ଜଗତସିଂହପୁର/ରଘୁନାଥପୁର,୧୩/୦୭: ଲଗାତାର ଚେନ୍‌ ଲୁଟ୍‌ ପରେ ପୁଣି ଅପରାଧର ପୁନରାବୃତ୍ତି ଘଟିଛି ରାହାମାର ବଡ଼ବଜାରରେ । ନିମକଣା ଅଞ୍ଚଳର ଜଣେ ମହିଳା ଏକ ଅଳଙ୍କାର ଦୋକାନରୁ ବାହାରିବା କ୍ଷଣି ଜଣେ ଦୁର୍ବୃତ୍ତ ଏକ ଖଣ୍ଡା ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍‌କୁ ଝାମ୍ପି ନେଇ ଚମ୍ପଟ ମାରିଥିଲା । 

ସେହିପରି କଟକରୁ ସ୍କୁଟିରେ ରଘୁନାଥପୁର ଥାନା  ଅନ୍ତର୍ଗତ ରୁଦ୍ରେଶ୍ୱର ମହାଦେବ ତୋଳା ଗ୍ରାମର ଦୁଲା  ପ୍ରଧାନ ଓ ତାଙ୍କ ସ୍ତ୍ରୀ ମିନତି ପ୍ରଧାନ ଆସୁଥିବା ବେଳେ ତାଙ୍କୁ  ଦୁଇ ଜଣ ଦୁର୍ବୃତ୍ତ ପଲସର ଗାଡିରେ ପିଛା କରୁଥିଲେ ।  କିନ୍ତୁ ରଘୁନାଥପୁର ବଜାର ନିକଟରେ ଜଣେ ଗାଡ଼ିରୁ ଓହ୍ଲାଇ ଫୋନ୍‌ କରୁଥିବାବେଳେ ଆଉ ଜଣେ ପଲସର ଗାଡି ଷ୍ଟାର୍ଟ କରି ରହିଥାଏ । ଗାଡ଼ିରୁ ଓହ୍ଲାଇ ଥିବା ଯୁବକ  ଫୋନ୍‌ କାନରେ ଦେଇ ପାଖରେ ଥିବା ମହିଳାଙ୍କ ବେକରୁ  ସୁନା ଚେନ୍‌ ଝିଙ୍କି ନେଇ ଆଖି ପିଛୁଳାକେ ଘଟଣା ସ୍ଥଳରୁ ପାରାଦୀପ ଆଡକୁ କ୍ଷୀପ୍ର ଗତିରେ ପଳାଇ ଯାଇଥିଲେ ।