ନୂଆଦିଲ୍ଲୀ ୨୬/୦୭: ନିକଟରେ ଶେଷ ହୋଇଛି ଫିଫା ବିଶ୍ୱକପ୍- ୨୦୨୬ । ୨ୟ ଥର ବିଶ୍ୱକପ୍ ବିଜେତା ସ୍ପେନ୍ ସହିତ ସମଗ୍ର ବିଶ୍ୱ ଖୁସିରେ ଝୁମୁଛି । ଭାରତର ଏକ ସୁଦୂର ଗାଁ ମଧ୍ୟ ଏହି ଖୁସିରେ ସାମିଲ ହୋଇଛି, କିନ୍ତୁ ଦେଶୀ ଅନ୍ଦାଜ୍ରେ । ଫିଫା ବିଶ୍ୱକପ୍ ସହିତ ଝାଡ଼ଖଣ୍ଡର ଜନଜାତି ବହୁଳ ଜିଲ୍ଲା ଚାଇବସାର ତିରିଲବସା ଗ୍ରାମବାସୀ ଚଳିତ ଜୁଲାଇ ୧୪ରୁ ୧୭ ତାରିଖ ମଧ୍ୟରେ ଏକ ଫୁଟବଲ୍ ଟୁର୍ନାମେଣ୍ଟର ଆୟୋଜନ କରିଥିଲେ । ଏଥିରେ ନିକଟସ୍ଥ ୬୪ ଗାଁର ଟିମ୍ ସାମିଲ ହୋଇଥିଲେ ।

ରଙ୍ଗିଲା ଷ୍ଟାର୍ ତିରିଲବସା ଟୁର୍ନାମେଣ୍ଟରେ ମୁଖ୍ୟ ଆକର୍ଷଣ ହେଉଛି ଉପହାର । ଟଙ୍କା ସମେତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଟିମ୍‌କୁ ଟ୍ରଫି ରୂପେ ଛେଳି ପ୍ରଦାନ କରାଯାଏ । ଗତ ଶୁକ୍ରବାର ଥିଲା ଚୂଡ଼ାନ୍ତ ମ୍ୟାଚ୍ । ଏନ୍‌ସିଏସ୍ ମୌଦି ଟିମ୍ କୁମ୍ବରମ୍‌କୁ ୧-୦ରେ ହରାଇଲା । ସଂଯୋଗବଶତଃ, ଏହାର ଦୁଇ ଦିନ ପରେ ନ୍ୟୁୟର୍କରେ ଅନୁଷ୍ଠିତ ଫୁଟବଲ୍ ବିଶ୍ୱକପ୍‌ର ଚୂଡ଼ାନ୍ତ ମ୍ୟାଚ୍‌ରେ ସ୍ପେନ୍ ଓ ଆର୍ଜେଣ୍ଟିନା ମଧ୍ୟରେ ବି ଏହା ହୋଇଥିଲା । ବିଜୟୀ ଟିମ୍ ଏନ୍‌ସିଏସ୍ ମୌଦିକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ମିଳିଲା । ଏଥିସହ ତିନିଟି ଅଣ୍ଡିରା ଛେଳି (ଖାସି) ପ୍ରଦାନ କରାଗଲା । ରନର୍ସ-ଅପ୍ କୁମ୍ବରମ୍ ୧୨ ହଜାର ଟଙ୍କା ସମେତ ୨ଟି ଖାସି ଉପହାର ପାଇଲା । ଅନ୍ୟପକ୍ଷେ, ୩ୟ ଓ ୪ର୍ଥ ସ୍ଥାନ ହାସଲ କରିଥିବା କୋବ୍ରା ଏଫ୍‌ସି ନିମଧି ଓ ଗାଲୁବସା ଏଫ୍‌ସିକୁ ୯ ହଜାର ଟଙ୍କା ଓ ଗୋଟିଏ ଲେଖାଏଁ ଖାସି ପ୍ରଦାନ କରାଗଲା । ମ୍ୟାନ୍ ଅଫ୍ ଦ ମ୍ୟାଚ୍, ମ୍ୟାନ୍ ଅଫ୍ ଦ ଟୁର୍ନାମେଣ୍ଟ ଓ ଶ୍ରେଷ୍ଠ ଗୋଲ୍‌କିପର ପାଇଁ ମଧ୍ୟ ନଗଦ ପୁରସ୍କାର ରହିଛି, କିନ୍ତୁ ସେମାନଙ୍କୁ ଖାସି ମିଳେ ନାହିଁ । ବାଇକ୍‌ରେ ଫୁଟବଲ୍ ମ୍ୟାଚ୍ ଖେଳିବାକୁ ଆସିଥିବା ବିଜୟୀ ଟିମ୍ ଏନ୍‌ସିଏସ୍ ମୌଦିର କ୍ୟାପ୍ଟେନ ସଚିନ ଦେବମ୍ କହିଛନ୍ତି, ଏହା ତାଙ୍କ ଟିମ୍‌ର ପ୍ରଥମ ବିଜୟ । ଏହି ଖୁସିକୁ ସେମାନେ ଗାଁରେ ସମସ୍ତଙ୍କ ସହ ପାଳନ କରିବେ ।

ଚଳିତ ବର୍ଷ ରଙ୍ଗିଲା ଷ୍ଟାର୍ ତିରିଲବସା ଟୁର୍ନାମେଣ୍ଟର ଏହା ୫ମ ସଂସ୍କରଣ ଥିଲା । ଏହାର ଆୟୋଜକ କହନ୍ତି, ସେମାନେ କ୍ରୀଡ଼ାରେ ଫିଫା ନିୟମାବଳୀକୁ ଅନୁସରଣ କରନ୍ତି । ରାଜ୍ୟ ଫୁଟବଲ୍ ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଲୋକପ୍ରିୟ ଭାସ୍ୟକାର ଓ ରେଫରିଙ୍କୁ ସେମାନେ ଆମନ୍ତ୍ରଣ କରନ୍ତି । ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ଝଗଡ଼ା ନ ହେବା ପାଇଁ ଏବଂ ସମସ୍ତ ନିୟମାବଳୀ ଠିକ୍‌ରେ ପାଳନ ହେଉଛି ବୋଲି ସେମାନେ ସୁନିଶ୍ଚିତ କରନ୍ତି । କିନ୍ତୁ ବାକି ସବୁ ପାରମ୍ପରିକ କ୍ରୀଡ଼ାଠୁ ଭିନ୍ନ । ଚାଇବସା କ୍ଷେତ୍ରର ହୋ ସମୁଦାୟର ପ୍ରାଚୀନ ଜନଜାତି ପରମ୍ପରାକୁ ଏହା କ୍ରୀଡ଼ାରେ ସାମିଲ କରିଛି ।

ସମଗ୍ର ଭାରତରେ ୧୦ ଲକ୍ଷରୁ କିଛି ଅଧିକ ହୋ ଜନଜାତିର ଲୋକେ ଅଷ୍ଟ୍ରୋଆସିଆଟିକ ସମୂହର । ସେମାନେ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଭାବେ ନିଜକୁ ପରିଚୟ ଦିଅନ୍ତି । ସେମାନଙ୍କ ଭାଷାରେ ‘ହୋ’ ଶବ୍ଦର ଅର୍ଥ ଝାଡ଼ଖଣ୍ଡର କୋଲହାନ କ୍ଷେତ୍ରର ମାନବ ବା ଲୋକ । ଭାରତର କିଛି ସର୍ବବୃହତ କୋଇଲା ଓ ଖଣିଜ ଖାଦାନର ପେଣ୍ଠସ୍ଥଳୀ ସତ୍ତେ୍ୱ ଏହା ଦେଶର ଅନ୍ୟତମ ସବୁଠୁ ଗରିବ ରାଜ୍ୟ । ସାନ୍ତାଳ, ହୋ ଓ ମୁଣ୍ଡା ଭଳି ଅଷ୍ଟ୍ରୋଆସିଆଟିକ୍ ଜନଜାତି ଏକ ଘନିଷ୍ଠ ସମ୍ପ୍ରଦାୟ ଭଳି ପାରମ୍ପରିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ଏମାନଙ୍କ ମଧ୍ୟରେ ବନ୍ଧନର ଖୁସି ପାଳନ ଲାଗି ସାଥୀ ଜନଜାତି ସମୁଦାୟଗୁଡ଼ିକୁ ଆମନ୍ତ୍ରଣ କରିବାକୁ ଫୁଟବଲ୍ କ୍ରୀଡ଼ା ଆୟୋଜନ ଏକ ସୁଯୋଗ ।

ହୋ ଜନଜାତି ପାଇଁ ଖାସି ବିନା ଖୁସି ପାଳନ ଅପୂର୍ଣ୍ଣ ରହିଯାଏ । ଧାର୍ମିକ ଆୟୋଜନ ଓ ରୀତିନୀତି ସମୟରେ ଖାସି ବଳି ଦିଆଯାଏ ଏବଂ ଏହି ମାଂସକୁ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ବଣ୍ଟାଯାଏ । ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଟୁର୍ନାମେଣ୍ଟର ଚୂଡ଼ାନ୍ତ ମ୍ୟାଚ୍‌ରେ ଖାସି ଉପହାର ପ୍ରଦାନ ଲାଗି ଆୟୋଜକ ନିଷ୍ପତ୍ତି ନେଇଥିଲେ । ରଙ୍ଗିଲା ଷ୍ଟାର୍ ଟୁର୍ନାମେଣ୍ଟ ହୋ ସମ୍ପ୍ରଦାୟର ସଂସ୍କୃତିର ପ୍ରତିଫଳନ । ଉପହାର ସ୍ୱରୂପ ଖାସି ଏହାକୁ ଆହୁରି ନିଆରା କରେ । ଜନଜାତି ବହୁଳ ରାଜ୍ୟ ଝାଡ଼ଖଣ୍ଡ ଦୀର୍ଘ ଦଶନ୍ଧି ଧରି ଖେଳ ପାୱାରହାଉସ୍ ହୋଇ ରହିଛି । ବିଶ୍ୱସ୍ତରରେ ପୁରସ୍କୃତ ହକି ଖେଳାଳି ଓ ଆଥ୍‌ଲେଟଙ୍କୁ ଏହା ସୃଷ୍ଟି କରିଛି । ଏମାନଙ୍କ ମଧ୍ୟରେ ଭାରତର ପୂର୍ବତନ କ୍ରିକେଟ୍ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି ଅନ୍ୟତମ ।

ଆହୁରି ପଢ଼ନ୍ତୁ...Airplane Seats Shrinking: ମଣିଷ ମୋଟା ହେଉଛି, ସିଟ୍ ଆକାର କମୁଛି : ୪୦ ବର୍ଷରେ ସଙ୍କୁଚିତ ହୋଇଛି ବିମାନ ସିଟ୍

ରାଜ୍ୟ ସରକାର ଆର୍ଥିକ ଅନୁଦାନ ଜରିଆରେ ସ୍ଥାନୀୟ ଫୁଟବଲ୍ ଓ ହକି କ୍ଲବ୍ ଭଳି ରଙ୍ଗିଲା ଷ୍ଟାର୍‌ଙ୍କୁ ସାହାଯ୍ୟ କରୁଛନ୍ତି । ଏହା ପରବର୍ତ୍ତୀ ପିଢ଼ିର ଫୁଟବଲ୍ ଷ୍ଟାର୍‌ଙ୍କ ଅଭ୍ୟୁଦୟର ମାର୍ଗ ପ୍ରଶସ୍ତ କରୁଛି । ରଙ୍ଗିଲା ସମେତ ଏଭଳି ଅନେକ କ୍ଲବ୍ ମହିଳା ଟିମ୍‌ଙ୍କ ପାଇଁ ମଧ୍ୟ ଟୁର୍ନାମେଣ୍ଟ ଆୟୋଜନ କରୁଛନ୍ତି । କିନ୍ତୁ ୧୦ ବର୍ଷ ତଳେ କ୍ରୀଡ଼ା ମାନଚିତ୍ରରେ ଚାଇବସା ନ ଥିଲା । ସୁଦୂର ଜଙ୍ଗଲ ଓ ପାହାଡ଼ ଘେରା ଏହି ଜିଲ୍ଲା ମାଓବାଦୀ ବିଦ୍ରୋହ ଯୋଗୁ ମୁଖ୍ୟସ୍ରୋତଠୁ ବିଚ୍ଛିନ୍ନ ହୋଇଥିଲା । ୨୦୧୧ରେ ସରକାର ମାଓବାଦୀଙ୍କଠୁ ଚାଇବସା ଉପରେ ପୁନଃ ନିୟନ୍ତ୍ରଣ ହାସଲ କଲେ । ଗତ ମାର୍ଚ୍ଚରେ ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ସଶସ୍ତ୍ର ମାଓବାଦୀ ବିଦ୍ରୋହର ଅନ୍ତ ଘୋଷଣା କରିବା ପରେ ଚାଇବସା ବ୍ୟସ୍ତବହୁଳ ସହରରେ ରୂପାନ୍ତରିତ ହେଲା । ଜନଜାତି ଲୋକେ ଶିକ୍ଷା ସମେତ ତମାମ ସୁଯୋଗ ହାସଲ କଲେ । ଫୁଟବଲ୍ ହଟ୍ ସ୍ପଟ୍ ରୂପେ ଚାଇବସା ଦ୍ରୁତ ଆଗକୁ ବଢୁଛି ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଉତ୍ପନ୍ନ କରୁଛି ।