ଫିରିଙ୍ଗିଆ ୨୮/୧୨: ଆକ୍ସନ ମୁଡରେ ଗୋଚ୍ଛାପଡ଼ା ପୁଲିସ। ନଷ୍ଟ କଲେ ବ୍ୟାପକ ଗଞ୍ଜେଇ ଗଛ। କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦେଶ ଓ ଜିଲ୍ଲା ପୁଲିସ ମୁଖିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି।
କନ୍ଧମାଳ ଜିଲ୍ଲାର ଗଞ୍ଜେଇ କାରବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଗୋଛାପଡା ପୋଲିସ ପକ୍ଷରୁ ଏହି ଅଭିଯାନ ତେର ଦିନରେ ପହଞ୍ଚିଛି । ତେର ଦିନରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଜାମଝିରି ପଞ୍ଚାୟତର କିଲୁପାଙ୍ଗ ଓ ବାଦାସାଙ୍ଗି ଗାଁ ନିକଟବର୍ତ୍ତୀ ପ୍ରାୟ ୧୫୨ ଏକର ପରିମିତ ଜଙ୍ଗଲରେ ହୋଇଥିଲା ଗଞ୍ଜେଇ ଚାଷ। ପାଖାପାଖି ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦିଆଯାଇଛି। ରବିବାର ଦିନ ହୋଇଥିବା ଏହି ଅଭିଯାନରେ ବନବିଭାଗ, ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀ ସାମିଲ ରହିଥିଲେ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା। ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ସମସ୍ତଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ କଟା ଯାଇଥିବାବେଳେ ଗୋଛାପଡା ଥାନାରେ ୨୫୩/୨୦୨୫ ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି ।