ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ-ଏନ୍ସିଆରରେ ଦୀପାବଳି ପୂର୍ବରୁ GRAP (ଗ୍ରାପ୍) ର ଷ୍ଟେଜ-୧ ଲାଗୁ କରି ଦିଆଯାଇଛି। ପ୍ରଦୂଷଣ ସ୍ତର ଖରାପ ଶ୍ରେଣୀରେ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନ୍ସିଆରରେ ପ୍ରଥମ ପର୍ଯ୍ୟାୟ କଟକଣା ରହିବ। ଏହା ଅନୁସାର କାଠ ଓ ଅଳିଆ ଜଳାଇବା ଉପରେ ରୋକ ରହିବ। ନିର୍ମାଣ ସ୍ଥଳରେ ସତର୍କତା ଅବଲମ୍ବନ କରିବାକୁ ହେବ। CAQM ଅନୁସାରେ, ଆଜି ଦିଲ୍ଲୀ ପ୍ରଦୂଷଣ ସ୍ତର ୨୧୧ ଓ ଖରାପ ଶ୍ରେଣୀରେ ଥିଲା। ଅନୁମାନ ରହିଛି ଯେ, ଆଗାମୀ ଦିନରେ ଖରାପ ଶ୍ରେଣୀରେ ପ୍ରଦୂଷଣ ସ୍ତର ରହିବ। ଦିଲ୍ଲୀରେ ଏକ୍ୟୁଆଇର ଲେବଲ ୨୦୦ ପାର କରିଛି।
- ଗ୍ରାପ୍ ୧ ଅନୁସାରେ, ଦିଲ୍ଲୀ ଏନ୍ସିଆରରେ ଧୂଳି ନିୟନ୍ତ୍ରଣ ଉପାୟ ଯେପରିକି ଆଣ୍ଟି ସ୍ମୋଗ୍ ଗନ୍ର ବ୍ୟବହାର ଆରମ୍ଭ କରି ଦିଆଯିବ।
- ସବୁ ନିର୍ମାଣ ଓ ଭଙ୍ଗା ଯାଉଥିବା ସ୍ଥାନରେ ଧୂଳି ନିୟନ୍ତ୍ରଣର ଉପାୟ ପାଳନ କରିବାକୁ ହେବ।
- ୫୦୦ ବର୍ଗମିଟରରୁ ବଡ଼ ପ୍ରୋଜେକ୍ଟ ପାଇଁ ସ୍ବୀକୃତ ଡଷ୍ଟ ମ୍ୟାନେଜମେଣ୍ଟ ପ୍ଲାନ୍ର ପାଳନ କରିବା ମଧ୍ୟ ଜରୁରୀ ରହିବ।
- ଅଳିଆ, ପତ୍ର ଓ ଅନ୍ୟ ବର୍ଜ୍ୟବସ୍ତୁକୁ ଖୋଲାରେ ଜଳାଇବା ଉପରେ କଟକଣା ଲାଗୁ କରାଯାଇଛି।
- ସଡକ କଡରେ ଫୁଡ ଷ୍ଟଲ ଓ କମର୍ସିଆଲ ରୋଷେଇ ଘରେ କୋଇଲା କିମ୍ବା କାଠର ଇନ୍ଧନ ବ୍ୟବହାର କରିବା ଉପରେ କଟକଣା ଲଗାଯାଇଛି।
-ଡିଜେଲ୍, ଜେନେରେଟରର ଉପଯୋଗ ସୀମିତ କରାଯିବ। ଜରୁରୀ ସ୍ଥିତିରେ ଡିଜେଲ ଜେନେରେଟରର ଅନୁମତି ମିଳିବ।
-୧୦ ବର୍ଷର ପୁରୁଣା ଡିଜେଲ ବାହନ ଓ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ବାହନ ଦିଲ୍ଲୀ ଏନ୍ସିଆରରେ କଟକଣା ଲଗାଇ ଦିଆଯିବ।
ଉଲ୍ଳେଖନୀୟ ଯେ, ରାଜଧାନୀରେ ମଙ୍ଗଳବାର ସକାଳେ ବାୟୁ ଗୁଣବତା ସୂଚକାଙ୍କ( ଏକ୍ୟୁଆଇ)୨୦୧ ରେକର୍ଡ କରାଯାଇଛି। ଯାହାକି ଖରାପ ଶ୍ରେଣୀରେ ଆସିଥାଏ। ଆଇଏମ୍ଡି ଅନୁସାରେ, ସର୍ବାଧିକ ୩୩ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।