ଭୁବନେଶ୍ବର, ୧୮/୨୦: ମୁଣ୍ଡ ଉପରେ ବାହାଘର । କିଣା ସରିଲାଣି ଭାର । ଅଳ୍ପ କିଛି ଜିନିଷକୁ ଛାଡ଼ିଦେଲେ କେବଳ ସୁନା-ରୁପା ଗହଣା କିଣିବା ବାକି ଅଛି । କେବେ କିଣିବେ ଆଉ କେଉଁଠୁ କିଣିବେ, ତାକୁ ନେଇ ପଡ଼ିଛି ଭାଳେଣି । ଏପଟେ କିନ୍ତୁ ସୁନା-ରୁପା ଦର ଲଗାତାର ହ୍ରାସ ପାଉଥିଲେ ମଧ୍ୟ ସମସ୍ତଙ୍କ ପାଇଁ ହଳଦିଆ ଧାତୁ କିଣିବା କାଠିକର ପାଠ । ହେଲେ ଏହା ଉପରେ ସମସ୍ତଙ୍କର ମତ ଭିନ୍ନ ଭିନ୍ନ । କିଏ କହୁଛି ଏବେ ସଠିକ୍ ସମୟ କିଣିଦେ ରେଟ୍ ଶସ୍ତା ଅଛି । ଆଉ କିଏ କହୁଛି ଟିକିଏ ରହିଯାଆ ଦର ଆହୁରି କମିବ । ସଠିକ୍ ସମୟ ଆସିଲେ କିଣିବୁ ଦୁଇ ପଇସା ବଞ୍ଚିଯିବ । ଏଭଳି ଦ୍ବନ୍ଦ୍ବ ଭିତରେ ଯଦି ଅଛନ୍ତି ତେବେ ଏହି ରିପୋର୍ଟ ପଢ଼ୁନ୍ତୁ ସୁନା କିଣିବାର ସଠିକ୍ ସମୟ ଜଣାପିରବେ ।

୧୮ ମାସ ଭିତରେ ସୁନା ଓ ରୁପା ଦର ରେକର୍ଡ ସ୍ତରକୁ ଛୁଇଁବା ପରେ କିଛି ଦିନ ହେଲା ଏହା ହ୍ରାସ ପାଇବାରେ ଲାଗିଛି । ହେଲେ ଏହା ଏପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ବ୍ୟବହାର ଯୋଗ୍ୟ ଦର ପର୍ଯ୍ୟନ୍ତ ପହଞ୍ଚି ନାହିଁ । ସୁନା ଏବଂ ରୁପା ସର୍ବକାଳୀନ ରେକର୍ଡ ଭାଙ୍ଗିବା ପରେ ଏବେ ଦରରେ ବ୍ରେକ୍ ଲାଗିଛି । ବୁଧବାର ଅନ୍ତଃରାଷ୍ଟ୍ରୀୟ ବଜାର ଖୋଲିବା ପରେ ଗୋଲ୍ଡ ଏବଂ ସିଲଭର ଦର ରେକର୍ଡ ସ୍ତରକୁ ହ୍ରାସ ପାଇଛି । ୨୦ ଦିନ ପୂର୍ବରୁ ଏହି ମୂଲ୍ୟବାନ ଧାତୁ ଉପରମୁହାଁ ହୋଇଥିଲା । ଗ୍ରାହକଙ୍କ ଉପରେ ବଜ୍ର ପଡ଼ୁଥିଲା ମାତ୍ର ମାଲେମାଲ ହେଉଥିଲେ ନିବେଶକ । ବର୍ତ୍ତମାନ ସମୟରେ ସୁନା ଅଳଙ୍କାର କିଣିବା ପୂର୍ବରୁ ସତର୍କ ହେବା ଜରୁରୀ । ଆବଶ୍ୟକତା ହିସାବରେ ବା ବିବାହ ସମୟରେ ସୁନା ଓ ରୁପର ଗହଣା କିଣିବା ଦରକାର । ଏବେ ତ କିଛି ମାତ୍ରାରେ ଦର ହ୍ରାସ ପାଇଛି, ଅପେକ୍ଷା କଲେ ଏହି ଦର ରେକର୍ଡ ସ୍ତରକୁ ଖସିବ ।

