ନୂଆଦିଲ୍ଲୀ,୨୮।୧୧:  ଦିଲ୍ଲୀ ଏନ୍‌ସିଆରରେ ସୋମବାର ପର୍ଯ୍ୟନ୍ତ ଗ୍ରାପ୍‌-୪ ଲାଗୁ ରହିବ। ପ୍ରଦୂଷଣ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ଏହି ନିର୍ଦେଶ ଦେଇଛନ୍ତି। ତେବେ ସ୍କୁଲକୁ ଛାଡି ବାକି ଅନ୍ୟ ସ୍ଥାନରେ କଟକଣା ଲାଗୁ ରହିବ। କୋର୍ଟ କହିଛନ୍ତି, ବାୟୁ ଗୁଣବତ୍ତା ପରିଚାଳନା କମିଶନ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ସୋମବାର ଗ୍ରାପ୍‌ ନିୟମରେ କୋହଳ ନେଇ ବିଚାର ହେବ।

ଜଷ୍ଟିସ୍ ଅଭୟ ଏସ୍‌ ଓକା ଓ ଅଙ୍ଗାଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି, ଗ୍ରାପ୍-୪ ଲାଗୁ କରିବାରେ ଅଧିକାରୀମାନେ ବିଫଳ ରହିଛନ୍ତି। ଏଥିରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ସମୟରେ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି। ପଞ୍ଜାବ ସରକାର ଅଧିକାରୀଙ୍କ କୃଷକଙ୍କୁ କହୁଛନ୍ତି ସନ୍ଧ୍ୟା ୪ଟା ପରେ କୁଟା ଜଳାଅ। ଏଭଳି କଲେ ସେମାନେ  ସାଟେଲାଇଟ୍‌ରେ ନଜରରୁ ରକ୍ଷା ପାଇଯିବେ।

କୋର୍ଟ କହିଛନ୍ତି ଏଭଳି କରିବା ଭୁଲ ଓ କୋର୍ଟଙ୍କ ନିର୍ଦେଶର ଅବମାନନା। କୋର୍ଟ କହିଛନ୍ତି, ଆମକୁ ପଲ୍ୟୁସନ୍‌ରୁ ମୁକାବିଲା କରିବା ନେଇ କୌଣସି ସ୍ଥାୟୀ ସମାଧାନ ବାହାର କରିବାକୁ ହେବ। ପଞ୍ଜାବ ସରକାର ନିଜ ଅଧିକାରୀଙ୍କୁ ନିର୍ଦେଶ ଦିଅନ୍ତୁ ସେ କୃଷକଙ୍କୁ ଏଭଳି ନକୁହନ୍ତୁ। ଆଗାମୀ ଶୁଣାଣିରେ ଆମେ କୁଟା ଜଳାଇବା, ଟ୍ରକ୍‌ର ଏଣ୍ଟ୍ରି ଓ ବାଣ ବ୍ୟାନ୍‌କୁ ନେଇ ବିଚାର କରିବୁ। ଆମ ପାଖରେ ଏଭଳି ମେଶିନାରୀ ରହିବା ଦରକାର, ଯାହାଦ୍ବାରା ଡାଟା ମିଳିପାରିବ କିଏ କେତେବେଳେ କୁଟା ଜାଳୁଛି। ଏହି ମନିଟରିଂ ୨୪ ଘଣ୍ଟାର  ରହିବା ଦରକାର। ଏହା ଏକ ଗମ୍ଭୀର ସମସ୍ୟା ଓ ଏହି କାରଣରୁ ପ୍ରଦୂଷଣ ବଢିବାରେ ଲାଗିଛି।