କେନ୍ଦୁଝର,୨୦/୦୧: ଶନିବାର ଯେମିତି ଗୋ-ମାଫିଆଙ୍କ ପାଇଁ ଥିଲା ଶନିଦଶାର ବାର । ଏହିଦିନ ୪ଟି ଜିଲ୍ଲାର ୪୬ଟି ସ୍ଥାନରେ କେନ୍ଦୁଝର ପୁଲିସ ଯେଭଳି ଅତର୍କିତ ଚଢ଼ଉ କରି ୧୦ ମାଫିଆଙ୍କ ଉପରେ ପଞ୍ଝା ମାରିଥିଲା ସେଥିରେ ସମସ୍ତେ ଭୀତତ୍ରସ୍ତ ହୋଇପଡ଼ିଥିଲେ । ଦାମୀ ଗାଡ଼ି, ସୁନା, ରୁପା ଓ ନଗଦ ଟଙ୍କାକୁ ମିଶାଇ ପୁଲିସ ଅନ୍ୟୂନ ୫୦ କୋଟିର ସମ୍ପତ୍ତି ଜବତ କରିଥିଲା । ଯେଉଁଠି ପୁଲିସର ହାତ ବାଜିଲା ସେଠି ଖାଲି ପୁଳା ପୁଳା ଟଙ୍କା ଆଉ ସୁନା । କେନ୍ଦୁଝର ପୁଲିସ ଆଉ ପାଦେ ଆଗେଇଛି । ଗୋ-ମାଫିଆଙ୍କ ମେରୁଦଣ୍ଡକୁ ପ୍ରହାର କରିଛି । ଗିରଫ ୧୦ ଗୋ-ମାଫିଆଙ୍କ ନାମରେ ଥିବା ପ୍ରାୟ ୧୪୬ଟି ଆକାଉଣ୍ଟକୁ ସୋମବାର ଅଚଳ(ଫ୍ରିଜ୍) କରିଛି । ଏହାସହିତ ୧୧ଟି ବ୍ୟାଙ୍କରେ ଅଭିଯୁକ୍ତଙ୍କ ରହିଥିବା ଲକର ଯାଞ୍ଚ ପାଇଁ ରିକ୍ୟୁଜିସନ୍ ପୁଲିସ ପକ୍ଷରୁ କରାଯାଇଛି । ସମସ୍ତ ସମ୍ପତ୍ତି ଆକଳନ ହେବା ପରେ ତାହାକୁ ବାଜ୍ୟାପ୍ତି ପାଇଁ ଅଦାଲତକୁ ନିବେଦନ କରାଯିବ । ଗୋ ମାଫିଆ ଭଦ୍ରକର ଶେଖ ରାଜନ୍ ଓରଫ ତାଜୁଦ୍ଦିନ, କେନ୍ଦୁଝର ଜିଲ୍ଳା ଘଟଗାଁ ଥାନାର ସାନ୍ତରାପୁର ଗ୍ରାମର ଟିପୁ ସୁଲତାନ, ତୁରୁମୁଙ୍ଗା ଥାନାଞ୍ଚଳର କୁନା ସାହୁ, ମଣ୍ଟୁ ଓରଫ ଅରୁଣ କୁମାର ସାହୁ ଓ ସିପୁ ସାହୁ, ମୟୂରଭଞ୍ଜ ଜିଲ୍ଲା ବିଶୋଇର ଟୁନା ଓରଫ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଇରଙ୍ଗପୁର ତେଣ୍ଟପଶି ଗ୍ରାମର ଶେଖ ନୟିମ୍, ଝାରପୋଖରିଆର ସୁଜିତ ମହାନ୍ତି, ହରିଚନ୍ଦନପୁର ବ୍ଲକ ଜାମୁଯୋଡି ଗ୍ରାମର କୁନୁ ପଠାନ ଓ ନାସିର ଅଲ୍ଲୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।
ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗୋ ମାଫିଆମାନେ ବିପୁଳ ସମ୍ପତ୍ତି ସମ୍ପର୍କୀୟଙ୍କ ନାମରେ ମଧ୍ୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତମାନେ ଜେରା ସମୟରେ ମଧ୍ୟ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ପୁଲିସ ସେହି ଆଧାରରେ ଅନୁସନ୍ଧାନ ଜାରି ରଖିଛି । ବ୍ୟାଙ୍କର ଜମାଖାତା ସହିତ ଲକରରେ ମଧ୍ୟ ଅନେକ ସମ୍ପତ୍ତି ଥିବା ଜଣାପଡ଼ିଛି । ବ୍ୟାଙ୍କ ପକ୍ଷରୁ ଦିନ ଧାର୍ଯ୍ୟ ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଲକର ଖୋଲାଯିବ । ଅଦ୍ୟାବଧି ୨୪ଟି ୪ ଚକିଆ ଯାନ ସହିତ ୧୬ଟି କୋଠା ଚିହ୍ନଟ୍ ହୋଇସାରିଲାଣି । ପୁଲିସ ମାଫିଆଙ୍କ କୋଠା ଚିହ୍ନଟ୍ ହେବା ମାତ୍ରେ ଯନ୍ତ୍ରୀଙ୍କ ଦ୍ୱାରା ମାପଚୁପ କରି ଏହାର ମୂଲ୍ୟ ଆକଳନ କରି ଅଦାଲତକୁ ଅବଗତ କରିବ । ସୋମବାର ବାଲେଶ୍ୱରରେ ଏକ କୋଠା ପୁଲିସ ଠାବ ହୋଇଛି । ପ୍ରତ୍ୟେକ ଅଭିଯୁକ୍ତଙ୍କ ନାମରେ କେନ୍ଦୁଝରର ବିଭିନ୍ନ ଥାନାରେ ୫୦ରୁ ଅଧିକ ମାମଲା ରହିଛି । ଗୋ ମାଫିଆଙ୍କ ସମ୍ପର୍କରେ ପୁଲିସ ଏକ ତାଲିକା ପ୍ରସ୍ତୁତ କରିଛି । ତେଲକୋଇରେ ୩୦ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସେହିପରି ଅନ୍ୟ ଥାନା ଗୁଡିକରେ ମଧ୍ୟ ମାମଲା ରୁଜୁ ପରେ ପ୍ରାୟ ୭୦ ଜଣଙ୍କ ତାଲିକା ପୁଲିସ ପ୍ରସ୍ତୁତ କରିଛି ।
ଅନ୍ୟପକ୍ଷରେ ଅପରାଧୀମାନେ ଦାମୀ ଗାଡ଼ି ଓ ସମ୍ପତ୍ତି ଠୁଳ କରିଥିବା ବିଷୟରେ ଆୟକର ବିଭାଗ ମଧ୍ୟ ଅନୁଧ୍ୟାନ କରିବ ବୋଲି ସୂଚନା ମିଳିଛି । ଏସ୍ପି ନିତିନ୍ କୁଶଲକରଙ୍କ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଏସ୍ପି ଗୋ ସୁରକ୍ଷା ଅଭିଯାନକୁ ପରିଚାଳନା କରୁଛନ୍ତି । ଏ ସମ୍ପର୍କରେ ଏସ୍ପି ନିତିନ କୁଶଲକର କୁହନ୍ତି କେନ୍ଦୁଝର ପୁଲିସର ଗୋ ରକ୍ଷକ ଅପରେସନ୍ ସମସ୍ତ ଅପରାଧୀଙ୍କୁ ଧରିବା ପର୍ଯ୍ୟନ୍ତ ଜାରି ରହିବ । ମଙ୍ଗଳବାର, ବୁଧବାର ମଧ୍ୟରେ ଲକର ଖୋଲାଯିବା ସହିତ ବ୍ୟାଙ୍କରେ ଜମା ରହିଥିବା ରାଶି ଯାଞ୍ଚ କରାଯିବ । ଅଭିଯୁକ୍ତଙ୍କ ସମସ୍ତ ଆକାଉଣ୍ଟ ଜବତ କରାଯାଇଛି । ସେମାନେ ସେହି ଆକାଉଣ୍ଟରେ କାରବାର କରିପାରିବେ ନାହିଁ । ଉକ୍ତ ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯିବାକୁ ପଦକ୍ଷେପ ନିଆଯିବ ।