ନୂଆଦିଲ୍ଲୀ, ୦୭/୦୫ : ଉନ୍ନତ ପବ୍ଲିକ ୱାଇ-ଫାଇ ବ୍ୟବସ୍ଥା ଆଣିବା ଲାଗି ପ୍ରସ୍ତୁତି କରୁଛନ୍ତି ସରକାର। ଏହାଦ୍ୱାରା ୟୁଜରଙ୍କ ଅଭିଜ୍ଞତା ଉନ୍ନତ କରିବା ଏବଂ ଡିଜିଟାଲ ନେଣଦେଣରୁ ଅଧିକ ସୁରକ୍ଷିତ କରିବା ଉପରେ ଫୋକସ କରାଯାଇଛି । ଏବେ ୟୁଜରଙ୍କୁ ପ୍ରତି ହଟ୍‌ସ୍ପଟ୍‌ ଲାଗି ଭିନ୍ନ ଭିନ୍ନ ପାସ୍‌ୱାର୍ଡ ଆବଶ୍ୟକ ହେବନି । ସାରା ଦେଶରେ ରହିଥିବା ୪ ଲକ୍ଷ ହଟ୍‌ସ୍ପଟରେ ଏକକ ଓଟିପି କିମ୍ବା ପାସ୍‌ୱାର୍ଡ ଜରିଆରେ ଲଗ୍‌ଇନ୍‌ କରାଯାଇପାରିବ । ଟ୍ରାଇ ଏ ସମ୍ପର୍କିତ ପରାମର୍ଶ ପତ୍ର ଜାରି କରିଛି । ଲୋକଙ୍କଠାରୁ ଏ ନେଇ ମତାମତ ଲୋଡାଯାଇଛି । 

ସାର୍ବଜନୀନ ୱାଇ-ଫାଇକୁ ସୁରକ୍ଷିତ କରିବା ଲାଗି ୱାଇଫାଇ ପ୍ରୋଟେକ୍ଟେଡ ଆକ୍ସେସ ୩ ଭଳି ମାନକ ଲାଗୁ କରାଯାଇଛି। ଏହାଦ୍ୱାରା ଭିଡ ଇଲାକା ଗୁଡିକରେ ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟ ଲାଗି ଅତିରିକ୍ତ ସୁରକ୍ଷା କଭର ଆସିବ । ସରକାର ପ୍ରସ୍ତାବିତ ୱାଇଫାଇ ସିଷ୍ଟମରେ ଅପରେଟରଙ୍କ ଲାଗି ଆୟର ମଡେଲ ଭାବେ ବିକଶିତ କରିବାକୁ ଯୋଜନା ରଖିଛନ୍ତି । ଏଥିଲାଗି ବିଜ୍ଞାପନ ଆଧାରିତ ମଡେଲ, ପେଡ୍‌ ପ୍ଲାନ ଏବଂ ସବସିଡି ଭଳି ବିକଳ୍ପ ଉପରେ ଚିନ୍ତା କରାଯାଉଛି । ସହର ଗୁଡିକରେ ୱାଇ-ଫାଇ ସ୍ପିଡ୍‌ ଇଣ୍ଟରନେଟ ଏବଂ ଗ୍ରାମାଞ୍ଚଳରେ ସୁଲଭ କମ୍ୟୁନିଟି ୱାଇ-ଫାଇ ମଡେଲ କାର୍ଯ୍ୟକାରୀ ହେବ । 

ଦେଶର ୧୪୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୨% ୱାଇଫାଇର ଉପଯୋଗ କରୁଛନ୍ତି । ଦକ୍ଷିଣକୋରିଆରେ ୮୦%, ଆମେରିକାରେ ୭୦%, ୟୁରୋପ-ଚୀନରେ ୬୦% ଏବଂ ଇଂଲଣ୍ଡରେ ୫୦% ଜନସଂଖ୍ୟା ୱାଇଫାଇ ବ୍ୟବହାର କରୁଛନ୍ତି । ଟ୍ରାଇ ଦ୍ୱାରା ପ୍ରସ୍ତାବିତ ନୂଆ ଢ଼ାଞ୍ଚା କେବଳ ଇଣ୍ଟରନେଟର ପହଞ୍ଚ ବଢ଼ାଇବ ନାହିଁ ଏବଂ ମୋବାଇଲ ନେଟୱର୍କରେ ରହିଥିବା ଡାଟା ଚାପକୁ କମାଇବ । ବିଏସ୍‌ଏନ୍‌ଏଲ୍‌ର ପୂର୍ବତନ ଅଧ୍ୟକ୍ଷ ଅରୁଣ ଶ୍ରୀବାସ୍ତବ କହିଛନ୍ତି, ଏଭଳି ପ୍ରସ୍ତାବ ଜରିଆରେ ସଂଯୋଗରେ ଉନ୍ନତି, ସୁଲଭ ଇଣ୍ଟରନେଟ ଏବଂ ଡିଜିଟାଲ ଭିତ୍ତିଭୂମି ଦୃଢ଼ ହେବ । ଡାଟା ପ୍ଲାନ ନେଉ ନ ଥିବା ୟୁଜର ଏହା ଦ୍ୱାରା ବିଶେଷ ଭାବେ ଲାଭବାନ ହେବେ ।

ଏହି ଖବରଟିକୁ ପଢନ୍ତୁ- Vande Mataram : ବନ୍ଦେ ମାତରମ୍‌କୁ ଜାତୀୟ ସଙ୍ଗୀତ ଅନୁରୂପ ମାନ୍ୟତା, ଅସମ୍ମାନ କଲେ ହୋଇପାରେ ଜେଲ୍‌