ମୁମ୍ବାଇ,୩୦/୦୫: ମହାରାଷ୍ଟ୍ରରେ  ଦୁଇ ଡାକ୍ତରଙ୍କ ଭିତରେ କଥାବାର୍ତ୍ତାର ଏକ  ଅଡିଓ ଭାଇରାଲ ହୋଇଛି । ଏଥିରେ  ଜଣେ ଡାକ୍ତର ନିଜ ସହକର୍ମୀଙ୍କୁ ନିର୍ଦ୍ଦେଶ  ଦେଉଛନ୍ତି, ‘ତୁମେ ସେହି ମହିଳା କରୋନୀ  ରୋଗୀଙ୍କୁ ମାରିଦିଅ’ । ଏହି ଅଡିଓ  ୨୦୨୧ରେ କୋଭିଡ୍‌ ମହାମାରୀ ସମୟର  ବୋଲି କୁହାଯାଉଛି । ଅଡିଓ ଭାଇରାଲ  ହେବା ପରେ ପୁଲିସ ଦୁଇ ଡାକ୍ତରଙ୍କ  ବିରୋଧରେ ମାମଲା ରୁଜୁ କରିଛି । 

ସୋସିଆଲ ମିଡିଆରେ ଭାଇରାଲ  ହୋଇଥିବା ଏହି ଅଡିଓରେ ଅଭିଯୁକ୍ତ ଡାକ୍ତର ଶଶିକାନ୍ତ ଦେଶପାଣ୍ଡେ ଏବଂ  ଡାକ୍ତର ଶଶିକାନ୍ତ ଡାଙ୍ଗେ କଥାବର୍ତ୍ତା  ହେଉଥିବା ଶୁଣିବାକୁ ମିଳିଥିଲା । ଡାକ୍ତର  ଦେଶପାଣ୍ଡେ ୨୦୨୧ରେ କୋଭିଡ୍‌  ମହାମାରୀବେଳେ ଲାତୁରର ଉଦଗିରି  ସରକାରୀ ହସ୍ପିଟାଲରେ ଅତିରିକ୍ତ ଜିଲ୍ଲା ସର୍ଜନ ଥିଲେ । ଡାକ୍ତର ଡାଙ୍ଗେ ଏକ  କୋଭିଡ୍‌-୧୯ କେୟାର ସେଣ୍ଟରରେ ମୁତୟନ ଥିଲେ । ଏହି ଅଡିଓ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଏବଂ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଲାଗିଥିବାବେଳର । ସେହି ସମୟରେ  ସଂକ୍ରମିତଙ୍କ ଚିକିତ୍ସା ଲାଗି ଡାକ୍ତରଖାନାରେ ସମ୍ବଳର ଅଭାବ ଦେଖାଦେଇଥିଲା । 

ରିପୋର୍ଟ ଅନୁସାରେ, ଅଡିଓରେ ଡା. ଦେଶପାଣ୍ଡେ ଡା. ଡାଙ୍ଗେଙ୍କୁ କହୁଛନ୍ତି ଯେ କାହାରିକୁ ଭିତରକୁ ଛାଡ଼ନାହିଁ । ସେହି ମହିଳାଙ୍କୁ ମାରିଦିଅ । ଏହା ଉପରେ ଡା. ଡାଙ୍ଗେ ସାବଧାନତାପୂର୍ଣ୍ଣ ଜବାବ ଦେଇ କହୁଛନ୍ତି ଯେ, ପୂର୍ବରୁ ହିଁ ଅକ୍ସିଜେନ ସପୋର୍ଟ କମ୍‌ କରିଦିଆଯାଇଛି । ଚିକିତ୍ସିତ ହେବାକୁ ଆସିଥିବା ମହିଳା ଜଣକ ହେଲେ ଦୟାମୀ ଅଜିମୋଦିନ୍‌ ଗୌସୋଦ୍ଦିନ୍‌(୫୩) ଙ୍କ ସ୍ତ୍ରୀ କୌସର ଫାତିମା । କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ୨୦୨୧  ଏପ୍ରିଲ ୧୫ରେ ଉଦଗିର ସରକାରୀ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଫାତିମାଙ୍କୁ ହସ୍ପିଟାଲର କ୍ୱାରେଣ୍ଟାଇନ  ସେଣ୍ଟରରେ ରଖାଯାଇଥିଲା । ସେଠାରେ  ସେ ୧୦ ଦିନ ରହିଥିଲେ । ଭର୍ତ୍ତି ହେବାର  ୭ମ ଦିନରେ ସେ ଖାଉଥିବା ସମୟରେ ଡାକ୍ତର ଡାଙ୍ଗେ ତାଙ୍କ ପାଖରେ ଥିଲେ ।  ସେହି ସମୟରେ ଡା. ଦେଶପାଣ୍ଡେଙ୍କ ଫୋନ୍‌ ଆସିଥିଲା ଏବଂ ଡା. ଡାଙ୍ଗେ ତାଙ୍କ  ସହ କଥା ହୋଇଥିଲେ । ଦେଶପାଣ୍ଡେ  କହିଥିଲେ, ‘ଦୟାମୀ ରୋଗୀଙ୍କୁ ମାରିଦିଅ ।  ଏପରି ଲୋକଙ୍କ ସହ ଡିଲ୍‌ କରିବା ଅଭ୍ୟାସ  ତୁମର ଅଛି ।’ ପୁଲିସ ଡା. ଦେଶପାଣ୍ଡେଙ୍କ  ମୋବାଇଲ ଫୋନ୍‌ ଜବତ କରିଛି । ଦୁଇ  ଡାକ୍ତରଙ୍କୁ ନୋଟିସ୍‌ ମଧ୍ୟ ଜାରି ହୋଇଛି ।  ଡା. ଡାଙ୍ଗେ ଜିଲ୍ଲାକୁ ଫେରିବା ପରେ ତାଙ୍କ  ମୋବାଇଲ ଜବତ କରାଯାଇ ଯାଞ୍ଚ ହେବ  ବୋଲି ପୁଲିସ କହିଛି ।  

ଫାତିମାଙ୍କ ସ୍ୱାମୀ ଅଜିମୋଦିମ୍‌  କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ପାଇଁ ବେଡ୍‌ ନାହିଁ  ବୋଲି ପ୍ରଥମେ କୁହାଯାଇଥିଲା । ଡାକ୍ତର ଜଣକ ଫାତିମାଙ୍କୁ ମାରିଦେବାକୁ ମଧ୍ୟ  କହିଥିଲେ । ହେଲେ ସେତେବେଳେ ସ୍ତ୍ରୀ  ଅସୁସ୍ଥ ଥିବାରୁ ସେ ଚୁପ୍‌ ରହିଥିଲେ । କିଛି  ଦିନ ପରେ ଫାତିମା ସୁସ୍ଥ ହୋଇ ଘରକୁ  ଫେରିଥିଲେ। ଏପରି କରି ଡାକ୍ତର ତାଙ୍କ  ଧାର୍ମିକ ଭାବନାକୁ ଆହତ କରିଛନ୍ତି ବୋଲି  ଅଜିମୋଦିମ୍‌ ଅଭିଯୋଗ କରିଛନ୍ତି ।