କେନ୍ଦୁଝର ସଦର,୧୦/୦୯: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଖାଡ଼ିଆଡିହା ଉନ୍ନୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଦ୍ୟାଳୟରୁ ଗତ ଦୁଇ ମାସ ତଳେ ଜଣେ ଶିକ୍ଷକ ସିଆରସିସି ପଦବୀରେ ଯିବା ପରେ ବିଦ୍ୟାଳୟରେ ଜଣେ ହିଁ ଶିକ୍ଷକ ଅଛନ୍ତି । ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଦାବି ମଧ୍ୟ କରିଥିଲେ । ପୂର୍ବରୁ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅଲଣାପଦାକୁ ଡେପୁଟେସନରେ ପଠାଯାଇଥିଲା ।
ବିଦ୍ୟାଳୟ ଶିକ୍ଷକ ସମସ୍ୟା ଏବଂ ଦାବିକୁ ଭିତ୍ତିକରି ପୁଣି ନିଜ ବିଦ୍ୟାଳୟକୁ ଫେରି ଯିବା ପାଇଁ ଡେପୁଟେସନ ଥିବା ଶିକ୍ଷକଙ୍କୁ ସଦର ମଣ୍ଡଳ ଶିକ୍ଷାଧିକାରୀ ଚିଠି ମଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଥିଲେ । ହେଲେ ଶିକ୍ଷକ ଜଣକ ଏଯାଏ ଫେରିନାହାନ୍ତି । ଗୁରୁବାର ଖାଡ଼ିଆଡିହା ଗାଁର ରାମେଶ୍ବର ପାତ୍ର, ବୁଧୁରାମ ମୁଣ୍ଡା, ପରୀକ୍ଷ ବାଘସିଂ, ବିଜୟ ନାଏକ, ସୁକାନ୍ତି ନାଏକ, ରଶ୍ମିତା ନାଏକ, ହାରାମଣି ନାଏକ, ନିୟୋତିରାଣୀ ନାଏକ, କମଳା ନାଏକ, ସୂର୍ଯ୍ୟମୁଖୀ ନାଏକ, ସବିତା ନାଏକ, ମଲ୍ଲି ତାମୁଡ଼ିଆ, ସବିତା ନାଏକ, ମିଲି ନାଏକ, ପଦ୍ମିନୀ ନାଏକ, ଗୀତା ଦାସ, ପୁଷ୍ପାଞ୍ଜଳି ପାତ୍ର, ପଦ୍ମିନୀ ନାଏକ, କସ୍ତୁରୀ ବାଘସିଂ, ପ୍ରମିଳା ନାଏକ, ସନ୍ଧ୍ୟାରାଣୀ ବାସୁ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ । ଆସନ୍ତା ତିନି ଚାରି ଦିନ ମଧ୍ୟରେ ଜଣେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ମିଳିବା ପରେ ଅଭିଭାବକ ମାନେ ଫେରିଛନ୍ତି ।