ବର୍ଷ ୨୦୨୫ । ସତେ ଯେମିତି ଥିଲା, ଅପରାଧୀଙ୍କ ପାଇଁ ବନ୍ଧୁକ ଗୋଳାବାରୁଦର ବର୍ଷ । ବନ୍ଧୁକ ଜବତ କଥା କିଏ ପଚାରେ, ଖୋଜୁ ଖୋଜୁ ମିଳିଲା ବିଶାଳ କାରଖାନା । ସିଙ୍ଗିଲ ସଟ୍ ଭଳି ଦେଶୀ ତ ପୁରୁଣା ହେଲାଣି, ଅପରାଧୀଙ୍କ ପକେଟ୍ରୁ ବାହାରିଲା-ପିସ୍ତଲ, ରିଭଲଭର, ମାଉଜର, ସେମି ଅଟୋମେଟିକ୍, କାର୍ବାଇନ୍ । ସ୍ଥିତି ଏମିତି ହେଲା, କେନ୍ଦ୍ରାପଡ଼ାର ଜଣେ ନବମ ଶ୍ରେଣୀ ଛାତ୍ର ବ୍ୟାଗରୁ ମିଳିଲା ଗୁଳିଭର୍ତ୍ତି ବନ୍ଧୁକ । ରାଜଧାନୀ ସମେତ ରାଜ୍ୟର ଅନେକ ସହରରେ ଗର୍ଜିଥିଲା ଆଗ୍ନେୟାସ୍ତ୍ର । ଚାଲିଗଲା ବେହିସାବ ଧନଜୀବନ । ସବୁ ସିଣ୍ଡିକେଟ୍ର ଚେର ଖୋଜୁ ଖୋଜୁ ପୁଲିସ ପହଞ୍ଚିଲା ବିହାରର ମୁଙ୍ଗେରରେ । ପୂର୍ବରୁ ସେଠାରୁ ପୁଳା ପୁଳା ବନ୍ଧୁକ ଓଡ଼ିଶାକୁ ଚାଲାଣ ହେଉଥିଲା । ଏଥର ଓଡ଼ିଶା ତିଆରି ବନ୍ଧୁକ ବିକ୍ରି ହେଲା ଅନ୍ୟ ରାଜ୍ୟରେ । ଅପରେସନ ଖୋଜ୍, ଚକ୍ର ଓ ଗରୁଡ଼କୁ ଅସ୍ତ୍ର କରି ବନ୍ଧୁକ କାରବାର ମୂଳପୋଛ ପାଇଁ ଜୋର୍ କଷିଥିଲା ପୁଲିସ । ତଥାପି ପାରିଲାନି । ଦୁଇ ବର୍ଷର ରେକର୍ଡ ଭାଙ୍ଗି ଏଥର ୭୧୫ରୁ ଅଧିକ ବନ୍ଧୁକ ଜବତ ହେଲା । ବେଲଗାମ ହେଲା ବନ୍ଧୁକ କାରବାର..(ଦିଲ୍ଲୀପ ରାଉତ, ସମ୍ବିତ୍ ବେହେରା)
ମେଡ ଇନ୍ ମୁଙ୍ଗେର
ରାଜଧାନୀର କାର୍ବାଇନ୍ ହେଉ କି ବୟାଳିଶମୌଜା ବନ୍ଧୁକ କାରଖାନା । ଗଞ୍ଜାମ, ପୁରୀ, ସମ୍ବଲପୁରରେ ଚାଲିଥିବା ବନ୍ଧୁକ ସିଣ୍ଡିକେଟ୍ର ଚେର ସିଧା ବିହାର ମୁଙ୍ଗେରକୁ ଲମ୍ବିଥିଲା । ଏସ୍ଟିଏଫ୍, ଅନ୍ୟ ଜିଲ୍ଲା ପୁଲିସର ତଦନ୍ତ ମୁଙ୍ଗେରରେ ଛିଡ଼ିଥିଲା । ତଦନ୍ତରୁ ଜଣାପଡ଼ିଲା ଯେ, ଝାରଖଣ୍ଡ ତିଆରି ବନ୍ଧୁକ ରାଉରକେଲା, ଝାରସୁଗୁଡ଼ାକୁ ଚାଲାଣ ହେଉଛି । ଆଉ ଦାମ ଢ଼େର୍ ଅଧିକ । ବନ୍ଧୁକର ବେଶୀ କିସମ ବି ଝାରଖଣ୍ଡରେ ମିଳେନି । କିନ୍ତୁ ମୁଙ୍ଗେର ଜିଲ୍ଲା ବ୍ୟାପୀ ନାନା କିସମର ବନ୍ଧୁକ କାରଖାନା । ସେଠାକାର ଆଗ୍ନେୟାସ୍ତ୍ର ବେଶ୍ ଶସ୍ତା । ମାତ୍ର ୫/୧୦ ହଜାର ଟଙ୍କାରେ ପିସ୍ତଲ, ରିଭଲଭର, ସେମି ଅଟୋମେଟିକ୍ ମିଳିଯାଉଛି ।
ଓଡ଼ିଶା ହେଉଛି ‘ମେଡ୍ ଇନ୍ ମୁଙ୍ଗେର’ ବନ୍ଧୁକର ଏକ ବଡ଼ ମାର୍କେଟ । ଗଞ୍ଜାମ ଜିଲୁଣ୍ଡି ଗାଁର ସୁପାରି କିଲର ଆଲୋକ ପ୍ରଧାନ ହେଉଛି ସିଣ୍ଡିକେଟ୍ର ମାଷ୍ଟରମାଇଣ୍ଡ । ସେ ଏକ ଦଶନ୍ଧି ଧରି ମୁଙ୍ଗେର-ଓଡ଼ିଶା ବନ୍ଧୁକ ସିଣ୍ଡିକେଟ୍ର ବାଦଶାହା ସାଜିଥିଲା । ଆସିକା ହଟିଆ ଜେନା ଓ ଧରାକୋଟ ସୁବାସ ସାହୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବି । ଏମିତିକି ତତ୍କାଳୀନ ଆସିକା ଥାନା ଅଧିକାରୀଙ୍କ ଉପରକୁ ମଧ୍ୟ ଫାୟାରିଂ କରିଥିଲା । ଏସ୍ଟିଏଫ୍ ଓ ଗଞ୍ଜାମ ପୁଲିସର ମିଳିତ ଟିମ୍ ମେ’ ପହିଲାରେ ବିହାର ଅଭିମୁଖେ ଯାଇଥିଲେ । ମୂଳ ଲକ୍ଷ୍ୟ ଥିଲା, ବନ୍ଧୁକ ର୍ୟାକେଟ୍ର ଚେର ଖୋଜିବା ସହ ଆଲୋକକୁ କାବୁ କରିବା । ଓଡ଼ିଶା ଟିମ୍ ସହ ବିହାର ଏସ୍ଟିଏଫ୍ର ୫ ଟିମ୍ ମିଶି ସପ୍ତାହେ ଧରି ମୁଙ୍ଗେରରେ ସିରିଜ ଚଢ଼ଉ କଲେ । ୧୦ରୁ ଅଧିକ ବନ୍ଧୁକ କାରଖାନାରେ ଦିନରାତି ଛାନ୍ଭିନ ଚାଲିଲା । ହତ୍ୟା ମାମଲାରେ ବିହାର କଟିହାର ଜେଲ୍ରେ ଆଲୋକ ଥିବା ଜାଣି ପୁଲିସ ଫେରିଆସିଲା ।
ବୟାଳିଶମୌଜାରେ ବିରାଟ କାରଖାନା
କଟକ ବୟାଳିଶମୌଜା ଧୂଳେଶ୍ୱର ଗାଁରେ ଚାଲିଥିଲା ଏକ ବିରାଟ ବନ୍ଧୁକ କାରଖାନା । ଯେଉଁଠି ୭ ଏମ୍ଏମ୍ ପିସ୍ତଲ ପାଇଁ କେବଳ ଛାଞ୍ଚ ତିଆରି ହେଉଥିଲା । ଚାଳଛପର କୁଡ଼ିଆ ଭିତରେ ବ୍ୟାରେଲ, ସ୍ଲାଇଡ୍, ହ୍ୟାଣ୍ଡ ଗ୍ରିପ୍ ପ୍ରସ୍ତୁତ କରୁଥିଲେ ବନ୍ଧୁକ ବେପାରୀ । ଏସବୁ ପିସ୍ତଲର ଛାଞ୍ଚ ମୁଙ୍ଗେରକୁ ଚାଲାଣ ହେଉଥିଲା । ସେଠାରେ ବନ୍ଧୁକ ଛାଞ୍ଚରେ ଟ୍ରିଗର୍, ମାଗାଜିନ୍, କ୍ୟାଟ୍ରିଜ୍, ହାମର୍, ମୋଜେଲ, ହ୍ୟାଣ୍ଡ ଗ୍ରିପ୍ କଭର, ସେଫ୍ଟି ଲକ୍, ରି-କଏଲ୍ ସ୍ପ୍ରିଙ୍ଗ, ଫ୍ରଣ୍ଟ ଷ୍ଟ୍ରାପ୍ ଓ ସ୍ଲାଇଡ୍ ଲକ୍କୁ ଯୋଡ଼ି ପିସ୍ତଲର ଶେଷ ସ୍ପର୍ଶ ଦିଆଯାଉଥିଲା । ବୟାଳିଶମୌଜାରେ ତିଆରି ପିସ୍ତଲ ଛାଞ୍ଚର ଦାମ ଥିଲା ୫ ହଜାର ଟଙ୍କା । ମୁଙ୍ଗେରରେ ବାକି ଯଂନ୍ତ୍ରାଶ ଯୋଡ଼ାଯିବା ପରେ ମୂଲ୍ୟ ୫୦ ହଜାର ଟଙ୍କା ଟପିଯାଉଥିଲା । କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ମାର୍ଚ୍ଚରେ କାରଖାନାରେ ଚଢ଼ଉ କରି ୪ଜଣ ବନ୍ଧୁକ ବେପାରୀଙ୍କୁ କାବୁ କଲା । କାରଖାନାରୁ ୨୯ଟି ପିସ୍ତଲ(୭ଏମ୍ଏମ୍)ର ବ୍ୟାରେଲ ସହ ଯନ୍ତ୍ରାଂଶ, ୮୦ଟି ପିସ୍ତଲର ଯନ୍ତ୍ରାଂଶ, ୧୪ଟି ପିସ୍ତଲର ସ୍ଲାଇଡ୍, ୩୬ଟି ପିସ୍ତଲର ଗ୍ରିପ୍, ୧୫ଟି ପିସ୍ତଲର ବ୍ୟାରେଲ ଓ ୧୪ଟି ଲୁହା ବାର୍ ଜବତ କଲା ।
କାର୍ବାଇନ୍ର କାୟାବିସ୍ତାର
ଦ୍ୱୈତନଗରୀରେ ବେଆଇନ୍ ବନ୍ଧୁକ କାରବାରରେ ଲଗାମ ଲାଗିଲାନି । ଆଗ୍ନେୟାସ୍ତ୍ରକୁ ଅଣ୍ଟାରେ ଖୋସି ବୁଲିଲେ ପେସାଦାର ଆଉ କୁଖ୍ୟାତ । ବନ୍ଧୁକ ମୁନରେ ଲୁଟିଲେ । ଡକାୟତି କଲେ । ଆତତାୟୀଙ୍କ ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ମନ୍ଦିର ମାଳିନୀରୁ ରୌପ୍ୟନଗରୀ । ଡରାଇଥିଲା ଘାତକ କାର୍ବାଇନ୍ । କମିଶନରେଟ୍ ପୁଲିସର ଅମୋଘ ଅସ୍ତ୍ର ପାଲଟିଥିବା ସ୍ପେଶାଲ କ୍ରାଇମ ୟୁନିଟ୍(ଏସ୍ସିୟୁ) ବନ୍ଧୁକ ମାଫିଆଙ୍କ ଦୁର୍ଗ ଭେଦିଥିଲା । ଘନଘନ ରାତିଅଧିଆ ଅପରେସନ ଜରିଆରେ ମୋଟ ୩୮ଟି ବନ୍ଧୁକ ଜବତ କଲା । କେବଳ ରାଜଧାନୀରୁ ଦୁଇ ଦୁଇଟି କାର୍ବାଇନ୍ ମିଳିଲା । ଏସ୍ସିୟୁ ପଞ୍ଝାରେ ୨ ଡଜନରୁ ଅଧିକ ବନ୍ଧୁକ ବେପାରୀ ପଡ଼ିଥିଲେ । ମୁଙ୍ଗେର ବନ୍ଧୁକ ମାଫିଆ ମଧ୍ୟ ଏସ୍ସିୟୁ ବିଛାଇଥିବା ଜାଲରେ ଫସିଥିଲେ । ଭୁବନେଶ୍ୱର, କଟକ ୟୁପିଡିର ସ୍ପେଶାଲ ସ୍କ୍ୱାଡ୍ ମଧ୍ୟ ସବୁ ଜୋର୍ ଲଗାଇଥିଲା । ୨୦ରୁ ଅଧିକ ବନ୍ଧୁକ ସ୍ପେଶାଲ୍ ସ୍କ୍ୱାଡ୍କୁ ମିଳିଥିଲା।
ବଡ଼ ସିଣ୍ଡିକେଟ୍ ‘ଗଞ୍ଜାମ, ବ୍ରହ୍ମପୁର’
ଏଥର ବି ବନ୍ଧୁକ କାରବାର ପେଣ୍ଠସ୍ଥଳୀ ପାଲଟିଥିଲା ଗଞ୍ଜାମ ଆଉ ବ୍ରହ୍ମପୁର । ମୁଙ୍ଗେର-ଓଡ଼ିଶା ସିଣ୍ଡିକେଟ୍କୁ ଗଞ୍ଜାମରୁ ଅପରେଟ୍ କରୁଥିଲେ ପେସାଦାର ମାଫିଆ । ଅକ୍ଟୋବର ୬ ରାତିରେ ବ୍ରହ୍ମପୁର ବୈଦନାଥପୁର ବୈକୁଣ୍ଠନଗରରେ ଗର୍ଜିଥିଲା ମେଡ ଇନ୍ ମୁଙ୍ଗେର ବନ୍ଧୁକ । ଆତତାୟୀଙ୍କ ଗୁଳିରେ ଟଳିଥିଲେ ବରିଷ୍ଠ ଆଇନ୍ଜୀବୀ ପୀତବାସ ପଣ୍ଡା । ଗୁଳିକାଣ୍ଡ ସାରା ରାଜ୍ୟରେ ଚହଳ ପକାଇଥିଲା । ଏହି ଲିଙ୍କ୍ରେ ପୁଲିସ ବିହାରର ୨ ସୁପାରି କିଲରଙ୍କୁ ବାନ୍ଧିଛି । ଜୁଲାଇରେ ଗଞ୍ଜାମ ଶେରଗଡ଼ ବ୍ଲକରେ କାଳିଆ ଜେନା ଆତତାୟୀଙ୍କ ଗୁଳିରେ ଘାଇଲା ହେଲେ । ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ସୁପାରି କିଲରଙ୍କୁ ବାନ୍ଧି ୬ ବନ୍ଧୁକ ଜବତ କରିଥିଲା । ମେ’ ୩ରେ ଏକାବେଳକେ ୧୭ଟି ବନ୍ଧୁକ ସହ ୬୬ ରାଉଣ୍ଡ ଗୁଳି ଜବତ କଲା ପୁଲିସ । ୧୮ ବେପାରୀ ଧରାପଡ଼ିଲେ । ପୁଲିସର ‘ଅପରେସନ ଖୋଜ୍’ ଜରିଆରେ ଗଞ୍ଜାମରୁ ୪୩, ବ୍ରହ୍ମପୁର ୧୭ଟି ବନ୍ଧୁକ ମିଳିଛି । ୨୦୦ରୁ ଅଧିକ ଜୀବନ୍ତ ଗୁଳି ମାଲଖାନାରେ ଗଦା ହୋଇଛି ।
୩ ଦେଶୀ କାରଖାନା
ନୟାଗଡ଼ ଜିଲ୍ଲାରେ ଚାଲିଥିଲା ୨ଟି ଦେଶୀ ବନ୍ଧୁକ କାରଖାନା । ଜୁନ୍ ପ୍ରଥମ ସପ୍ତାହରେ ଦଶପଲ୍ଲାର ଏକ ଜଙ୍ଗଲରେ ଥିବା କାରଖାନାରୁ ୨ଟି ଦେଶୀ ବନ୍ଧୁକ ମିଳିଲା । ନଭେମ୍ବର ଶେଷ ବେଳକୁ ଶରଣକୁଳ ଥାନା ଗୋଡ଼ିପଡ଼ାରୁ ଦେଶୀ ବନ୍ଧୁକ କାରଖାନା ଠାବ ହେଲା । ୨ଜଣ ପେସାଦାରଙ୍କୁ ବାନ୍ଧିଲା ପୁଲିସ । ଗଜପତି ଜିଲ୍ଲା ମୋହନା ଥାନା ଏକ ପାହାଡ଼ ଉପରେ ଦେଶୀ ବନ୍ଧୁକ ତିଆରି ହେଉଥିଲା । ପୁଲିସ ସେଠାରୁ ୧୦ଟି ବନ୍ଧୁକ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ କଲା ।
ବେପାରୀଙ୍କୁ ଜେଲଦଣ୍ଡ
୨୦୨୧ ଜୁଲାଇରେ ଖୋର୍ଦ୍ଧାର ୨ ବେପାରୀ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଥିଲେ । ଉଭୟଙ୍କଠୁ ୧୦ ବନ୍ଧୁକ ମିଳିଥିଲା । ଏମାନେ ମୁଙ୍ଗେର ବନ୍ଧୁକ ଓଡ଼ିଶା ମାଫିଆ ଓ ଗ୍ୟାଙ୍ଗଷ୍ଟରଙ୍କ ଯୋଗାଉଥିଲେ । ଚଳିତ ଜାନୁଆରୀ ୩୧ରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ବିଚାରପତି ଉଭୟଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ।
ଲାଲ୍ ଶିବିରରୁ ୪୦ ମିଳିଲା
