ଭୁବନେଶ୍ଵର, ୧୪/୦୧ : ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି। ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ। ଏଥିରେ ଖିଲାପ କଲେ ତାଗିଦ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି।
ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟମାନଙ୍କରେ ତଥା ବ୍ଳକ, ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି। ଏହି ନିର୍ଦ୍ଦେଶନାମା କିପରି ପାଳନ ହେଉଛି, ସେ ସମ୍ପର୍କରେ ଏକ ରିପୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ପଠାଇବାକୁ କୁହାଯାଇଛି। ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧସ୍ତନ କାର୍ଯ୍ୟାଳୟ, ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ ଅନୁଷ୍ଠାନ ଯେପରିକି ବିଭିନ୍ନ ନିଗମ, ପୌରସଂସ୍ଥା ଓ ସ୍ବୟଂଚାଳିତ ସଂସ୍ଥା ଇତ୍ୟାଦି ଏହି ନିର୍ଦ୍ଦେଶକୁ ପାଳନ କରିବେ। ପ୍ରଶାସନିକ ଭାଷାକୋଷକୁ ସମସ୍ତେ ବ୍ୟବହାର କରିବେ। ଯେଉଁ ଅଧିକାରୀ ଏହାର ଖିଲାପ କରିବେ ତାଙ୍କୁ ତାଗିଦ୍ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ।
ସୂଚନାଯୋଗ୍ୟ ଯେ, ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ୨୦୨୪ ଅଗଷ୍ଟରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ସବୁ ବିଭାଗକୁ ଜାରି ହୋଇଥିଲା। ହେଲେ ସରକାରୀ ବାବୁମାନେ ତାହାକୁ ପାଳନ କରୁନଥିଲେ। ମୁଖ୍ୟମନ୍ତ୍ରୀ ଏହି କଥାକୁ ଅନୁଭବ କରି ପୁଣି ଥରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ଦୁଇ ଦିନ ଶୀତ ଲହରୀ, ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଜାଡ଼ରେ କଲବଲ;୫ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