ନୂଆଦିଲ୍ଲୀ,୦୧/୦୨: ରବିବାର ଉପସ୍ଥାପନ ହେବାକୁ ଯାଉଛି ବଜେଟ ୨୦୨୬-୨୭ । ଏହା ପରେ ସୁନା ଏବଂ ରୁପା କିଣିବା ଶସ୍ତା ହୋଇପାରେ । ସରକାର ଉଭୟ ଧାତୁରେ ଲାଗୁଥିବା ସୀମା ଶୁଳ୍କକୁ ୬%ରୁ ଖସାଇ ୪% କରିପାରନ୍ତି । ଯଦି ଏହା ହୁଏ ତେବେ ୧୦ ଗ୍ରାମ ପିଛା ସୁନା ପାଖାପାଖି ୩ ହଜାର ଏବଂ ରୁପା ୬ ହଜାର ଟଙ୍କା ଶସ୍ତା ହୋଇପାରେ ।

ରିପୋର୍ଟ ମୁତାବକ, ବଜେଟରେ ସୁନା ଏବଂ ରୁପା ଉପରେ ସୀମା ଶୁଳ୍କ କମିପାରେ । ସୁନାର ଚୋରାଚାଲାଣକୁ ରୋକିବା ପାଇଁ ଏହା ଉପରେ ବିଚାର କରାଯାଇପାରେ । ୬% ଆମଦାନି ଶୁଳ୍କ ଏବଂ ୩% ଜିଏସ୍‌ଟି ମିଶିଲେ ସୁନା ଉପରେ ଏବେ ମୋଟ ୯% ଟିକସ ଲାଗୁଛି । ଆମଦାନି ଶୁଳ୍କ ୪%କୁ କମିଲେ ମୋଟ ଶୁଳ୍କ ୭%କୁ କମିଯିବ । ୨୦୨୫ରେ ସୁନା ୭୫% ଏବଂ ରୁପା ୧୬୭% ମହଙ୍ଗା ହୋଇଛି । ଏବେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୧.୬ ଲକ୍ଷ ଏବଂ କିଲୋଗ୍ରାମ ପିଛା ରୁପା ୩,୨୦,୦୦୦ ଟଙ୍କା ରହିଛି ।

ବିଶ୍ୱବ୍ୟାପୀ ବଢୁଥିବା ଅନିଶ୍ଚିତତା ଯେପରି ବାଣିଜ୍ୟ ଯୁଦ୍ଧ ଏବଂ ଭୁ-ରାଜନୈତିକ ସମସ୍ୟା ଯୋଗୁ ନିବେଶକ ରିସ୍କ କମ୍ କରିବା ପାଇଁ ସୁନାକୁ ନିରାପଦ ଆସେଟ୍ ଭାବେ ଗ୍ରହଣ କରିଛନ୍ତି । ଜେପି ମୋର୍ଗାନ ମୁତାବକ, ଅନିଶ୍ଚିତତା ହିଁ ଦର ବଢ଼ିବାର ସବୁଠୁ ବଡ଼ କାରଣ । ସେହିଭଳି ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଦ୍ୱାରା ଡଲାର ଦୁର୍ବଳ ହୋଇଛି । ଯେହେତୁ ସୁନା ଏବଂ ରୁପା ଡଲାରରେ କାରବାର ହୋଇଥାଏ ତେଣୁ ଡଲାର ଖସିବା ଦ୍ୱାରା ଉଭୟ ଧାତୁ ମହଙ୍ଗା ହେଉଛି ।

୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଖରେ ମୋଟ ୩୨,୧୪୦ ଟନ୍ ସୁନା ଥିଲା । ବିଶ୍ୱ ସୁନା ପରିଷଦ (ଡବ୍ଲ୍ୟୁଜିସି) ଅନୁସାରେ, ୨୦୨୨ରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ୧,୦୮୨ ଟନ୍ ସୁନା କିଣିଥିଲେ, ୨୦୨୩ରେ ୧,୦୩୭ ଟନ୍ ଏବଂ ୨୦୨୪ରେ ରେକର୍ଡ ୧,୧୮୦ ଟନ୍ ସୁନା କ୍ରୟ କରିଥିଲେ । ବର୍ଷ ୨୦୨୫ରେ ବି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା କ୍ରୟ ୧ ହଜାର ଟନ୍ ପାର୍ ହୋଇଯାଇଛି । ଏହା ବି ସୁନା ଦର ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ । ସେହିଭଳି ରୁପାର ୫୦%ରୁ ଅଧିକ ବ୍ୟବହାର ସୌର ପ୍ୟାନେଲ, ଇଭି ବ୍ୟାଟେରି ଏବଂ ଚିପ୍ସ ତିଆରିରେ ହୋଇଥାଏ । ଚାହିଦା ବଢ଼ିବା ଯୋଗୁ ରୁପା ସୁନାଠାରୁ ଅଧିକ ରିଟର୍ଣ୍ଣ ଦେଇଛି । ସେହିଭଳି ଚାହିଦା ତୁଳନାରେ ଯୋଗାଣ କମିବା ଦ୍ୱାରା ମଧ୍ୟ ସୁନା ଏବଂ ରୁପା ଦର ବଢ଼ିଛି ।

ଆହୁରି ପଢ଼ନ୍ତୁ: - ଭାରତର ଅଭିବୃଦ୍ଧିକୁ ମିଳିବ ନୂଆ ଇଞ୍ଜିନ, ୫ ବର୍ଷ ପାଇଁ ନୂଆ କଣ୍ଟ୍ରି ଫ୍ରେମ୍ୱାର୍କ ଘୋଷଣା