ଲାଲ୍ଗଡ଼ ପ୍ରାୟତଃ ଧ୍ୱସଂ ହୋଇସାରିଛି । ତଥାପି କିଛି ସକ୍ରିୟ ମାଓ ସଂଗଠନ ଉତ୍ପାତ କରିଥିଲେ । ପୁଲିସ, ବିଏସ୍ଏଫ୍, ସିଆର୍ଟିଏଫ୍ ସହ ବର୍ଷସାରା ଛକାପଞ୍ଝା ଚାଲିଥିଲା । ମିଳିତ କମ୍ବିଂ ଅପରେସନରେ ଟଳିଥିଲେ ୧୯ ମାଓବାଦୀ । ବନ୍ଧା ହୋଇଥିଲେ ୮ । ଏଯାବତ୍ ମାଓ ଶିବିରରୁ ମିଳିଛି ୪୦ଟି ବନ୍ଧୁକ । ମାଓବାଦୀଙ୍କଠୁ ଇନ୍ସାସ ରାଇଫଲ, ୩୦୩ ରାଇଫଲ, ଏସ୍ଏଲ୍ଆର ଓ ଏକେ-୪୭ ଭଳି ଅତ୍ୟାଧୁନିକ ବନ୍ଧୁକ ମଧ୍ୟ ଜବତ ହୋଇଛି । ସେପ୍ଟେମ୍ବରରେ ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମା ମେଟାଗୁଡ଼ା ଜଙ୍ଗଲରୁ ଏକ ବନ୍ଧୁକ କାରଖାନା ଠାବ ହୋଇଥିଲା । ସେଠାରୁ ବିପୁଳ ବିସ୍ଫୋରକ ସହ ବନ୍ଧୁକ ତିଆରି ସରଞ୍ଜାମ ମିଳିଥିଲା ।
କାରାଗାରରେ ବିହାର ବେପାରୀ
- ମେ’ ୨୩ରେ ବୟାଳିଶମୌଜା କାରଖାନାର ମାଷ୍ଟରମାଇଣ୍ଡ ମହମ୍ମଦ ଅସଲାମକୁ ମୁଙ୍ଗେର କାସିମବଜାରରୁ ବାନ୍ଧିକି ଓଡ଼ିଶା ଆଣିଥିଲା ଏସ୍ଟିଏଫ୍ । ତା’ ନାଁରେ ୩ଟି ରାଜ୍ୟରେ ୩ଟି ମାମଲା ଅଛି ।
- ଜୁନ୍ ୨୫ରେ ବିହାର ସମଷ୍ଠିପୁରର ଦିଲ୍ଲୀପ ଶାହକୁ ରାଜଧାନୀ ଉପକଣ୍ଠରୁ ଏସ୍ଟିଏଫ୍ କାବୁ କଲା । ତା’ଠାରୁ ୩ଟି ୭ ଏମ୍ଏମ୍ ଅଟୋମେଟିକ ବନ୍ଧୁକ, ଗୋଟିଏ ଲେଖାଏଁ ୯ ଏମ୍ଏମ୍ ଓ ଦେଶୀ ପିସ୍ତଲ, ୭ଟି ଅଫୁଟା ଗୁଳି ମିଳିଲା । ସେ ଅସଲାମର ଘନିଷ୍ଠ ସହଯୋଗୀ ।
- ୫ ଗୁଣା ଅଧିକ ଦରରେ କାର୍ବାଇନ୍ କିଣିବାର ଲୋଭ ଦେଖାଇ ବିହାରରୁ ୨ ବନ୍ଧୁକ ବେପାରୀଙ୍କୁ ରାଜଧାନୀକୁ ଡାକିଥିଲା ଏସ୍ପିୟୁ । ବିହାରର ୨ ଅନ୍ତଃରାଜ୍ୟ ବେପାରୀ ନଭେମ୍ବର ୧୪ରେ ମାଳିସାହିରୁ ଧରାପଡି଼ଲେ । ସେମାନଙ୍କଠୁ ଗୋଟିଏ କାର୍ବାଇନ, ୫ଟି ସେମି ଅଟୋମେଟିକ୍ ପିସ୍ତଲ ଓ ୯ ଗୁଳି ମିଳିଲା ।
- ଡିସେମ୍ବରରେ ୨ ବନ୍ଧୁକ ବେପାରୀ ପିଣ୍ଟୁ କୁମାର ଓ ଅବିନାଶ କୁମାରଙ୍କୁ କାବୁ କରିଥିଲା ଏସ୍ଟିଏଫ୍ । ୫ଟି ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ ଓ ୭ଟି ଗୁଳି ଜବତ କଲା । ଉଭୟଙ୍କ ଘର ବିହାର ମୁଙ୍ଗେରରେ ।
