ଗୌହାଟୀ: ଦେଶରେ ଧମକପୂର୍ଣ୍ଣ କଲ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି (ଗୁରୁବାର) ପୁଣି ଥରେ ଗୌହାଟୀ ରେଳ ଷ୍ଟେସନ୍‌ ଏବଂ ଗୌହାଟୀ ବିଶ୍ବବିଦ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ମେଘାଳୟ ପୋଲିସ କଂଟ୍ରୋଲ ରୁମ୍‌କୁ ଏକ କଲ ଆସିଥିଲା । ଏଥିରେ ଗୌହାଟୀ ରେଳ ଷ୍ଟେସନ୍‌ରେ ବୋମା ଥାଇପାରେ ବୋଲି କହିଥିଲା ସନ୍ଦିଗ୍ଧ । ଆଉ ଏନେଇ ଗୌହାଟୀ ପୋଲିସକୁ ସୂଚନା ମିଳିବା ପରେ ଛାନଭିନ୍‌ ଆରମ୍ଭ ହୋଇଛି ବୋଲି ସେଠାକାର ପୋଲିସ କମିଶନର ଦିଗନ୍ତ ବାରାହ କହିଛନ୍ତି । 

ରେଳ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହେଲେ ବୋମା ନେଇ ଯେଉଁ ଖବର ମିଳିଥିଲା ତାହା ମିଛ ବୋଲି କମିଶନର କହିଛନ୍ତି ।  ଷ୍ଟେସନ୍‌ରେ ସର୍ଚ୍ଚ ଅପରେସନ୍‌ ଜିଆରପି, ଆରପିଏଫ ଏବଂ ରାଜ୍ୟ ପୋଲିସ ମିଳିତ ଭାବେ କରିଥିଲେ । ସେପଟେ ଗୌହାଟୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ବୋମା ଥାଇପାରେ ବୋଲି ପୋଲିସକୁ ସୂଚନା ମିଳିଥିଲା । ତେବେ ଏହି ଇମେଲ୍‌ କେଉଁଠୁ ଆସିଛି ତାର ସୂଚନା ପାଇବାକୁ କସରତ ଚଳାଇଛି ପୋଲିସ ।  

ବିଶ୍ବବିଦ୍ୟାଳୟର ସୁରକ୍ଷା କର୍ମୀ ଏବଂ ଗୌହାଟୀ ପୋଲିସ କ୍ୟାମ୍ପସରେ ବୋମା ଖୋଜି ବିଫଳ ହୋଇଥିବା ଜଣାପଡ଼ିଛି ।  ଅନ୍ୟପକ୍ଷରେ ଧମକ ଆସିଥିବା ଫୋନ୍‌ ନମ୍ବର ଏବଂ ଇମେଲ୍‌ କୌଣସି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ କି ନାହିଁ ପ୍ରଶ୍ନରେ ପୋଲିସ କହିଛି, ସେଭଳି ସମ୍ଭାବନା ନାହିଁ । ତଦନ୍ତ ଚାଲିଥିବା ବେଳେ ଅଧିକ କିଛି ସୂଚନା ହସ୍ତଗତ ହୋଇନାହିଁ ବୋଲି କମିଶନର ବାରାହ କହିଛନ୍ତି ।