ନୂଆଦିଲ୍ଲୀ,୦୫/୧୨: ବାଂଲାଦେଶରେ ହସିନା ସରକାରର ପତନ ଏବଂ ୟୁନୁସ ସରକାର କ୍ଷମତାସୀନ ହେବା ପରେ ଲଗାତର ଭାବେ ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରାଯାଉଛି । ହିନ୍ଦୁ ଧର୍ମର ସାଧୁସନ୍ଥଙ୍କୁ ଗିରଫ କରାଯାଉଛି । ସେମାନଙ୍କ ଉପରେ ନଜର ରଖାଯିବା  ସହ କୌଣସି କାର୍ଯ୍ୟ କରିବାକୁ ଦିଆଯାଉ ନାହିଁ ।  ସାଧାରଣ ହିନ୍ଦୁ ନାଗରିକଙ୍କୁ ବି ହମ୍‌ଲା ହେଉଛି । ଏହି  ଘଟଣାକୁ ନେଇ ବ୍ରିଟେନ୍‌ ଓ ଆମେରିକା ଭଳି ଦେଶ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ବ୍ରିଟେନ୍‌ର ସଂସଦରେ ଏହି ପ୍ରସଙ୍ଗ ଉଠିଛି । ବାଂଲାଦେଶରୁ ହିନ୍ଦୁଙ୍କୁ ସମ୍ପୂର୍ଣ୍ଣ  ଭାବେ ହଟାଇଦେବା ପାଇଁ ମସୁଧା ଚାଲିଥିବା ବ୍ରିଟେନ୍‌ର ଜଣେ ସାଂସଦ କହିଛନ୍ତି । 

ରିପୋର୍ଟ ମୁତାବକ, ବ୍ରିଟିଶ ସଂସଦରେ ବୁଧବାର ବାଂଲାଦେଶ ପ୍ରସଙ୍ଗ ଉଠିଥିଲା । ବିରୋଧୀ କଞ୍ଜରଭେଟିଭ୍‌  ପାର୍ଟି ସାଂସଦ ବବ୍‌ ବ୍ଲାକ୍‌ମ୍ୟାନ୍‌ କହିଥିଲେ କି  ବାଂଲାଦେଶରେ ଶେଖ ହସିନା କ୍ଷମତାରୁ ହଟିବା  ପରେ ହିନ୍ଦୁମାନଙ୍କୁ ଦେଶରୁ ବିଦା କରିବା ଲାଗି  ଉଦ୍ୟମ ହେଉଛି । ସେଠାରେ ହିନ୍ଦୁ ମନ୍ଦିର ଉପରେ  ଆକ୍ରମଣ ସହ ଲୋକଙ୍କ ଘର ପୋଡ଼ି ଦିଆଯାଉଛି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ୱ  ବ୍ରିଟେନ୍‌ର । କାରଣ ସେମାନେ ହିଁ ବାଂଲାଦେଶକୁ ସ୍ୱାଧୀନ  କରାଇଥିଲେ । 

ଏହା ଉପରେ ଜବାବ ଦେଇ ବ୍ରିଟେନ୍‌ର ବିଦେଶ  ମନ୍ତ୍ରୀ କ୍ୟାଥେରିନ୍‌ ୱେଷ୍ଟ କହିଥିଲେ, ଆମେ ଭାରତର ଚିନ୍ତା ନେଇ ଭଲ ଭାବେ ଅବଗତ। ଗତ ସପ୍ତାହରେ  ଆମେ ବାଂଲାଦେଶ ଯାଇଥିଲୁ । ଏହି ସମୟରେ  ୟୁନୁସ ସରକାର ସଂଖ୍ୟାଲଘୁଙ୍କ ହିତକୁ ଗୁରୁତ୍ୱ ଦେବ  ବୋଲି ଆମକୁ ପ୍ରତିଶ୍ରୁତି ଦେଇଥିଲା । କଞ୍ଜରଭେଟିଭ୍‌  ସାଂସଦ ପ୍ରୀତି ପଟେଲ କହିଛନ୍ତି,ବାଂଲାଦେଶରେ  ହିଂସା ଜାରି ରହିଛି । ଏହାକୁ ସରକାର ରୋକିପାରୁ  ନାହାନ୍ତି । ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁଙ୍କ ପାଇଁ  ଆମର ଗଭୀର ସମବେଦନା । ବାଂଲା ସ୍ଥିତି ଉପରେ  ସରକାର ନଜର ରଖିଥିବା ଲେବର ପାର୍ଟି ସାଂସଦ  ବ୍ୟାରୀ ଗାର୍ଡିନର୍‌ କହିଛନ୍ତି । 

ଆମେରିକା ମଧ୍ୟ ବାଂଲାଦେଶରେ ହିନ୍ଦୁ ଓ  ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ  ଚିନ୍ତା ପ୍ରକଟ କରିଛି । ବିଦେଶ ମନ୍ତ୍ରଣାଳୟ ଉପ  ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ବାକ୍‌ ସ୍ୱାଧୀନତା  ଓ ମୌଳିକ ଅଧିକାରକୁ ସମ୍ମାନ ଦେବା ପ୍ରତ୍ୟେକସରକାରର କାର୍ଯ୍ୟ । ହେଲେ ବାଂଲାଦେଶରେ ସେଭଳି  ଘଟୁନାହିଁ । ସଂଖ୍ୟାଲଘୁଙ୍କ ସୁରକ୍ଷା କରିବା ସରକାରଙ୍କ  ଦାୟିତ୍ୱ । ଗିରଫ ହୋଇଥିବା ଲୋକମାନଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେବା ଉଚିତ । ମାନବାଧିକାର ଆଧାରରେ ସମସ୍ତଙ୍କ ସହ ଉଚିତ ବ୍ୟବହାର ପ୍ରଦର୍ଶନ  କରାଯିବା ଆବଶ୍ୟକ। 

ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ  ଇସ୍କନର ପ୍ରମୁଖ ପୂର୍ବ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ଗତ  ସପ୍ତାହରେ ରଙ୍ଗପୁରରେ ହିନ୍ଦୁ ସମୁଦାୟଙ୍କ ସମର୍ଥନରେ  ବିରୋଧ ପ୍ରଦର୍ଶନ ପରେ ଗିରଫ କରାଯାଇଥିଲା । ତାଙ୍କୁ  ରାଜଧାନୀ ଢାକାରୁ ଗିରଫ କରାଯାଇ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଥିଲା । ନଭେମ୍ବର  ୨୬ରେ ଢାକାର ଏକ ଅଦାଲତ ତାଙ୍କ ଜାମିନ ଆବେଦନ  ଖାରଜ କରିଦେଇଥିଲେ । ଏହାପରେ ଦେଶରେ  ବିବାଦ ବଢ଼ିଯାଇଥିଲା । ବାଂଲାଦେଶରେ ହିନ୍ଦୁ ସଙ୍ଗଠନ  ସନାତନୀ ଜାଗରଣ ଜୋତର ଅଭିଯୋଗ ମୁତାବକ, ୟୁନୁସ ସରକାର ୭୦ ହିନ୍ଦୁ ଓକିଲଙ୍କୁ ମନମୁଖି ଭାବେ ଫସାଇଛି । ଏହାଦ୍ୱାରା ଚିନ୍ମୟ ପ୍ରଭୁଙ୍କ ତରଫରୁ କେହି  ମାମଲା ଲଢ଼ିପାରିବେ ନାହିଁ ।