜ୍ୟ ସରକାରଙ୍କଠାରୁ ବର୍ତ୍ତମାନର ସ୍ଥିତି ସଂକ୍ରାନ୍ତରେ ଜାଣିବାକୁ ଚାହିଁଥିଲେ ।

​​​​​​​ଏହା ବି ପଢ଼ନ୍ତୁ... ​​​​​​​ଭୁବନେଶ୍ୱର ବାୟୁ ଏବେ ବିଷାକ୍ତ, AQI ୧୭୬ ପାର୍, ପ୍ରଦୂଷଣ ଡାକୁଛି ମାରାତ୍ମକ ରୋଗ

ରାଜ୍ୟ ସରକାର ଜବାବରେ ଦର୍ଶାଇଥିଲେ ଯେ, ମହିଳାଙ୍କ ସୁରକ୍ଷାରେ କୌଣସି ପ୍ରକାର ସାଲିସ୍‌ କରାଯାଉ ନାହିଁ । କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ହାଇକୋର୍ଟ ମାମଲାର ଶୁଣାଣି ଦୁଇ ସପ୍ତାହ ପରକୁ ଧାର୍ଯ୍ୟ କରିଛନ୍ତି । କାର୍ଯ୍ୟସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ ନିୟମ ଥିଲେ ମଧ୍ୟ ଏହାର କାର୍ଯ୍ୟକାରୀ କରାଯାଉ ନଥିବାରୁ ଏନେଇ ପୂର୍ବରୁ ମାମଲା ରୁଜୁ କରିଥିଲେ ଆବେଦନକାରିଣୀ ଆଇନଜୀବୀ ଡକ୍ଟର ସୁଜାତା ଦାସ । ହାଇକୋର୍ଟ ୨୦୨୩ ସେପ୍ଟେମ୍ବର ୧୫ରେ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଯଦି ତିନି ମାସ ମଧ୍ୟରେ ପ୍ରତି କାର୍ଯ୍ୟାଳୟରେ ଡିସ୍‌ପ୍ଲେ ବୋର୍ଡ ଲାଗିନଥାଏ ତାହେଲେ ଅଦାଲତ ଅବମାନନା ମାମଲା ରୁଜୁ ହେବ ବୋଲି ହାଇକୋର୍ଟ ଆଦେଶରେ କହିଥିଲେ । କିନ୍ତୁ ଇତିମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଦେଶ କାର୍ଯ୍ୟକାରୀ କରାଯାଇନଥିବାରୁ ଆବେଦନକାରିଣୀ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ଆବେଦନକାରିଣୀ ଆଇନଜୀବୀ ଡକ୍ଟର ଦାସ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ।