ନୂଆଦିଲ୍ଲୀ ୧୩/୦୬: ଲଣ୍ଡନର ଜେମି ମିକ୍‌ ତାଙ୍କ ଗୁଜରାଟ ବୁଲା ଶେଷ କରି  ଘରକୁ ଫେରିବାକୁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅର୍ନ୍ତଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ।  ବୁଧବାର ରାତିରେ ସେ ଭାରତ ଯାତ୍ରାର ଅନୁଭୂତି ଉପରେ  ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ କରିଥିଲେ । ସାଙ୍ଗରେ ତାଙ୍କ ବନ୍ଧୁ  ଫିଓଞ୍ଜଲ ଗ୍ରିନ୍‌ଲ-ମିକ୍‌ ଥିଲେ । ଏଥିରେ ସେ କହିଥିଲେ  ‘ଭାରତରେ ଶେଷ ରାତି’ । ଗୁରୁବାର ସକାଳେ ଜେମି  ବିମାନକୁ ଯିବା ପୂର୍ବରୁ ଆଉ ଏକ ଭିଡିଓ ପୋଷ୍ଟ କରି ‘ଗୁଡ୍‌ ବାଏ ଇଣ୍ଡିଆ’ କହିଥିଲେ ।  




ତାଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଅନୁସାରେ ସେ ଏକ ଆଧ୍ୟାତ୍ମିକ ସୁସ୍ଥତା କେନ୍ଦ୍ର ‘ୱେଲନେସ  ଫାଉଣ୍ଡାରୀ’ର ନିର୍ଦ୍ଦେଶକ । ସେହିପରି ତାଙ୍କ ବନ୍ଧୁ ଫିଓଞ୍ଜଲ ଏକ ଭିଡିଓ ଷ୍ଟୋରୀରେ  କହିଥିଲେ, ଏଠାରେ ବେଶ୍‌ ଚମତ୍କାର ଅନୁଭୂତି ମିଳିଛି । ଚମତ୍କାର କଥା ଘଟିଛି । ଏହି  ଯାତ୍ରା ମନେରହିବ । ଏଠାରେ ବେଶ୍‌ ସ୍ୱାଦିଷ୍ଟ ଖାଦ୍ୟ ବି ଉପଭୋଗ କରିଛୁ । ଇଂଲଣ୍ଡକୁ  ୧୦ ଘଣ୍ଟାର ବିମାନ ଯାତ୍ରା କରିବାକୁ ହେବ ବୋଲି ଉଭୟେ ଭିଡିଓରେ କହିଥିଲେ ।  ତେବେ ଏହାର କିଛି ସମୟ ପରେ ସେମାନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପୂରା ଦେଶକୁ ସ୍ତବ୍ଧ  କରିଦେଇଛି । ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନର  ୧୨ କ୍ରୁ ସଦସ୍ୟ, ୨ ପାଇଲଟ ଏବଂ ୨୩୦ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ  ଛାଡ଼ିଦେଲେ ବାକି ସମସ୍ତଙ୍କର ମୃତ୍ୟୁ ଘଟିଛି । ବିମାନ ଉଡ଼ାଣ କରିବା  ପରର ସେହି ଛାତିଥରା ଦୃଶ୍ୟ ସାମ୍‌ନାକୁ ଆସିଛି । ଟେକ୍‌ଅଫ୍‌ର ମାତ୍ର  ୩୦ ସେକେଣ୍ଡ ମଧ୍ୟରେ ବିଶାଳକାୟ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମ୍‌ଲାଇନର ଦୁର୍ଘଟଣାଗ୍ରସ୍ତ ହୋଇ ପାଉଁଶ ହୋଇଯାଇଥିଲା।