ନୂଆଦିଲ୍ଲୀ ୧୩/୦୧: ଆରମ୍ଭ ହୋଇଛି ହଲିଉଡ୍ ସମ୍ମାନ ଋତୁର ଆଦ୍ୟ ପର୍ବ । କାଲିଫର୍ଣ୍ଣିଆର ବେଭରଲି ହିଲ୍ସର ବେଭରଲି ହିଲଟନ୍ରେ ଧୂମ୍ଧାମରେ ଶେଷ ହୋଇଛି ୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡସ୍ । ଫିଲ୍ମ ଓ ଟେଲିଭିଜନ୍ ଦୁନିଆର ସର୍ବୋତ୍କୃଷ୍ଟ କଳା ଓ କଳାକାରଙ୍କୁ ଏହା ସମ୍ମାନ ଦେଇଛି ।
ପଲ୍ ଥୋମାସ୍ ଆଣ୍ଡରସନ୍ଙ୍କ ଫିଲ୍ମ ‘ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର’ ୯ ପୁରସ୍କାର ପାଇଁ ନୋମିନେଟ୍ ହୋଇଥିଲା । ତନ୍ମଧ୍ୟରୁ ୪ଟିରେ ବିଜୟୀ ହୋଇଛି । ଲିଓନାର୍ଡୋ ଡିକାପ୍ରିଓ ଷ୍ଟାରର୍ ଏହି ଫିଲ୍ମ ମ୍ୟୁଜିକାଲ/ କମେଡି ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଲାଭ କରିଛି । ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଚିତ୍ରନାଟ୍ୟ ପୁରସ୍କାର ବି ପାଇଛି । ତେୟାନା ଟେଲର୍ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ଲାଭ କରିଛନ୍ତି ।
ଶ୍ରେଷ୍ଠ ଡ୍ରାମା (ଫିଲ୍ମ) ଭାବେ ଗୋଲ୍ଡେନ୍ ଗ୍ଲୋବ୍ସ ହାତେଇଛି ‘ହାମ୍ନେଟ୍’ । ଜେସି ବକ୍ଲି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଲାଭ କରିଛନ୍ତି । ‘ଦ ସିକ୍ରେଟ୍ ଏଜେଣ୍ଟ୍’ ପାଇଁ ଶ୍ରେଷ୍ଠ ଅଭିନେତା (ଡ୍ରାମା/ଫିଲ୍ମ) ସମ୍ମାନ ଲାଭ କରିଛନ୍ତି ୱାଗନର ମୌରା । ମୋସନ୍ ପିକ୍ଚରରେ ମୁଖ୍ୟ କଳାକାର ଭାବେ ଗୋଲ୍ଡେନ୍ ଗ୍ଲୋବ୍ ଜିତିଥିବା ସେ ପ୍ରଥମ ବ୍ରାଜିଲବାସୀ । ‘ଦ ସିକ୍ରେଟ୍ ଏଜେଣ୍ଟ୍’ ଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ ସମ୍ମାନ ମଧ୍ୟ ଲାଭ କରିଛି ।
ଟେଲିଭିଜନ୍ ଜଗତରେ ୪ ବଡ଼ ପୁରସ୍କାର ହାତେଇଛି ନେଟ୍ଫ୍ଲିକ୍ସ ସିରିଜ୍ ‘ଆଡୋଲସେନ୍ସ’ । ଏହା ଶ୍ରେଷ୍ଠ ଲିମିଟେଡ୍ ସିରିଜ୍ ପୁରସ୍କାର ଜିତିଛି । ଏହାର ମୁଖ୍ୟ କଳାକାର ଷ୍ଟିଫେନ୍ ଗ୍ରାହମ୍ ଶ୍ରେଷ୍ଠ ଅଭିନେତା ସମ୍ମାନ ଲାଭ କରିଛନ୍ତି । ଓୱେନ୍ କୁପର୍ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଛନ୍ତି । ୧୬ ବର୍ଷ ବୟସରେ ଏହା ତାଙ୍କର ପ୍ରଥମ ଗୋଲ୍ଡେନ୍ ଗ୍ଲୋବ୍ । ଏରିନ୍ ଡୋହର୍ଟି ଶ୍ରେଷ୍ଠ ସହ-ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ‘ଦ ପିଟ୍’ ଶ୍ରେଷ୍ଠ ଅଭିନେତା (ଡ୍ରାମା) ଓ ଶ୍ରେଷ୍ଠ ସିରିଜ୍ ପୁରସ୍କାର ପାଇଛି । ଟେଲିଭିଜନ୍ ଡ୍ରାମା ‘ପ୍ଲୁରିବସ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଛନ୍ତି ରିଆ ସିହର୍ନ ।
ଏ ବର୍ଷ ଗୋଲ୍ଡେନ୍ ଗ୍ଲୋବ୍ସରେ ପ୍ରଥମ ଥର ଏକ ନୂଆ ବିଭାଗ ଯୋଡ଼ି ହୋଇଛି, ଯେଉଁଥିରେ ପଡ୍କାଷ୍ଟକୁ ସମ୍ମାନିତ କରାଯାଇଛି । ‘ଗୁଡ୍ ହ୍ୟାଙ୍ଗ୍ ୱିଥ୍ ଏମି ପୋହଲର୍’ ପାଇଁ ଶ୍ରେଷ୍ଠ ପଡ୍କାଷ୍ଟ ଗୋଲ୍ଡେନ୍ ଗ୍ଲୋବ୍ ସମ୍ମାନ ଲାଭ କରିଛନ୍ତି ଏମି ପୋହଲର । ଗତ ବର୍ଷ ଭଳି ଏ ଥର ବି ଚମତ୍କାର ସଂଚାଳନା ଜରିଆରେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲେ କମେଡିଆନ୍ ନିକ୍କି ଗ୍ଲାସର୍ । ଏହି ଐତିହାସିକ ସମ୍ମାନ ସମାରୋହର ପ୍ରଥମ ମହିଳା ହୋଷ୍ଟ୍ ଭାବେ ନିକ୍କି ଗତ ବର୍ଷ ଇତିହାସ ରଚିଥିଲେ ।