ଭୁବନେଶ୍ୱର,୧୩/୦୬: ସରକାରୀ  କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି  ସମୟାନୁବର୍ତ୍ତିତା ଛାଟ । ନିର୍ଦ୍ଦେଶ ଦିଆଯାଇଛି, ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦିଅ । ନିର୍ଦ୍ଧାରିତ ସମୟ ପୂର୍ବରୁ ବି ଅଫିସ ଛାଡ଼ି ପାରିବନି । ୩ ଥର ଅଧ ଘଣ୍ଟା ବିଳମ୍ବରେ ଆସିଲେ ଖାତାରୁ ଛୁଟି (ସିଏଲ୍‌) କଟିବ । ଖାଲି ଏତିକି ନୁହେଁ, ଆଗକୁ ଏଆଇ କ୍ୟାମେରା ଜଗିବ ସରକାରୀ କର୍ମଚାରୀଙ୍କ ଉପସ୍ଥାନ ଓ ଗତିବଧିକୁ । ଆରଏଫଆଇଡି ଟେକ୍ନୋଲୋଜି ଭିତ୍ତିକ ସ୍ମାର୍ଟ ପରିଚୟପତ୍ର ଜାରି ହେବ ସରକାରୀ କର୍ମଚାରୀଙ୍କୁ । ଏହି ଆଇକାର୍ଡକୁ  ଅଫିସକୁ ପ୍ରବେଶ ଓ ପ୍ରସ୍ଥାନ ସମୟର ପଞ୍ଚିଂ କରିବାକୁ ହେବ । 

ପ୍ରଥମେ ଲୋକସେବା ଭବନ ଓ ଖାରବେଳ ଭବନ କର୍ମଚାରୀଙ୍କ ପାଇଁ ପାଇଲଟ ପ୍ରକଳ୍ପ ଭାବେ ଏଆଇ କ୍ୟାମେରା ଓ ଆରଏଫଆଇଡି ସ୍ମାର୍ଟ କାର୍ଡ ପ୍ରଚଳନ ହେବ ।  ତା’ପରେ ରାଜ୍ୟ ସାରା ସରକାରୀ ଅଫିସରେ  ଏହାକୁ କାର୍ଯ୍ୟକାରୀ କରାଯିବ । ସାଧାରଣ  ପ୍ରଶାସନ ବିଭାଗ ରାଜ୍ୟର ସମସ୍ତ ସରକାରୀ  କର୍ମଚାରୀଙ୍କ ପାଇଁ ତାଗିଦଭରା ନିର୍ଦ୍ଦେଶନାମା ଜାରି  କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି, କନିଷ୍ଠ କର୍ମଚାରୀ, ଉଚ୍ଚପଦରେ ଥିବା କର୍ମଚାରୀ ସମସ୍ତେ  ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ଉଚିତ । ପ୍ରତି ଅଫିସରେ ବାୟୋମେଟ୍ରିକ ମେସିନ ମାଧ୍ୟମରେ  କର୍ମଚାରୀଙ୍କ ଉପସ୍ଥାନ ନିଆଯିବ । ଯେଉଁଠି ଅଛି, ତାହା ନିଶ୍ଚିତ ଭାବେ କାମ କରୁଥିବା ଆବଶ୍ୟକ ।  ନଥିଲେ ଶୀଘ୍ର ବାୟୋମେଟ୍ରିକ ମେସିନ ଲଗାଯାଉ । ଏହି ଉପସ୍ଥାନ ତଥ୍ୟକୁ ଏନଆଇସି ମାଧ୍ୟମରେ ବାୟୋମେଟ୍ରିକ ଆଟେଡାନ୍ସ ସିଷ୍ଟମ  ପୋର୍ଟାଲରେ ଅପଲୋଡ୍‌ କରିବାକୁ ହେବ । ଜଣେ ଅଧିକାରୀ ପ୍ରତି ୧୫ ଦିନରେ ଥରେ ଏହାକୁ  ଅନୁଧ୍ୟାନ କରିବେ ।  

ପ୍ରତ୍ୟେକ କର୍ମଚାରୀ ଅଫିସକୁ ଆସିବା ଓ ଯିବା ସମୟରେ ବାୟୋମେଟ୍ରିକ ଉପସ୍ଥାନ ଦେବାକୁ ବାଧ୍ୟ । ଅଫିସରୁ ଯିବା ସମୟରେ ବାୟୋମେଟ୍ରିକ ଉପସ୍ଥାନ ନ ଦେଲେ, ତାହାକୁ  ଅନୁପସ୍ଥିତ ବିବେଚିତ କରାଯିବ । ଯଦି କୌଣସି  କର୍ମଚାରୀ ମାସରେ ୩ଦିନ ୩୦ମିନିଟ୍‌ ଲେଖାଏଁ  ବିଳମ୍ବରେ ଆସିବେ, ସଂପୃକ୍ତ କର୍ମଚାରୀଙ୍କ  ଗୋଟିଏ ଦିନ ଛୁଟି (କାଜୁଆଲ୍‌ ଲିଭ୍‌) କାଟି  ଦିଆଯିବ ।  

ଯେଉଁ କର୍ମଚାରୀମାନେ ଅଫିସରେ ବିଳମ୍ବ  ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି କିମ୍ବା ଛୁଟି ଦିନରେ  ବି ଅଫିସ ଆସି କାମ କରୁଥିବେ, ସେମାନଙ୍କ କ୍ଷେତ୍ରରେ ସରକାର କୋହଳ ମନୋଭବ  ଦେଖାଇବେ । ଏହି କର୍ମଚାରୀମାନେ ଯଥାର୍ଥ  କାରଣ ଦର୍ଶାଇ ଏଭଳି କଠୋର ନିର୍ଦ୍ଦେଶନାମାରୁ ବାଦ୍‌ ପଡ଼ିପାରିବେ । ସେହିପରି ରାଜ୍ୟପାଳଙ୍କ  ସଚିବାଳୟ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ  ଅଫିସରେ କାମ କରୁଥିବା କର୍ମଚାରୀଙ୍କ ପାଇଁ  ଏହି କଡ଼ା ନିୟମ ଲାଗୁ ହେବ ନାହିଁ । ସେହିପରି  ଅଫିସ ପକ୍ଷରୁ ବିଭିନ୍ନ ଟୁର୍‌ ଓ ଅଫିସ ବାହାର  କାମରେ ନିୟୋଜିତ କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ଦଣ୍ଡବିଧାନ ଲାଗୁ ହେବନି । ପ୍ରତି  କର୍ମଚାରୀ କାର୍ଯ୍ୟଦିବସରେ ଅତି କମରେ ସାଢ଼େ  ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ ।