ଗୁରୁଗ୍ରାମ, ୧୦/୦୭: ହରିୟାଣାର ଗୁରୁଗ୍ରାମରେ ବଡ଼ ଧରଣର ଏନକାଉଣ୍ଟର । ପୁଲିସ ଗୁଳିରେ ଟଳିପଡ଼ିଲେ ୪ଜଣ ଦୁର୍ଦ୍ଦାନ୍ତ ଅପରାଧି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ପୁଲିସ ଏବଂ ଅପରାଧିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ଜଣ ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଅପରାଧୀ ମାନେ ଦୀପକ ନନ୍ଦଲ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି । ବିଦେଶ ବସିଥିବା ମୋଷ୍ଟ ୱାଣ୍ଟେଡର ନିର୍ଦ୍ଦେଶରେ ସେମାନେ ଭାରତରେ ଅପରାଧିକ ଘଟଣା ଘଟାଉଛନ୍ତି । ଏହି ଘଟଣା ହରିୟାଣା ପୁଲିସ ଅଧିକ ଛାନଭିନ କରୁଛି ।
ଗୁରୁଗ୍ରାମର ସୁଶାନ୍ତ ଲୋକ ଫେଜ୍-୨ ଅଞ୍ଚଳରେ ଗୁରୁବାର ରାତିରେ କ୍ରାଇମ ବ୍ରାଞ୍ଚ ଟିମ୍ ଏବଂ ଦୀପକ ନାନ୍ଦଲ ଗ୍ୟାଙ୍ଗର ସୁଟରମାନଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୀପକ ନାନ୍ଦଲ ଗ୍ୟାଙ୍ଗର ସୁଟରମାନେ SGT Universityର ସଂସ୍ଥାପକଙ୍କ ପୁଅ ତଥା ପାର୍ଟନର ବିଶାଳ ବେରୀଙ୍କୁ ଟାର୍ଗେଟ୍ କରିଥିଲେ।
ଦାଦାବଟି ଦାବି ପରେ ଆକ୍ରମଣ:
ଏକ ସନ୍ଦିଗ୍ଧ ସ୍କର୍ପିଓ ଗାଡ଼ିରେ କିଛି ସଶସ୍ତ୍ର ଅପରାଧୀ ସୁଶାନ୍ତ ଲୋକ ଅଞ୍ଚଳରେ ବୁଲୁଥିବାର ଗୁରୁଗ୍ରାମ ପୁଲିସକୁ ସୂଚନା ମିଳିଥିଲା। ଏହାପରେ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲା ଯେ ଅଭିଯୁକ୍ତମାନେ ବିଶାଳ ବେରୀଙ୍କ ଘର ଉପରକୁ ଗୁଳିବର୍ଷା କରୁଥିଲେ । ସୂଚନା ଅନୁସାରେ, ବିଦେଶରେ ଥିବା ଗ୍ୟାଙ୍ଗଷ୍ଟର ଦୀପକ ନାନ୍ଦଲ ପକ୍ଷରୁ ବିଶାଳ ବେରୀଙ୍କୁ ଲଗାତାର ଧମକପୂର୍ଣ୍ଣ ବାର୍ତ୍ତା ଏବଂ ଦାଦାବଟି ଦାବି କରାଯାଉଥିଲା ।
ପୁଲିସ ଉପରେ ଗୁଳି ଚଳାଇଲେ ଅପରାଧୀ:
କ୍ରାଇମ ବ୍ରାଞ୍ଚ ଟିମ୍ ପ୍ରଥମେ ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ କରିବାକୁ ସତର୍କ କରିଥିଲା। କିନ୍ତୁ ସେମାନେ ପୁଲିସ ଉପରେକୁ ଲଗାତାର ଗୁଳିଚାଳନା କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଏଥିରେ ସ୍କର୍ପିଓରେ ଥିବା ସମସ୍ତ ୫ଜଣ ସୁଟର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏକ ବେସରକାରୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ୪ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରୁ ଜବତ ହେଲା ଅସ୍ତ୍ର:
ଏନକାଉଣ୍ଟର ପରେ ଡିସିପି କ୍ରାଇମ ଏବଂ ଡିସିପି ଇଷ୍ଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଫରେନସିକ୍ ସାଇନ୍ସ ଲାବୋରେଟରୀ (FSL) ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ସାକ୍ଷ୍ୟ ସଂଗ୍ରହ କରିବା ସହ ଅତ୍ୟାଧୁନିକ ଅସ୍ତ୍ର ମଧ୍ୟ ଜବତ କରିଛି।
ବିଦେଶରୁ ମିଳୁଥିଲା ନିର୍ଦ୍ଦେଶ:
ଏସିପି ସଦର ଧର୍ମବୀର ସିଂହ କହିଛନ୍ତି ଯେ, ଏହି ଗ୍ୟାଙ୍ଗର ଅପରାଧୀମାନେ ବିଦେଶରେ ଥିବା ଗ୍ୟାଙ୍ଗଷ୍ଟରଙ୍କଠାରୁ ସିଧାସଳଖ ନିର୍ଦ୍ଦେଶ ପାଉଥିଲେ। ସୂଚନା ମିଳିବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସେହି ସମୟରେ ଅଭିଯୁକ୍ତମାନେ ଜଣେ ବଡ଼ ବ୍ୟବସାୟୀଙ୍କ ଘରକୁ ପ୍ରବେଶ କରି ଗୁଳିବର୍ଷା ଆରମ୍ଭ କରିଥିଲେ। ପୁଲିସ ଆତ୍ମସମର୍ପଣ କରିବାକୁ କହିଥବାରୁ ସେମାନେ ପୁଲିସ ଉପରେ ଗୁଳି ଚଳାଇଥିଲେ।
ଅଧିକ ପଢନ୍ତୁ-ଦେଶକୁ ପୁଣି ଘାରିଲା କରୋନା ଭୟ: ଆନ୍ଧ୍ରରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ, ୨ ଜିଲ୍ଲାରେ ୪ ସକ୍ରିୟ ମାମଲା