ଭୁବନେଶ୍ଵର, ୨୭/୧୨ : ଫେବୃଆରୀରୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର୍। ପ୍ରଦୂଷଣ ସାର୍ଟିଫିକେଟ୍ ଥିଲେ ଗାଡ଼ିରେ ଲାଗିବ ସବୁଜ ଷ୍ଟିକର। ଏହି ଷ୍ଟିକର ଦେଖିଲେ ଯାଇ ପେଟ୍ରୋଲ୍ ପମ୍ପରେ ତେଲ ଦେବେ କର୍ମଚାରୀ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ଯେ, ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡିର ସବୁ ପ୍ରକାର ପ୍ରମାଣପତ୍ର ରହିବା କଥା। ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ସାର୍ଟିଫିକେଟ୍ କୋହଳ କରାଯାଇଛି। ଯାହାର ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। 

ଫାଇନ୍ ନେଇ ମନ୍ତ୍ରୀ କହିଛନ୍ତି ଯେ, ୨୦୧୯ରେ ଲାଗୁ ହୋଇଥିବା ବର୍ଦ୍ଧିତ ଫାଇନ୍ ର କୋହଳ ପାଇଁ ତର୍ଜମା କରିବୁ। ନୂଆଗାଡ଼ିକୁ ବି ପ୍ରଦୂଷଣ ପ୍ରମାଣପତ୍ର ମିଳୁଛି। ପୁରୁଣା ଗାଡିକୁ ବି ସାର୍ଟିଫିକେଟ୍ ମିଳୁଛି। ଏହାର ତର୍ଜମା କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ନେଇ କହିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଏହି ସେବା ଲାଗୁ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି। ଏହାଦ୍ଵାରା ବିଭାଗର ଯେମିତି କ୍ଷତି ହେବନି ସେନେଇ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଥିବା ୧୪୨୨ଟି ବସ୍ ଯୋଗେ ସ୍କୁଲ ପିଲାଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦିଆଯିବ। କେଉଁ ରୁଟରେ କେତେ ବସ୍ ଚାଲିବା ଦରକାର ତାହା OSRTC ସ୍ଥିର କରିବ। 

ମନ୍ତ୍ରୀଙ୍କ ବାସଭବନ ଘେରାଉ 

ସେପଟେ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ନବ ନିର୍ମାଣ ଛାତ୍ର ସଙ୍ଗଠନ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି। ପ୍ରଦୂଷଣ ପାଇଁ ବିଭିନ୍ନ ଶିଳ୍ପ, କନଷ୍ଟ୍ରକସନ୍ ସାଇଟ୍ ଦାୟୀ ଥିବା ବେଳେ ତାଙ୍କ ଠାରୁ ଫାଇନ୍ ଆଦାୟ ନକରି କେବଳ ଜନସାଧାରଣଙ୍କୁ ଲୁଟୁଥିବା ଛାତ୍ର ସଙ୍ଗଠନ ଅଭିଯୋଗ କରିଛି। ଆଜି ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ସହ ଶାନ୍ତି ଆଲୋଚନା କରିବା ପାଇଁ ଆନ୍ଦୋଳନକାରୀମାନେ ନିଜ ହାତକୁ ଗାମୁଛାରେ ବାନ୍ଧି ଆସିଥିବା ବେଳେ ପୁଲିସ ସେମାନଙ୍କୁ ଅଧାବାଟରୁ ଉଠାଇ ନେଇଯାଇଛି। 

ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର

ଏନେଇ ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର। ଜନସାଧାରଣଙ୍କୁ ହଇରାଣ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଲୋକଙ୍କ ସୁବିଧା ପାଇଁ ନିୟମ ହୋଇଛି। ଏକ ମାସ ପାଇଁ ସଚେତନ କରାଯିବ। ମୋଟର ଯାନ ଆଇନ ମାନିବ ପାଇଁ ମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ବିଜ୍ଞାପନ ମୋହରେ କ୍ରୁଟ ଅନ୍ଧ: ସୁନ୍ଦର ବସ୍‌କୁ ବିକୃତ କଲେ, ସରକାରୀ ଲୋଗୋକୁ ହଟାଇଦେଲେ