ଭୁବନେଶ୍ୱର, ୮ ।୬ : ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ସୋମବାର ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ଶାନ୍ତ ପରିବେଶରେ ଅବସ୍ଥିତ ବୌଦ୍ଧ ମଠ ପରିଦର୍ଶନ କରିଛନ୍ତି। ଭଗବାନ ବୁଦ୍ଧଙ୍କୁ ପ୍ରାର୍ଥନା କରି ବିଶ୍ୱଶାନ୍ତି, ସମୃଦ୍ଧି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ପରିଦର୍ଶନ ସମୟରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତ ଓ ସମସ୍ୟା ଶୁଣିଥିଲେ।
ଭିଏତନାମରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅସ୍ଥି ଭାରତକୁ ଆଣିବାରେ ନିଜର ଭୂମିକାକୁ ସ୍ମରଣ କରାଇ ରାଜ୍ୟପାଳ କହିଥିଲେ ଯେ, ଏହି ପରିଦର୍ଶନ ତାଙ୍କ ପାଇଁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ମଠର ସାଧୁସନ୍ଥଙ୍କର ଭକ୍ତି, କରୁଣା, ସମ୍ପ୍ରତି ଓ ଆଧ୍ୟାତ୍ମିକ ଜ୍ଞାନର ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ଶାନ୍ତି, ସାଂସ୍କୃତିକ ବୁଝାମଣା ଏବଂ ଭଗବାନ ବୁଦ୍ଧଙ୍କ ଉପଦେଶ ପ୍ରଚାର ଓ ସଂରକ୍ଷଣରେ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ଭବିଷ୍ୟତ ପିଢ଼ି ପାଇଁ ବୁଦ୍ଧଙ୍କ ଉପଦେଶକୁ ଜୀବନ୍ତ ରଖିବାରେ ମଠର ସାଧୁସନ୍ଥଙ୍କ ଉତ୍ସର୍ଗ ପ୍ରେରଣାଦାୟକ ବୋଲି ରାଜ୍ୟପାଳ କହିଥିଲେ ।
ସେହିପରି ରାଜ୍ୟପାଳ ଗଜପତି ଜିଲ୍ଲାର ପବିତ୍ର ମହେନ୍ଦ୍ରଗିରି ପର୍ବତଠାରେ ଆୟୋଜିତ ମହେନ୍ଦ୍ରଗିରି ମେଳାର ମହାଯଜ୍ଞରେ ଯୋଗ ଦେଇଥିଲେ । ଐତିହାସିକ କୁନ୍ତୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ମହେନ୍ଦ୍ରଗିରିକୁ ଓଡ଼ିଶାର ସ୍ଥାୟୀ ଆଧ୍ୟାତ୍ମିକ ଉତ୍ତରାଧିକାରର ପ୍ରତୀକ ଭାବେ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ଏହି ପର୍ବତ ପିଢ଼ି ପରେ ପିଢ଼ି ଧର୍ମ, ଭକ୍ତି ଏବଂ ଐକ୍ୟକୁ ପ୍ରୋତ୍ସାହିତ କରୁଛି। ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ : ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡର ପୁନର୍ଗଠନ, ମୁଖ୍ୟମନ୍ତ୍ରୀ ରହିଲେ ଅଧ୍ୟକ୍ଷ