ମଙ୍ଗଳବାର ରାତିରେ ଗୋଲ୍ଡ ଏବଂ ସିଲଭରର ଦର ହ୍ରାସ ପାଇଥିଲା । ଗତକାଲି ଏମସିଏକ୍ସରେ ରୂପା ୫.୫୮ ପ୍ରତିଶତ ଏବଂ ସୁନା ୨.୪୫ ପ୍ରତିଶତ ହ୍ରାସ ପାଇଥିଲା । ମଙ୍ଗଳବାର ସୁନା ୧୦ ଗ୍ରାମ ପ୍ରତି ଦର ୧,୫୧,୮୦୦ ଟଙ୍କା ଥିଲା । ସେହିପରି ରୁପା କିଲୋଗ୍ରାମ ପ୍ରତି ୨,୩୦, ୨୦୪ ଟଙ୍କା ଥିଲା । ମାତ୍ର ବୁଧବାର ଏହି ରେଟ୍ ସାମାନ୍ୟ ବୃଦ୍ଧି ପାଇଛି । MCX ଅନୁଯାୟୀ, ହଳଦିଆ ଧାତୁ ମୂଲ୍ୟ ୧.୩୦ ପ୍ରତିଶତ ଅର୍ଥାତ୍ ୧୯୦୦ ଟଙ୍କା ବଢ଼ିଛି । ଆଜିର ଦର ଉପରେ ନଜର ପକାଇଲେ ସୁନା ୧୦ ଗ୍ରାମ୍ ପ୍ରତି ମୂଲ୍ୟ ୧.୫୩ ଲକ୍ଷ ଟଙ୍କାରେ ପହଞ୍ଚି କାରବାର କରୁଛି । ସେହିଭଳି ଚାନ୍ଦି ଦର ମଧ୍ୟ ଉଚ୍ଛୁଳିଛି । ବୁଧବାର ୪ ପ୍ରତିଶତ ବା କିଲୋ ପ୍ରତି 9ହଜାର ଟଙ୍କା ବୃଦ୍ଧି ପାଇଛି ।

କାହିଁକି ବଢୁଛି ସୁନା-ରୁପା ଦର?

ସୁନା ରୁପା ଦରରେ କ୍ରମାଗତ ହ୍ରାସ ଯୋଗୁଁ ଲୋକମାନେ ଅଧିକରୁ ଅଧିକ କିଣୁଛନ୍ତି । ତେଣୁ ଦୁଇଟି ଧାତୁର ଦର ପୁଣି ଥରେ ବଢିବା ନେଇ ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି । ଅପର ପକ୍ଷରେ ଇରାନ ହର୍ମୁଜ୍ ସଙ୍କୁଚିତ ସମୁଦ୍ରମାର୍ଗର କିଛି ଅଂଶକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି । ଯେଉଁଠାରୁ ପୃଥିବୀର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ ଯାଏ। ଏହା ସହିତ ଆମେରିକା ସହ ଇରାନର ତିକ୍ତତା ଯୋଗୁଁ ଜିଓପଲିଟିକାଲ ସ୍ଥିତି ଗମ୍ଭୀର ହୋଇଛି। ଏହାର ପ୍ରଭାବ ସୁନା-ରୁପା ଉପରେ ପଡୁଥିବା କୁହାଯାଉଛି ।

କେତେ ପର୍ଯ୍ୟନ୍ତ ବଢିପାରେ ସୁନା ?

ଏନରିଚ୍ ମନିର ସିଇଓ ପୋନମୁଡି ଆର୍ MCX ସୁନା ଉପରେ କହିଛନ୍ତି ଯେ, ସୁନା ଦର ୧,୮୦,୦୦୦-୧,୮୧,୦୦୦ ସର୍ବକାଳୀନ ରେକର୍ଡ ଭାଙ୍ଗିବା ପରେ ୧,୫୦,୦୦୦-୧, ୬୦.୦୦୦ ରେ ସ୍ଥିର ରହିବାର ସମ୍ଭାବନା ରହିଛି। ବିଶେଷଜ୍ଞମାନେ କହିଛନ୍ତି, ଯଦି ସୁନା ଦର ୧୦ ଗ୍ରାମ ପ୍ରତି ୧,୪୫,୦୦୦-୧,୫୦,୦୦୦ ଭିତରେ ରୁହେ ତେବେ ଅଧିକ ବ୍ୟବସାୟ ହେବ। ହେଲେ ପରବର୍ତ୍ତୀ ସମୟରେ ସୁନା ଦର ୧୦ ଗ୍ରାମ ପିଛା ୧,୬୫,୦୦୦-୧,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ।

କେତେ ବଢିବ ରୂପା ?

ରୂପା ସମ୍ବନ୍ଧରେ ସେ କହିଛନ୍ତି ଯେ, ରୂପା ଫ୍ୟୁଚର୍ସ ୪,୨୦,୦୦୦ ଟଙ୍କାରୁ ତୀବ୍ର ପତନ ପରେ ବର୍ତ୍ତମାନ ୨,୩୦,୦୦୦-୨,୭୦,୦୦୦ ଟଙ୍କାରେ ବ୍ୟବସାୟ ହେଉଛି। ଦୀର୍ଘକାଳୀନ ଭାବେ ଏହି ଦରରେ ରୂପା ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି। ତେବେ ୨,୨୫,୦୦୦-୨,୩୫,୦୦୦ ଟଙ୍କାର ସପୋର୍ଟ ବ୍ୟାଣ୍ଡରେ ଅଧିକ ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଛି। ହେଲେ ପରବର୍ତ୍ତୀ ସମୟରେ ରୂପା କିଲୋ ପ୍ରତି ୩,୦୦,୦୦୦-୩,୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି। ​​​​​​​​​​​​​​

ଅଧିକ ପଢ଼ନ୍ତୁ-ଭାଙ୍ଗିଲା ସୁନା-ରୁପାର ଅହଙ୍କାର: ହାଇ ଲେବୁଲରୁ ଚାନ୍ଦି ଲକ୍ଷେ ୮୦ ହଜାର ଶସ୍ତା