ନୂଆଦିଲ୍ଲୀ, ୦୭/୦୫ : ପଶ୍ଚିମବଙ୍ଗରେ ପ୍ରଚଣ୍ଡ ବିଜୟ ଲାଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଷ୍ଟଗୀତ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ସହ ସମାନ ମାନ୍ୟତା ଦିଆଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସରକାର ‘ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମ’ରେ ସଂଶୋଧନ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ସଂଶୋଧନ ଲାଗୁ ହେବା ପରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ‘ବନ୍ଦେ ମାତରମ’ ଉପରେ ବି ସେହି ନିୟମ ଏବଂ କଟକଣା ଲାଗୁ ହେବ, ଯାହା ଏବେ ଜାତୀୟ ସଙ୍ଗୀତ ପାଇଁ ରହିଛି । ଏହାର ଉଲ୍ଲଂଘନକୁ ଅପରାଧ ବିବେଚନା କରାଯିବ । ଅର୍ଥାତ ଏହାର ଅସମ୍ମାନ କଲେ ଏଣିକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ୍ ଦଣ୍ଡ, ଜରିମାନା ଆଦି ହୋଇପାରେ ।
ଏବେର ଆଇନ ଅନୁସାରେ, ଜାତୀୟ ପତାକା, ସମ୍ବିଧାନ, ଜାତୀୟ ସଙ୍ଗୀତର ଅପମାନ କଲେ ଜେଲ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି । ପ୍ରସ୍ତାବିତ ସଂଶୋଧନ ପରେ ‘ବନ୍ଦେ ମାତରମ୍’ ମଧ୍ୟ ଏହି ପରିସରକୁ ଆସିବ । କେନ୍ଦ୍ର ସରକାର ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ଆଇନର ଧାରା ୩ରେ ସଂଶୋଧନ କରାଯିବ । ଏହି ଧାରା ଅନୁସାରେ, ଯଦି କୌଣସି ବ୍ୟକ୍ତି ଜାଣିଶୁଣି ରାଷ୍ଟ୍ରଗୀତ ଗାନ ବେଳେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରେ କିମ୍ବା ରୋକେ ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ, ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ ।
କେନ୍ଦ୍ର ସରକାର ବୁଧବାର ‘ବନ୍ଦେ ମାତରମ୍’ ଗାନ ପାଇଁ ଔପଚାରିକ ପ୍ରୋଟୋକଲ ଲାଗି ଗାଇଡଲାଇନ ଜାରି କରିଛନ୍ତି । ଏହା ଅନୁସାରେ ବନ୍ଦେ ମାତରମର ସମ୍ପୂର୍ଣ୍ଣ ଭର୍ସନ ରହିବ, ଯେଉଁଥିରେ ୬ ଶ୍ଲୋକ ରହିଛି । ଏହାର ଅବଧି ପ୍ରାୟ ୩ ମିନିଟ୍ ୧୦ ସେକେଣ୍ଡ । ଏହାକୁ ପ୍ରମୁଖ ସରକାରୀ ସମାରୋହ ବେଳେ ପ୍ରସ୍ତୁତ ବା ଗାନ କରାଯିବ । ଏହାକୁ ଜାତୀୟ ପତାକା ଉତ୍ତୋଳନ, ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମରେ ଔପଚାରିକ ଆଗମନ ଏବଂ ପ୍ରସ୍ଥାନ ସମାରୋହ ଏବଂ ନିର୍ଦ୍ଧାରିତ ଭାଷଣ ପୂର୍ବରୁ କିମ୍ବା ପରେ କାର୍ଯ୍ୟକ୍ରମରେ ସାମିଲ କରାଯିବ।
ଏହି ଖବରଟିକୁ ପଢନ୍ତୁ- Bihar Cabinet Expansion: ବିହାର କ୍ୟାବିନେଟ୍ରେ ବିଜେପି-ଜେଡିୟୁର ପାୱାର ଗେମ୍, ଶପଥ ନେବେ ୩୦ ମନ୍ତ୍ରୀ