ଭୁବନେଶ୍ୱର,୨୭/୧୨: ସହର ସୁନ୍ଦର ଆମ ବସ ଗଡୁଥିଲା । କ୍ରୁଟ ମୁଣ୍ଡରେ ବେପାରୀ ବୁଦ୍ଧି ଜୁଟିଲା । ବସ୍ରେ ବିଜ୍ଞାପନ ମାରି ବିକୃତ କଲା । ଟଙ୍କା ଆଦାୟର ମୋହ ଏମିତି ଘାରିଲା ଯେ ସରକାରୀ ଲୋଗୋକୁ ବି ହଟାଇ ଦେଲେ । ଟେଣ୍ଡର ନିୟମକୁ ଫୁରେ ଉଡ଼ାଇ, ରାଜ୍ୟ ଶାସନ ଉପରେ ବିଜ୍ଞାପନ ମାରିଲେ ।
କ୍ରୁଟ୍ ପକ୍ଷରୁ ଜୁନ୍ ମାସରୁ ଆମ ବସ୍ରେ ବିଜ୍ଞାପନ ମାରିବାକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିରେ କ୍ରୁଟ ପକ୍ଷରୁ ସର୍ତ୍ତ ରଖାଯାଇଥିଲା, ବସ୍ରେ ବିଜ୍ଞାପନ ନିର୍ଦ୍ଦିଷ୍ଟ ଉଚ୍ଚତାରେ ମରାଯିବ । ପଛରେ ଥିବା ଓଡ଼ିଶା ସରକାରଙ୍କ ଲୋଗା ଏବଂ କ୍ରୁଟର ନିଜସ୍ୱ ଲୋଗାକୁ ହଟାଯିବନି । ହେଲେ ଏହି ନିୟମକୁ ମାନିଲେନି ଘରୋଇ ସଂସ୍ଥା । ବସ୍ରେ ପଛରେ ବିଜ୍ଞାପନ ମରାଗଲା । ତାହା ପୁଣି ସରକାରୀ ଲୋଗାକୁ ଘୋଡ଼ାଇ ଦେଇ । ସରକାରୀ ଶାସନ ଚିହ୍ନ ଉପରେ ବିଭିନ୍ନ କମ୍ପାନିର ଲୋଗୋ ମାରିଲେ । ଯାହାକି ସିଧାସଳଖ ଟେଣ୍ଡର ନିୟମର ଉଲ୍ଲଘଂନ କରୁଛି । ଖୋଦ୍ ସରକାରୀ ଲୋଗାକୁ ଏପରି ଗିଳି ଦେବା ଏବଂ କ୍ରୁଟ ଜାଣି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଖାଲି ଏତିକି ନୁହେଁ, କୌଣସି ଇ-ବସ୍ରେ ବିଜ୍ଞାପନ ମାରିବା ବେଳେ ମୋଟର ଯାନ ଆଇନ ମାନିବାର ଆବଶ୍ୟକତା ରହିଛି । ହେଲେ କ୍ରୁଟ ବିଜ୍ଞାପନ ମୋହରେ ଅନ୍ଧ ହୋଇଗଲା । ଇ-ବସ୍ରୁ ନିର୍ଗତ ଏସିର ବାହ୍ୟ ନିର୍ଗମନ ମଧ୍ୟ ବନ୍ଦ କରିଦେଇଛି । ଏପରି କି ବସ୍ ଗୁଡିକର ବାହାର ଏବଂ ଭିତର ପାର୍ଶ୍ବରେ ଷ୍ଟିକରିଂ ଯୋଗୁଁ ପଛରେ ଥିବା ଏସି କଂପ୍ରେସର୍ ଗରମ ହୋଇଯାଉଛି । ଏହାଦ୍ୱାରା ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଇ-ବସ୍ରେ ଅଘଟଣ ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ । ହେଲେ ଏସବୁ କ୍ରୁଟ ଜାଣି ମଧ୍ୟ ଚୁପ୍ ରହିଛି ।
ଓଡ଼ିଶା କଳା ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ବସରେ ଜଗନ୍ନାଥ ମନ୍ଦିର ସମେତ କୋଣାର୍କ, ଧଉଳି ଶାନ୍ତିସ୍ତୂପ ଆଦିର ଫଟୋ ରଖାଯାଇଥିଲା । ହେଲେ ମାତ୍ର କେଇଟା ଟଙ୍କା ପାଇଁ କ୍ରୁଟ ଏହା ଉପରେ ବିଜ୍ଞାପନ ମାରି ଏହାକୁ ଘୋଡାଇ ଦେଲା । ଏହାକୁ ନେଇ ଖବର ପ୍ରକାଶ ପାଇଥିଲା । ବିଭିନ୍ନ ସଂଗଠନ ଏହାର ବିରୋଧ କରିଥିଲେ । ଏହା ପରେ ବାଧ୍ୟ ହୋଇ କ୍ରୁଟ ୧୦ଟି ବସ୍ରୁ ବିଜ୍ଞାପନ ହଟାଇଥିଲା । ହେଲେ କ୍ରୁଟ ପକ୍ଷରୁ ଅନ୍ୟ ବସ୍ରୁ କିନ୍ତୁ ବିଜ୍ଞାପନ ହଟାଗଲାନାହିଁ ।
କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲା, ସମ୍ବଲପୁରରେ ପ୍ରାୟ ୬୭୦ ଆମ ବସ୍ ଚାଲୁଛି । ସେଥିମଧ୍ୟରୁ କ୍ରୁଟ ୫୬୦ ବସ୍ରେ ବିଜ୍ଞାପନ ମାରିଛି । ପୁରୁଣା ବସ୍ ସମେତ ନୂଆ କରି କିଣା ହୋଇଥିବା ୨୦୦ ଇ-ବସ୍ରେ ମଧ୍ୟ ବିଜ୍ଞାପନ ମରାଯାଇଛି । ଆଗକୁ ଆହୁରି ୪୦୦ ଇ-ବସ୍ ଆଣିବାକୁ କ୍ରୁଟ ଯୋଜନା କରୁଛି । ଏଥିରେ ମଧ୍ୟ ବିଜ୍ଞାପନ ମରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କ୍ରୁଟର ଜିଏ ଅପରେସନଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ଉତ୍ତର ମିଳିପାରି ନାହିଁ ।