- ଅଗଷ୍ଟ ପହିଲାରେ ରାଉରକେଲା ଗାନ୍ଧୀରୋଡରୁ ବିହାର ମୁଙ୍ଗେର ବାସିନ୍ଦା ରାଜେଶ ସାହୁକୁ ଧରିଥିଲା ପ୍ଲାଣ୍ଟସାଇଟ୍ ପୁଲିସ । ତା’ଠାରୁ ୧୦ଟି ବନ୍ଧୁକ, ୬ଟି ଗୁଳି ଜବତ ହୋଇଥିଲା । ରାଜେଶ ବିହାର, ଝାରଖଣ୍ଡରୁ ବନ୍ଧୁକ ଆଣି ରାଉରକେଲାରେ ୧୫-୨୦ ହଜାର ଟଙ୍କାରେ ବିକୁଥିଲା ।
- ଜୁନ ୨୫ରେ ଭରତପୁର ଥାନା ଅଞ୍ଚଳରୁ ହରିଆ ଗ୍ୟାଙ୍ଗର ୩ଜଣ ବେପାରୀଙ୍କୁ କାବୁ କରିଥିଲା ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାଡ୍ । ୨ଟି ବନ୍ଧୁକ, ୬ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍ ମିଳିଥିଲା ।
- ଜୁନ୍ ୧୫ରେ ରାଜଧାନୀ ଉପକଣ୍ଠ ଯାଁଳାରୁ ୫ ଅନ୍ତଃରାଜ୍ୟ ବେପାରୀଙ୍କୁ ଧରିଥିଲା ସ୍ପେଶାଲ ସ୍କ୍ୱାଡ୍ । ସେମାନଙ୍କଠୁ ୬ଟି ବନ୍ଧୁକ ଓ ୧୮ଟି ଗୁଳି ଜବତ ହେଲା । ଏମାନେ ରାଜଧାନୀ ଓ ଖୋର୍ଦ୍ଧାର ଖଣି ମାଫିଆ ଓ ଗୋ-ଚାଲାଣ ମାଫିଆଙ୍କୁ ୪୦ଟି ବନ୍ଧୁକ ବିକିଥିଲେ ।
- ଜୁଲାଇ ୨୫ରେ କଟକ ସ୍ପେଶାଲ ସ୍କ୍ୱାଡ୍ ୫ ବନ୍ଧୁକ ବେପାରୀଙ୍କୁ କାବୁ କରିଥିଲା । ସେମାନଙ୍କଠୁ ୫ଟି ପିସ୍ତଲ, ୧୩ ରାଉଣ୍ଡ ଗୁଳି ମିଳିଥିଲା ।
- ଜୁନ୍ ୧୩ରେ ଏୟାରଫିଲ୍ଡ ଥାନା ପୁଲିସ ୫ଜଣ ବେପାରୀଙ୍କୁ ବାନ୍ଧିଥିଲା । ସେମାନଙ୍କଠାରୁ ୪ଟି ୭.୬୫ ଏମ୍ଏମ୍ ସ୍ୱୟଂଚାଳିତ ପିସ୍ତଲ ସହ ୧୮ ରାଉଣ୍ଡ ଗୁଳି ମିଳିଥିଲା । ପୁରୀରେ ରଥଯାତ୍ରୀ ପୂର୍ବରୁ ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ସହ ୬ଟି ବନ୍ଧୁକ, ୨୦ରୁ ଅଧିକ ଗୁଳି ଜବତ କରାଯାଇଥିଲା ।
- ଜୁନ୍ ପହିଲାରେ ରାଉରକେଲା ବନ୍ଧମୁଣ୍ଡାର ପ୍ରେମନଗର ପଡି଼ଆରୁ ୬ଜଣ ଡକାୟତଙ୍କୁ କାବୁ କରିଥିଲା ପୁଲିସ । ସେମାନଙ୍କଠାରୁ ୪ଟି ଦେଶୀ ପିସ୍ତଲ, ଗୋଟିଏ ରିଭଲଭର, ୧୫ଟି ଗୁଳି ମିଳିଥିଲା ।
- ମେ ୨୫ରେ ଭଞ୍ଜନଗର ପୁଲିସ ୯ଜଣ ବେପାରୀଙ୍କୁ ଗିରଫ କରିବା ସହ ୫ଟି ବନ୍ଧୁକ, ୧୬ ରାଉଣ୍ଡ ଗୁଳି ଓ ୨ଟି ଖେଳନା ପିସ୍ତଲ ଜବତ କରିଥିଲା ।
- କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୋରୁଆ ସରକାରୀ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ପକେଟରୁ ବନ୍ଧୁକ ମିଳିବା ପରେ ସାରା ସ୍କୁଲରେ ଚହଳ ପଡ଼ିଥିଲା ।
- ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ଜଣେ ଲେଡି ବ୍ଲାକ୍ମେଲର ବିରାଟ ଷଡ଼ଯନ୍ତ୍ର ରଚିଥିଲେ । ଡ୍ରାଇଭରକୁ ଲଗାଇ ଘର ଉପରକୁ ବୋମା ଫିଙ୍ଗିବା ସହ ଗୁଳି ଚାଳନା କରି ଭରତପୁର ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ।
- ନବରଙ୍ଗପୁର ଉମରକୋଟ ସିଲାଟି ଗାଁରେ ୩ ବିହାରୀ ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟ୍ କରିବା ବେଳେ ଧରାପଡ଼ି ନିର୍ଧୁମ ମାଡ଼ ଖାଇଥିଲେ ।
- ଉମରକୋଟ ୟୁଭି-୭ ନୂଆଗୁଡ଼ା ଗାଁର ଗ୍ରାହକ ସେବା କେନ୍ଦ୍ରରେ ବନ୍ଧୁକ ମୁନରେ ୭୦ ହଜାର ଲୁଟି ନେଇଥିଲେ ଦୁର୍ବୃତ୍ତ ।
- ରାଉରକେଲା କୋଇଡ଼ାରେ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ମୁନରେ ଡରାଇ ତାରିଣୀ ପରିବହନ ସଂସ୍ଥାରୁ ୩ ଲକ୍ଷ ଲୁଟିଥିଲେ ।
- ଭଦ୍ରକ ଜିଲ୍ଲା ନାୟାକାଣିଡ଼ିହି ଥାନା ଲକ୍ଷ୍ମୀଦାସପୁର ପାଳ ସାହିର ପ୍ରଫୁଲ ଲେଙ୍କାଙ୍କ ଘରେ କଳାକନା ବୁଲାଇବା ବେଳେ ଡକାୟତଙ୍କ ବନ୍ଧୁକ ମାଡ଼ରେ ପତ୍ନୀ କାମିନୀ ଗୁରୁତର ହୋଇଥିଲେ ।
- ସୁନ୍ଦରଗଡ଼ ଲହୁଣିପଡ଼ା ଥାନା ବରସୁଆଁ ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ୩.୯୫ ଲକ୍ଷ ଟଙ୍କା ଲୁଟିଥିଲେ ।
- ସୁନ୍ଦରଗଡ଼ ବଣାଇରେ ବନ୍ଧୁକଧାରୀ ୫ ଡକାୟତ ମା’ ଝିଅଙ୍କୁ ବଳାତ୍କର ଧମକ ଦେଇ ୭୫ ଲକ୍ଷର ସୁନା ଅଳଙ୍କାର ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟିଥିଲେ ।
- ୬ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ନୟାଗଡ଼ ମାନ୍ଧାତାପୁରର ଏକ ବ୍ୟାଙ୍କରୁ ୨୦-୨୫ ଲକ୍ଷ ଟଙ୍କା ଲୁଟିଥିଲେ । ବ୍ୟାଙ୍କ ପିଅନ ଓ କର୍ମଚାରୀ ବନ୍ଧୁକ ବଟ୍ରେ ପିଟି ଦରମଲା କରିଥିଲେ।
