ଭୁବନେଶ୍ବର,୧୬।୧୨ : ୨୦୨୨ ଜୁଲାଇ ମାସ ୧୯ ତାରିଖରେ ଗୁଜୁରାଟ ପାଣ୍ଡେଶରା ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ଘଟଣାରେ ବ୍ରହ୍ମପୁରରୁ ଜଣଙ୍କୁ ଗୁଜରାଟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ହରିଡ଼ାଖଣ୍ଡି ଅଞ୍ଚଳର ଡି. କେଶବ ପାତ୍ର। ଗୁଜୁରାଟ ପାଣ୍ଡେଶରା ଥାନା ଅଞ୍ଚଳର ଅରବିନ୍ଦ ଯାଦବ ହତ୍ୟା ଘଟଣାରେ ଗୁଜୁରାଟ ପୁଲିସ ତାଙ୍କୁ ଗିରଫ କରିଛି।
କେଶବ ଗୁଜୁରାଟ ସୁରତର ପାଣ୍ଡେଶରା ଥାନା ଅଞ୍ଚଳରେ ଅରବିନ୍ଦ ଯାଦବଙ୍କୁ ଛୁରୀରେ ଆକ୍ରମଣ କରିଥିଲା।ଗୁରୁତର ଅବସ୍ଥାରେ ଅରବିନ୍ଦଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇ ଥିବା ବେଳେ ତା’ ପରଦିନ ମୃତ୍ୟୁ ଘଟିଥିଲା । ଏହା ପରେ କେଶବ ଫେରାର ହୋଇଯାଇଥିଲା। ହରିଡ଼ାଖଣ୍ଡି ଅଞ୍ଚଳର ଏକ ମଦ ଦୋକାନରେ କେଶବ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲା। ବ୍ରହ୍ମପୁର ବଡବଜାର ପୁଲିସ ସହଯୋଗରେ ହରିଡ଼ାଖଣ୍ଡି ଅଞ୍ଚଳରୁ କେଶବକୁ ଗୁଜରାଟ ପୁଲିସ ଗିରଫ କରିଥିଲା। ପରେ ବ୍ରହ୍ମପୁର ଏସ ଡି ଜେ ଏମ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରି ଗୁଜୁରାଟ ନେଇଛି ପୁଲିସ।