ବରଗଡ଼, ୯/୧୨ : ବରଗଡ଼ ଜିଲ୍ଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇପାରି ନାହିଁ। ଜିଲ୍ଲାର ଗୋଡଭଗା, ଅତାବିରା ସମେତ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ ସ୍ବାଭାବିକ ହୋଇପାରି ନାହିଁ। ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। 

​​​​​​​

ଏହି କ୍ରମରେ ଅସନ୍ତୁଷ୍ଟ ଚାଷୀମାନେ ମଙ୍ଗଳବାର ଗୋଡଭଗା ମଣ୍ଡିରେ ଏକାଠି ହୋଇଥିଲେ। ସେଠାରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। ଫଳରେ ଚାଷୀମାନେ ଗୋଡଭଗା ମଣ୍ଡି ସମ୍ମୁଖ ୫୩ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି। ଶତାଧିକ ଗାଡି ଅଟକି ରହିଛି।