- କେନ୍ଦୁଝର ହରିଚନ୍ଦନପୁର ଉପର ବଜାରରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ନାରାୟଣ ଜୁଏଲର୍ସରୁ ୫ କେଜି ସୁନାଗହଣା ଲୁଟିଥିଲେ ।
- ସୁନ୍ଦରଗଡ଼ କାଂସବାହାଲରେ ଡକାୟତମାନେ ବନ୍ଧୁକ ମୁନରେ ଡରାଇ ୨ଟି ଘର ଲୋକଙ୍କୁ ନିସ୍ତୁକ ପିଟି ୧୩ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ ।
- କେନ୍ଦୁଝର ଯୋଡ଼ାର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କରୁ ବନ୍ଧୁକ ଦେଖାଇ ୨ କେଜି ସୁନା ଅଳଙ୍କାର ଓ ୧୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା ।
- ବାଲେଶ୍ୱର ଖଇରା ଥାନାର ପ୍ରହରାଜପୁର ଗାଁରେ ଲୁଟେରାମାନେ ଗହଣା ବ୍ୟବସାୟୀଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରି କୋଟିଏ ଟଙ୍କାର ସୁନା, ରୁପା ଓ ନଗଦ ଟଙ୍କା ଲୁଟି ନେଇଥିଲେ ।
- ରାଇରଙ୍ଗପୁର ବହଳଦାର ଏସ୍ବିଆଇ ଶାଖାରେ ୫ ଦୁର୍ବୃତ୍ତ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ବାଲେଶ୍ୱର ସୋର ଡାକ୍ତରଖାନା ଆହାର କେନ୍ଦ୍ରରେ ବନ୍ଧୁକ ମୁନରେ ଆତଙ୍କ ଖେଳାଇଥିଲା ହେମନ୍ତ ସାହାଣୀ ।
- ମୋହନାର କୁଙ୍କୁଣି ପଦାସାହି ନିକଟ ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ହରିଶ୍ଚନ୍ଦ୍ର ଭୂୟାଁ ନିଜ ଦେଶୀ ବନ୍ଧୁକ ଗୁଳିର ଶିକାର ହୋଇ ଟଳିପଡି଼ଥିଲେ ।
- ଢ଼େଙ୍କାନାଳ ଭାପୁର ନିକଟସ୍ଥ ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ଭିଣୋଇର ଗୁଳିରେ ଶଳାଙ୍କର ମୃତ୍ୟୁ ହୋଇଥିଲା ।
- ରାଜଧାନୀରେ ବନ୍ଧୁକ ଗର୍ଜିଥିଲା । ଜମି ବିବାଦରୁ ସରକନ୍ତରା ଗାଁରେ ଏମ୍ସର ଲାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆ ଏବଂ ପୂର୍ବ ଶତ୍ରୁତାରୁ ଦେଉଳିଆ ପାଟଣାର ଭାଇଭାଇ ଆଶ୍ରମରେ ବାବାଙ୍କ ସହଯୋଗୀ ସୁନିଲ ବାରିକ ଟଳିଥିଲେ ।