ଈଶ୍ୱରଙ୍କ ବିରୁଦ୍ଧରେ ଅଧିକାଂଶ ମଣିଷଙ୍କର ନାନାଦି ଅଭିଯୋଗ, ଅସନ୍ତୋଷ । ବହୁ ସମୟରେ ମୋ ନିକଟରେ ଅଭିଯୋଗ ହୁଏ ଯେ, ଈଶ୍ୱରଙ୍କ ପାଇଁ ଯାହା ଯାହା କରିବାର କଥା ସେମାନେ ଦୈନନ୍ଦିନ କରୁଛନ୍ତି । ପ୍ରତିଦିନ ପୂଜାପାଠ କରିବା, ବିଷ୍ଣୁ ସହସ୍ର ନାମ ପଢ଼ିବା, ଗାୟତ୍ରୀ ମନ୍ତ୍ର ଜପ କରିବା, ପ୍ରତି ମଙ୍ଗଳବାର-ଶନିବାର ମହାବୀର ମନ୍ଦିରକୁ ଯିବା, ଜଗନ୍ନାଥଙ୍କ ଆଳତି ପ୍ରତ୍ୟହ ବଡିଭୋରରୁ ଯାଇ ଦର୍ଶନ କରିବା, ଫୁଲ ଫଳ ଭୋଗ କରିବା, ଖାଣ୍ଟି ଗୁଆଘିଅରେ ଦୀପ ଦେବା ଇତ୍ୟାଦି ସବୁ କିଛି । ହଁ, ସବୁ କିଛି ଯାହା ସେମାନଙ୍କ ସାମର୍ଥ୍ୟ ଭିତରେ ଅଛି । ତଥାପି, କାହିଁକି ଠାକୁର ତାଙ୍କ ଡାକ ଶୁଣୁନାହାଁନ୍ତି । ତେଣୁ ସ୍ୱାଭାବିକ ଭାବେ ମନରେ ସେମାନଙ୍କର ପ୍ରଶ୍ନ- ସତରେ କ'ଣ ଠାକୁର କାଲା କି? ଏମିତି ତ ଦେଖିବାକୁ ଗଲେ ଶ୍ରୀଜଗନ୍ନାଥଙ୍କର ବାସ୍ତବରେ ଆଦୌ କାନ ନାହିଁ । କେବଳ ଜଗନ୍ନାଥଙ୍କର କାନ ନାହିଁ, ନା ସବୁ ଠାକୁରଙ୍କ କାନ ଥିଲେ ମଧ୍ୟ ସେମାନେ ପ୍ରତ୍ୟେକ କାଲା ଶ୍ରେଣୀଭୁକ୍ତ?

ତା'ରି ଉତ୍ତର ମୁଁ ଆଜି ଦେଉଛି । ଈଶ୍ୱର ଆଦୌ କାଲା ନୁହଁନ୍ତି । ତୁମ ଇପ୍ସିତ କାମନାର ପରିପୂର୍ତ୍ତି ହୋଇପାରୁନାହିଁର ଅର୍ଥ ନୁହେଁ ଯେ, ଈଶ୍ୱର କାଲା । ତୁମେ ଯାହା ମାଗୁଥିଲ ତାହା ସେ ଦେଇନାହାଁନ୍ତିର ଅର୍ଥ ନୁହେଁ ଯେ, ସେ କାଲା । ଏପରି ଆଦୌ ନୁହେଁ । ପ୍ରଥମ କଥା ହେଲା, ସେ ଶୁଣିଲାଯୋଗ୍ୟ କିଛି କଥା ତୁମେ କୁହନାହିଁ । ତୁମେ ଯାହା କହିଥାଅ ସେସବୁକୁ ଜଣେ ଶୁଣିବ, ସେ ଯୋଗ୍ୟତା ତୁମ କଥାରେ ନଥାଏ । ବାସ୍ତବିକ ତୁମେ କହିଥାଅ କ'ଣ? ତୁମେ ଯେବେ ତୁମ ତୁଳସୀ ମାଳ ଧରି ହେଉ ଅବା ଆଖି ମୁଦି ରାମ ରାମ ଜପ କରିଥାଅ, ମନ୍ତ୍ର ଜପ କରୁଥାଅ³ ସେ ଜପିବା ସହ ନା’ ରାମଙ୍କର ଅବା ଈଶ୍ୱରଙ୍କର କୌଣସି ସଂପର୍କ ଥାଏ । ସେତିକିବେଳେ ତୁମେ ଭାବୁଥାଅ ଆଉ କିଛି । ଈଶ୍ୱରଙ୍କ ନାମ ତ କେବଳ ଏକ ବାହାନା ମାତ୍ର । କାହାର ଅଦାଲତରେ ମକଦ୍ଦମା ଜିତିବାର ଅଛି । କାହାର ନିର୍ବାଚନରେ ଜିତିବାର ଅଛି । କାହାର ପୁଅ ନାତି ରୋଗରୁ ମୁକ୍ତ ହେବାର ଅଛି । କାହାର ବିପଥଗାମୀ ପୁଅ ଭଲରାସ୍ତାକୁ ଫେରିବାର ଅଛି । କାହାର ଝିଅ ବାହାଘର, ପୁଅର ଚାକିରି, ପତ୍ନୀର ରୋଗ, ଘରତୋଳା, ଚାକିରିରେ ପ୍ରମୋସନ ଇତ୍ୟାଦି ଇତ୍ୟାଦି ହଜାରେ ଏକ ମାଗୁଣି । ସବୁ କିଛି ମାଗିବା । କେବଳ ମାଗିବା । ରାମ ନାମ ଜପୁଛ ସତ, ମନ୍ତ୍ର ଜପୁଛ ସତ । ସବୁ କିଛି ମିଛ, ଠକାମି । ଉଦ୍ଦେଶ୍ୟ ଆଉ କିଛି । କେମିତି ଲଟେରୀ ଟିକେଟ୍ ଉଠିଯାଆନ୍ତା, ଚାକିରି ମିଳିଯାଆନ୍ତା, ପ୍ରେମିକା ମିଳିଯାଆନ୍ତା, ଏଇମିତି କେତେ କ’ଣ ତୁମର ପ୍ରୟୋଜନ । ଏହି ପ୍ରୟୋଜନ ହିଁ ତୁମ ପାଇଁ ବାଧା । ତୁମର ଏ ପ୍ରୟୋଜନ ପାଇଁ ହିଁ ଈଶ୍ୱର ଜାଣିଶୁଣି କାଲାର ଅଭିନୟ କରୁଛନ୍ତି ।

ପରମାତ୍ମା ଆଦୌ କାଲା ନୁହଁନ୍ତି । ତାଙ୍କ ସାମ୍ନାରେ ଚିଲେଇବାର ଆବଶ୍ୟକତା ନାହିଁ । ଆମ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ତ ଦର୍ଶନାର୍ଥୀ ବଡ଼ ପାଟିରେ ଗଳା ଫଟେଇ ରଡ଼ି ଛାଡ଼ିଥାନ୍ତି "ଆହେ କାଳିଆର ଭୁଜ', ସତେଯେମିତି ପ୍ରଭୁ ଶ୍ରୀଜଗନ୍ନାଥ କାଲା, କହିବାର କଥା ହେଲା- ତୁମେ ଯଦି ମୌନରେ ବି ତାଙ୍କୁ ସ୍ମରଣ କଲ, ତାହାଲେ ବି ସେ ଶୁଣିନେବେ। ତାଙ୍କ ପାଖରେ ତୁମ କଥା ପହଞ୍ଚିଯିବ । କାରଣ ହେଲା- ସେ ମୌନ ପ୍ରାର୍ଥନା ତୁମ ହୃଦୟରୁ ବାହାରିଥାଏ । ତୁମ ହୃଦୟରେ ଯଦି କୌଣସି କଥା ଉଠେ, ତେବେ ତାଙ୍କ ପାଖରେ ଅବଶ୍ୟ ପହଞ୍ଚି ଯାଇଥାଏ । କିନ୍ତୁ ମନେରଖ ତୁମର ମାଗିବା, ପ୍ରାର୍ଥନା ତାଙ୍କ ପାଖରେ ପହଞ୍ଚିବାର ଯଦି ଯୋଗ୍ୟତା ରଖିନଥାଏ । ତୁମେ ତୁମ ପ୍ରାର୍ଥନାରେ ଏତେସବୁ ଅଳିଆ ଭର୍ତ୍ତି କରିଦେଇଥାଅ ଯେ, ତୁମ ପ୍ରାର୍ଥନା ପରମାତ୍ମାଙ୍କ ପାଖରେ ପହଞ୍ଚି ପାରେନାହିଁ । ତୁମ ପ୍ରାର୍ଥନା ବୋଝ ହୋଇଯାଏ । ଉଡ଼ିବା ପାଇଁ ବୋଝମୁକ୍ତ ହେବା ଦରକାର । ତୁମେ ଯେବେ କୌଣସି ଉଚ୍ଚ ସ୍ଥାନକୁ ଚଢ଼ୁଥାଅ, ପାହାଡ଼ ଉପରେ ଚଢ଼ିଥାଅ, ବୋଝ କମ୍ କରିବାକୁ ପଡ଼ିଥାଏ । ଯେତେ ଉପରକୁ ଉଠିବ, ଶରୀରର ବୋଝ ସେତିକି କମ୍ ହେବା ଦରକାର । ଅବିକଳ ସେଇମିତି, ପ୍ରାର୍ଥନାରେ ଯଦି କିଛି ବାସନା ଥାଏ, ତେବେ ତାହା ବୋଝ ହୋଇଯାଏ । ଯଦି ବାସନା ନାହିଁ ତେବେ ନିର୍ବୋଝ । ନିର୍ବାସନା ପ୍ରାର୍ଥନା ତତ୍କକ୍ଷଣାତ୍ ପହଞ୍ଚି ଯାଇଥାଏ । ସାମାନ୍ୟ ଡେରି ହୁଏନାହିଁ । ପ୍ରାର୍ଥନା ସେତିକିବେଳେ ପୂରା ହୋଇଥାଏ, ଯେବେ ତୁମେ ତୁମ ନିଜ ପ୍ରାର୍ଥନା ପ୍ରତି ସଜାଗ ହୋଇ କହିଥାଅ– “ତୁ ମୋ ମାଗିବା ପ୍ରତି ଆଦୌ ଧ୍ୟାନ ଦେବୁନାହିଁ । ମୋ ମାଗିବା ତ ନିଶ୍ଚୟ ଭୁଲ୍‌ଭାଲ୍ ହୋଇଥିବ, ଯେହେତୁ ମୁଁ ନିଜେ ଜଣେ ଭୁଲ୍ ମଣିଷ । ମୁଁ ଠିକ୍ ମାଗିବି କେମିତି? ମୋର ଭ୍ରାନ୍ତ ଅଜ୍ଞାନରେ ପୂର୍ଣ୍ଣ ହୃଦୟରୁ ଠିକ୍ ପ୍ରାର୍ଥନା ଆସିବ କେମିତି? ସେଇଥିପାଇଁ ହେ ପ୍ରଭୁ, ତୁ ସେଇଆ ଦେ, ଯାହା ତୁ ଦେବାକୁ ଚାହୁଁଛୁ, ମୋ ମୂର୍ଖତା ଆଡ଼େ ଧ୍ୟାନ ଦେବୁନାହିଁ” ।

ଯେମିତି ଛୋଟ ପିଲା ଯାହା ବୋଲି ତାହା ମାଗିଥାଏ, କିନ୍ତୁ ତୁମେ ତା’ ମାଗିବା ପ୍ରତି ଆଦୌ ଧ୍ୟାନ ଦେଇନଥାଅ । ଛୋଟ ପିଲାକୁ ଥଣ୍ଡା ହେଉଛି, ଗଳା ଫିଟୁନି, ଅଥଚ ସେ ତୁମକୁ ରାତିରେ ଆଇସ୍କ୍ରିମ୍ ଖାଇବାକୁ ମାଗୁଛି । ସେତେବେଳେ ବାପାମାଆ ପିଲା କଥାକୁ ଧ୍ୟାନ ଦେଇନଥାନ୍ତି । ପିଲାକୁ ଭୁଲେଇବାକୁ ଚେଷ୍ଟା କରିଥାନ୍ତି । ଏଇନେ ଏତେ ରାତିରେ ଆଇସ୍କ୍ରିମ୍ କୁଆଡ଼େ ମିଳିବ । ସକାଳ ହେଉ ଦୋକାନ ଖୋଲୁ ତୋତେ ଆଇସ୍କ୍ରିମ୍ ଆଣି ଦେବି । ନାନାଦି ବାହାନା କରିବାକୁ ପଡ଼ିଥାଏ, କାରଣ ଛୋଟ ପିଲାର ପ୍ରତ୍ୟେକ କଥା– ମୋର ଏଇଟା ଦରକାର, ମୋର ସେଇଟା ଦରକାରକୁ ତ ପୂରଣ କରାଯାଇପାରେନା । ପିଲା ତ ଯାହା ବୋଲି ତାହା ମାଗିପାରେ । ଆସନ୍ନପ୍ରସବା ଗର୍ଭବତୀ ମାଆଟିଏ ତା’ ଛୋଟ ପୁଅକୁ ଖୁସିରେ କହିଲା– ଆରେ ତୋର ଆଉ ଏକ ଛୋଟ ଭାଇ ଆସିବ । ତୁ ଏଥରକ ତା’ ସହ ଖେଳିବୁ । ଏକଥା ଶୁଣି ଛୋଟ ପୁଅଟିର ମନ ଉଦାସ ହୋଇଗଲା । ତା’ ମାକୁ କହିଲା– ମାଆ ମୋର ଭାଇଫାଇ ଦରକାର ନାହିଁ ।

ମୁଁ ତ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଛି– ହେ ଭଗବାନ, ଏଥରକ ମୋ ପାଇଁ ଛୋଟ ଘୋଡ଼ାଟେ ପଠାଇବୁ । ମୋର ଘୋଡ଼ା ଦରକାର । ଭାଇଫାଇ ନୁହେଁ । ମୋତେ ଲାଗିଲାଣି ତୁ ବୋଧେ ମୋ ପ୍ରାର୍ଥନା ଶୁଣୁନାହୁଁ । କହିବାର କଥା ହେଲା– ପିଲାଙ୍କ ମାଗିବା ହେଲା ପିଲାଳିଆମି ମାଗିବା। ଆଉ ଆମ ପ୍ରତ୍ୟେକଙ୍କର ମାଗିବା ମଧ୍ୟ ପିଲାଙ୍କ ମାଗିବା ଠାରୁ କୌଣସି ଗୁଣରେ ମହତ୍ତ୍ୱପୂର୍ଣ୍ଣ ନୁହେଁ । ଆଉ ପିଲାଙ୍କ ମାଗିବା ତ ନିର୍ଦ୍ଦୋଷ ଅଟେ । କିନ୍ତୁ ଆମ ମାଗିବା ଆଦୌ ନିର୍ଦ୍ଦୋଷ ନୁହେଁ । ବଡ଼ ଚାଲ୍ବାଜି, ବଡ଼ ଚାଲାକିରେ ଆମ ମାଗିବାଟା ପୂର୍ଣ୍ଣ । ଏଇଥିପାଇଁ ତ ଆମ ପ୍ରାର୍ଥନା ଈଶ୍ୱରଙ୍କ ପାଖରେ ପହଞ୍ଚି ପାରେନାହିଁ । "ପ୍ରାର୍ଥନା' ଶବ୍ଦର ଅର୍ଥ ତ ଏବେ କେବଳ "ମାଗିବା' ହୋଇଯାଇଛି । ବନ୍ଧୁ! ମାଗିବାରୁ ମୁକ୍ତ କର ପ୍ରାର୍ଥନାକୁ, ପ୍ରାର୍ଥନା ପହଞ୍ଚିଯିବ ଈଶ୍ୱରଙ୍କ ପାଖରେ । ପରମାତ୍ମା ଆଦୌ କାଲା ନୁହଁନ୍ତି ।